STORYMIRROR

Panchanan Jena

Inspirational

3  

Panchanan Jena

Inspirational

ଶୂନ ରାତିର ସଂକଳ୍ପ

ଶୂନ ରାତିର ସଂକଳ୍ପ

1 min
175


ସଂକଳ୍ପ ନେଇ ସାରିଛି

ନୂଆ ବର୍ଷରୁ ଛାଡିଦେବି 

ସବୁ କୁ-ଅଭ୍ୟାସ

ମୁଣ୍ଡରେ ଉକୁଣି ପରି 

ଆସ୍ଥାନ ଜମେଇଥିବା

ଥୋକେ ବଦଭ୍ୟାସ

ବେତାଳ ପରି

ପିଠିରେ ଲାଉ ହୋଇ

ସୁନେଲି ଭବିଷ୍ୟତକୁ ରସାତଳକୁ ଠେଲୁଥିବା

ଡର୍ଜନେ ଖଣ୍ଡେ ଖରାପ ଅଭ୍ୟାସ

ବରଉହଳ ପରି ଲମ୍ବା ଲହ ଲହକା

ଭାଗ୍ୟକୁ କରିସାରିଲେଣି ବଙ୍କା

ଆଉ ପାଳି ହେଉନି

 ସମସ୍ୟା କହି ହେଉନି 

ଖର୍ଚ୍ଚ ବହୁତ 

ମୁଣ୍ଡ ଝାଇଁ ଝାଇଁ ମର୍ମାହତ ।



ଜାନୁୟାରୀ ଏକ ତାରିଖରୁ 

ଆରମ୍ଭ କରିବି ସୁ-ଅଭ୍ୟାସ

ସୋମବାର ଶିବଶମ୍ଭୁଙ୍କୁ କରି ସୁମରଣା

ଅତୀତର ସବୁ କଳା କଳୁଷ

ଫିଙ୍ଗିଦେବି ଜୀବନରୁ

ଆରମ୍ଭ କରିବି ନୂଆ ବିନ୍ୟାସ

ବଜ୍ର ଶପଥ ମୋର ଘନ ଘନ

ନୂଆ ବର୍ଷରେ ନୂଆ ଜୀବନ

ଆରମ୍ଭ କରିବ ଏହି ଅର୍ବାଚୀନ ।


ମାନୁଛି ମୁଁହି

ଯୌବନ ବେଳର କିଛି ବଦଭ୍ୟାସ

ସାଙ୍ଗ ସାଥି ମେଳରେ ଖେଳରେ ଆଳରେ

ଆପଣେଇଥିବା ଥୋକେ

ମନୋରଞ୍ଜନ ମୂଳକ

ସଉକିଆ କୌତୁକିଆ ବାହକ

ଖରାପ ଗାଳିଖୁଆ 

ଅଭ୍ୟାସର କ୍ରୀତଦାସ ପରିଚାୟକ

ସୀମା ଲଙ୍ଘିଲାଣି 

ସୀମାରେଖା ଟପିଲାଣି

ଶେଷ ଜବନିକା ଟାଣିଦେବି

ବିଦାୟୀ ବର୍ଷର ମାହେନ୍ଦ୍ର ବେଳାରେ

କୁ-ଅଭ୍ୟାସ ମାଗେ ମେଲାଣୀ

 ଶେଷ ଦୃଶ୍ୟ କାହାଣୀ

ବର୍ଷ ଆରମ୍ଭରେ କରିଦେବି 

ସୁ-ଅଭ୍ୟାସର ଖେଳ ଆବାହନୀ ।


ସବୁ ଛାଡ଼ିଦେବି 

ପାଖରୁ ଛଡେଇ ଦେବି

କଥାରେ ଅଛି

ମୁଁ ଠିକ୍ ତୋ ଦୁନିଆ ଠିକ୍

ମୁଁ ପିଇବି ନାହିଁ

ମୋତେ ପିଏଇବ କିଏ ?


ଭିତରୁ କି'ଏ ଜଣେ କହୁଥିଲା

ନୂଆବର୍ଷ

ଜାନୁୟାରୀ ଏକ ତାରିଖ

ସୋମବାର 

ଗୋଟିଏ ଦିନରେ ପଡ଼ୁଛି ପରା

କାହିଁକି ନାଟକ କରୁଛୁ

ନୂଆ ପ୍ରତିଜ୍ଞା 

ନବ ଶପଥ 

ନିଜେ 

ନିଜକୁ ପଚାର ମରା ମରା

ମଧୁଶାଳା ରେ ବସି କାହିଁକି

ନେଉ ନାମ ଓଁକାର

ନିଜେ ନିଜ ଭବିଷ୍ୟତ ସୁଧାର କର 


ନୂଆ ବର୍ଷ ସଂକଳ୍ପ  

କିଛି ବଦଳେଇ ପାରିବନି

ପ୍ରକୃତି ଛଡା ଅଭ୍ୟାସ ସବୁକୁ

ସବୁ ବାହାନା ମାତର 

ତୁ କରିଛୁ ଅଭ୍ୟାସ

 ପାଳିଛୁ ବଢେଇଛୁ

ସୁସ୍ଥ ସବଳ ବନେଇଛୁ

କାଖେଇ କୋଳେଇ ଅଭିଜ୍ଞ ସାଜିଛୁ


ଛାଡିବାକୁ ମର୍ଜି କଲେ କ'ଣ ଚଳିବ

ଦମ୍ଭ ସହକାରେ

ସଚେତନତାର ବାର୍ତ୍ତା ଆତ୍ମାରେ 

ଚିନ୍ତା ଚେତନାରେ

ଜାଗୃତି ହେଲେ ହିଁ

ହେବ ଶ୍ରେଷ୍ଠ ସମର୍ପଣ

ନୂଆ ବର୍ଷରେ ସଂକଳ୍ପ 

ଶୂନ ରାତିର ତାତିରେ ବିକଳ୍ପ

ପାଣି ଫୋଟକା ପରି ଅର୍ପଣ ତର୍ପଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational