ଦେବୀମାନଙ୍କର ମୃତ୍ୟୁ ନଥାଏ
ଦେବୀମାନଙ୍କର ମୃତ୍ୟୁ ନଥାଏ
ଶିଳାରୁ ଶିବ ହେବା ଭାଗ୍ୟର କଥା ,
ହେଲେ ସବୁ ଶିଳାର ଭାଗ୍ୟରେ
ସେ ଯୋର୍ ନଥାଏ ।
ସବୁ ଦୁହିତା ଦେବୀ ହୁଅନ୍ତିନି,
ଦେବୀ ହେବାର ପଥରେ
ସମସ୍ତେ ଚାଲି ପାରନ୍ତିନି ।
ଦେବୀର ପଥ କାଳେ କାଳେ ଦୁର୍ଗମ,ଦୁର୍ଭେଦ୍ୟ ।
ସେ ପଥର ପଥୀ ହେବାକୁ
ସବୁ ପାଦରେ ଯୋର୍ ନଥାଏ ।
ଦେବୀଟିଏ ଦେଖିବାକୁ କେମିତି !
କଳା ମୁଗୁନି ପଥରରେ
କେଉଁ ଦେବତାର ନିହାଣ ସ୍ପର୍ଶ କି !
ନିହାଣ ଗଢିପାରେ କି ଦେବୀ !
ଅବା ଦେବୀ ନିଜେ ହିଁ ନିଜକୁ ଗଢେ !
ଦେବୀ ହସିଲେ
ମୋତି ଝରେନା,
ବିଜୁଳି ଚମକେ ଆକାଶରେ ।
ଦେବୀ କଥା କହିଲେ,
ଫୁଲ ଫୁଟେନା,
ରଣସିଙ୍ଗା ବାଜେ ରୋଷେଇ ଘରେ ।
ଯାହା ସ୍ପର୍ଶରେ
ଦୂବ ଶକ୍ତ ହୁଏ,ଦାରୁ ପାଲଟେ ।
ଯାହା ହୁଙ୍କାର ରେ
ମହିଷାସୁର ଛାତି ଫାଟେ ।
ଜାଣିଛ କି ଏମିତି ଦେବୀଟିକୁ !
ଯିଏ ଓହ୍ଲାଇ ଥିଲା ଏଇ କଳିଙ୍ଗ ମାଟିରେ ।
ଯିଏ ବତୁରିଥିଲା ଏ ମାଟିର ଛାତିରେ ।
ସେ ରୋପିଥିଲା ବୀଜଟିଏ,
ଯାହା ଏବେ ......
ବାସ୍ତରୀ ବର୍ଷର ବଟବୃକ୍ଷ (ବାଜି ରାଉତ ଛାତ୍ରାବାସ) ।
ସେ ସାଉଁଟି ଆଣିଥିଲା
କିଛି ବଣ ଫୁଲ....
ଯାହା ଏବେ ମହ ମହ ଅତର ।
ଚିହ୍ନିଛ କି ସେ ଦେବୀକୁ !
ଯିଏ ମିନୁରୁ ତୋଫାନି
ତୋଫାନିରୁ ନୁମା ହେବାଯାଏ
ନିଜ ରାସ୍ତା ନିଜେ ତିଆରି ଥିଲା ।
ମୁଁ ହୁଏ ତ ଜାଣେ ତା'କୁ,
ସେ ମୋ ପଡିଶା ବାଡ଼ିର 'ମାଳତୀ '
ଯିଏ ମୋ ବଗିଚାକୁ ମହକାଇଥିଲା
ଆଜୀବନ ଖୁବ୍ ନିଜର କରି ।
'ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ' କହି
ସେ ବି ଦିନେ ଝାଉଁଳିଲା,
ମୁଁ ତାକୁ ପୋତିଦେଲି ଖୁବ୍ ଗହୀରରେ,
ଏବେ ସେ ମାଡିଯାଇଛି ମୋ ଲତାକୁଞ୍ଜରେ
ଫୁଟୁଛି ପେନ୍ଥା ପେନ୍ଥା,
କହୁଛି........
ଦେବୀ ମାନଙ୍କର ମୃତ୍ୟୁ ନଥାଏ ।।
(ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଶ୍ରୀମତୀ ମାଳତୀ ଚୌଧୁରୀଙ୍କ ଏକବିଂଶ ତମ ପୁଣ୍ୟ ତିଥି ଅବସରରେ ।)
©ଦୀପ୍ତିମୟୀ ବିଶ୍ବାଳ/୧୫.୩.୧୯