Win cash rewards worth Rs.45,000. Participate in "A Writing Contest with a TWIST".
Win cash rewards worth Rs.45,000. Participate in "A Writing Contest with a TWIST".

Diptimayee Biswal

Tragedy Thriller


3  

Diptimayee Biswal

Tragedy Thriller


ନିଦାଘ କବିତା

ନିଦାଘ କବିତା

1 min 161 1 min 161

ବାର୍ ବାର୍ ଖବର ଦେଲି

ସାଙ୍ଗସାଥୀ ହାତରେ,

ଫୋନ୍ କଲି,

ନେହୁରା ହେଲି

ଆ'ଫେରି ଆ'

କ'ଣ ପାଉଛୁ ସେଠି !

ଏଠି ଆମେ ଜଳୁଛୁ ।

ସିଝୁଚୁ ତୋ ନଥିବା ନିଆଁରେ ।

ତୁ ଆସିବୁ ବୋଲି

ଲୁଚେଇ ରଖିଚି ବାଡି ଆମ୍ବରୁ ଦି'ଟା

ଜାମୁ କୋଳି, ଖଜୁରି କୋଳିରୁ ଦିଅଣ୍ଡା ।

ପଣସରେ ତୋ ବାପ ହାତ ମରେଇ ଦଉନି

ତୁ ଭାରି ଭଲପାଉ ବୋଲି ।

ସବୁ ପାଚିବା ପାଚିବା ହେଲାଣି ।

ଆସିବୁ ଆସିବୁର ଆଶ୍ବାସନାରେ

ସବୁଥର ପରି ବେଳ ସରିଲାଣି ।

ପଡିଶା ଘର ବଗବୋଉ କହୁଥିଲା

ତା' ପୁଅ ଆସିଲେ

ଚାଳ ଦି' ବଖରା ଭାଙ୍ଗି ଛାତ କରିବ ।

ମୁଁ ବି କୋଉ କମ୍ କି

ତତେ ତଳେ ପକେଇନି

କହିଦେଇଚି ତୁ ଆସିଲେ 

ବାପ ସାଙ୍ଗରେ କାନ୍ଧ ମିଶେଇ 

ହଳ କରିବୁ, ସୁନା ଫଳେଇବୁ 

ଏ ଫଟା ମାଟିରେ ।

ପେଟ ଅପୋଷା ରହିବନି ।

ଆଉ ଫେରିବୁନି ସେ କିମିଆଁ କରା ପରଭୂଇଁ କି ।

କାଲି ରାତି ଅଧରେ ତୋ ବାପ 

କାନ୍ଦୁଥିଲା , ପଚାରିଲାରୁ କହୁଚି ଆଖି ବିନ୍ଧୁଚି ।

ମୁଁ ଜାଣିଚି ତୋ ବାଟ ଚାହିଁ ଚାହିଁ

ସେ ଆଖିରୁ ପାଣି ମଲାଣି,

ମତେ ମିଛ କହୁଚି ।

କୋଉଠୁ ଶୁଣି ଆଇଚି 

ତୁ କାଳେ ଯାଗାବାଡି କିଣିଲୁଣି ସେଇଠି

ଆଉ ଫେରିବୁନି ଏ ଅପନ୍ତରାକୁ

ସେଇଠି ସବୁ ସୁବିଧା, 

ଏଠି କିଛି ନାହିଁ ।

ସତ କହିଚୁ ଧନ

ମଶାଣୀକୁ ଗୋଡ କାଢିଥିବା

ବୁଢାବୁଢୀ ଦି'ଟା,

ବାପଅଜା ଅମଳର ଭିଟାମାଟି ଖଣ୍ଡକ ଛଡା

ଏଠି କିଛି ନାହିଁ ।

ବଜାରରେ ଢେର୍ ମିଳୁଚି 

ଆମ୍ବ ପଣସ, ଅଙ୍ଗୁର, ନାସ୍ପାତି ।

ତୋ ପକେଟ୍ ରେ ବି ଢେର୍ ପଇସା ।

ମୁଁ ଯାହା ବାୟାଣୀଟା

ଭାବୁଚି ତୁ ଆସିଲେ ବଦଳି ଯିବ ପାଣିପାଗ,

ଖୁସିର ବାଦଲ ଖଣ୍ଡେ ବର୍ଷିଯିବ ମୋ ଅଗଣାରେ ।

ଶାନ୍ତ ପଡିଯିବ ଏ ଦହଗଞ୍ଜିଆ ପୋଡା ମନ ।

କାଇଁ କୋଉଠି ହଉଚି ଯେ !

ଏବେ ବି ଏ ମଲା ଆଖି ଦି'ଟା

ପହଁରୁଚି ତୋ ଆସିବା ରାସ୍ତାରେ ।

ଏବେ ବି ଆମେ ଜଳୁଚୁ,

ସିଝୁଚୁ ତୋ ନ ଥିବା ନିଆଁରେ ।


Rate this content
Log in

More oriya poem from Diptimayee Biswal

Similar oriya poem from Tragedy