ମୋକ୍ଷ ମାର୍ଗ
ମୋକ୍ଷ ମାର୍ଗ
ତମେ କହିଲ, କାମନା ଛାଡ୍,
ସେଇଟା ଦୁଃଖର କାରଣ ;
ମୁଁ କାଳ ବିଳମ୍ବ ନକରି ତାକୁ ତେଜ୍ୟା କଲି ।
ତାପରେ ଵି ଦେଖିଲି ଦୁଃଖ
ମୋ ଚାରିପାଖରେ ବେଢିଛି ଅଜଗର ।
ତମେ କହିଲ, କର୍ମ କଷଣ ଦେହ ସହେ
ମୁଁ ମୋହ ତୁଟେଇଲି,
ଛି' କରିଦେଲି ସକଳ କର୍ମ
ତଥାପି ଦେଖୁଛି ......
କଷଣ ତୀବ୍ରରୁ ତୀବ୍ରତର ।
'କାମନାର ବିନାଶରେ ଦୁଃଖର ବିନାଶ'
ଏଇ ପଦକ ମୁଖସ୍ତ କରି କରି
ଜୀବନ ସରିବାକୁ ଅଳ୍ପ ବାକି,
ଅଥଚ ଦୁଃଖର ପାଖେ ପାଖେ
କାମନାର ପକ୍ଷୀ
ବସା ବାନ୍ଧିବାର ଦେଖୁଛି ଅନଵରତ ।
ଛୋଟ ମଗଜରେ ତମ ବଡ଼ତୁଣ୍ଡରକଥା
ବୁଝିପାରିଲିନି ଏଯାଏ ।
ତମ ମୋକ୍ଷ, ନିର୍ବାଣ ସହ
ସମ୍ପର୍କ ଗଢିପାରିଲିନି ଏ ଯାଏ ।
ମୁଁ ବୁଝିଛି ମୋ ରୋଜଗାରକୁ
ଚାହିଁଵସିଥିବା ମୋ ପରିବାର ମୋର ସଂଘ ,
ତାଙ୍କ ପେଟକୁ ଦାନା ଯୋଗେଇବା ମୋ ଧର୍ମ,
ସମସ୍ତଙ୍କ ପେଟ ପୂରିଲେ
ମୋର ଯେଉଁ ଆନନ୍ଦ,
ତା' ହିଁ ମୋର ବୁଦ୍ଧତ୍ବ ।
ସ୍ତ୍ରୀ, ସନ୍ତାନକୁ ମଝି ଦାଣ୍ଡରେ
ହନ୍ତସନ୍ତ ହେବାକୁ ଛାଡିଦେଇ
କେମିତି ଶରଣାପନ୍ନ ହୋଇଥାଆନ୍ତି କହିଲ...
ତମ ମୋକ୍ଷ, ନିର୍ବାଣର !
ତମେ କହିବ.....
ମାୟା ମୋହରେ
ଘାରିହେଉଛି ଜୀବ ।
ମୋହ ତୁଟିଲେ
କାମନା ଆପେ ଛାଡିବ ,
ଖୋଲିଯିଵ ମୁକ୍ତି ମାର୍ଗ ।
ମୋର କିନ୍ତୁ ...
ମୁକ୍ତି ଲୋଡ଼ା ନାହିଁ ଗୌତମ,
ଜରାରୁ,ବାର୍ଦ୍ଧକ୍ୟରୁ
କି ଜନ୍ମ ମୃତ୍ୟୁର ବନ୍ଧନରୁ ।
ଅନୁଭବ କରିଚି,
ଭୟ ହିଁ ବନ୍ଧନ ।
ଜରାର ଭୟ,ବାର୍ଦ୍ଧକ୍ୟର ଭୟ,
ମୃତ୍ୟୁର ଭୟରେ
କବଳିତ ଏ ଜୀବନ ।
ଭୟ ତୁଟିଲେ ଜୀବନ ସହଜ,
ତା'ପରେ .....
ମୋକ୍ଷ ଆଉ କେତେ ବାଟ କି !