STORYMIRROR

Binodini Dash

Inspirational

4  

Binodini Dash

Inspirational

ତୁ ଚାଲିଯିବୁ ତୋ ଶାଶୁ ଘର

ତୁ ଚାଲିଯିବୁ ତୋ ଶାଶୁ ଘର

1 min
280


ତୁ ଚାଲିଯିବୁ ତୋ ଶାଶୁ ଘର

ଏକୁଟିଆ କରି ମୋତେ

କେମିତି ବଞ୍ଚିବି ତୋ ବିନା ରେ ଧନ

ଭାରି କଷ୍ଟ ଲାଗେ ସତେ !


ବାଳୁତ ବୟସେ ମାଆ ଚାଲିଗଲା

ଜୀଇଁଛି ତୋ ମୁଖ ଦେଖି

ମୋ ଜୀବନ କ୍ଷେତେ ଥିଲୁ ସବୁଜିମା

ଆଜିଠୁ ଯିବ ତା' ଶୁଖି ।


ତୋ ଅଳି ଅଝଟ ସବୁ ପୂରା କରି

ମଣିଷ ପରି ଗଢ଼ିଲି

ଆଦର ଯତନେ ସ୍ନେହ ଶରଧାରେ

କର୍ତ୍ତବ୍ୟ ପଥେ ଛାଡ଼ିଲି ।


ଶାଶୁ ଶ୍ବଶୁରଙ୍କୁ ଦେବ ସମ ଭାବି

ନିତି ସେବୁଥିବୁ ପଦ

ସ୍ବାମୀ ଦେବତାଙ୍କ ସହିତ କେବେ ବି

କରିବୁ ନାହିଁ ତୁ ଦ୍ବନ୍ଦ ।


ଦିଅର ନଣନ୍ଦ ମନ କିଣୁଥିବୁ

ବାନ୍ଧବୀର ହୃଦ ନେଇ

ସାହିପଡିଶାଙ୍କୁ ନିତି ତୋଷୁଥିବୁ

ମଧୁର ବଚନ କହି ।


ଯେଣୁ ମାଆ ନାହିଁ ସଣ୍ଠଣା ଶିଖିନି

ନ ବୋଲିବେ କେଉଁ ଜନ

ବୁଦ୍ଧିମତୀ ମୋର କର୍ମେ ଦେଇ ଧ୍ୟାନ

ରଖିବୁ ବାପା ସମ୍ମାନ ।


ଝଡ଼ଝଞ୍ଜା ଆସି ଫେରି ଯାଉଥିବ 

ଦୃଢ କରିଥିଲେ ମନ

ଦୁଇ କୁଳ ହିତା ଅଟଇ ଦୁହିତା

ଏକଥାରେ ଦେବୁ ଧ୍ୟାନ।


ସୁନାନାକୀ ମୋର ହେବୁ ସୁନା ବୋହୂ

ଚାଲିବି ଛାତି ଫୁଲାଇ

ଆନନ୍ଦାଶ୍ରୁ ନେତ୍ରୁ ଝରି ପଡୁଥିବ

ତୋ ମା'କୁ ମନେ ପକାଇ ।


ପାରୁଥିଲି ବାଲ୍ୟେ ତୋତେ ମୁଁ ବୁଝାଇ

ଯେଉଁ ତାରାକୁ ଦେଖାଇ

ଅନାଇ ଅନାଇ ସେହି ତାରାଟିକୁ

ଶୂନ୍ୟତା ଭରିବି ମୁହିଁ ।


ଘର ଅଗଣାରେ ରୁଣୁଝୁଣୁ ଚାଲି

ନିତି ବାଜୁଥିବ କାନେ

ବାପା ବାପା ଡାକ ଶୁଭି ଯାଉଥିବ

ଅପାଶୋରା ପରା ମନେ ।


ପଖାଳ କଂସାରେ ଦିନ ବିତୁଥିବ

କିଏ ରାନ୍ଧି ଖୁଆଇବ

ଝିଅର ଜନମ ପର ଘର ବୋଲି

ହେଲେ ମନ କହୁଥିବ ।


ଶଙ୍ଖା ସିନ୍ଦୂରରେ ସୁଖସମୃଦ୍ଧିରେ

ତୋର ଦିନ ବିତୁଥାଉ

ଏତିକି ମାଗୁଣି ବିଭୁ ଶ୍ରୀପୟରେ

କରି କରି ସରୁ ଆୟୁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational