ତିନିପାଦ ଭୂମି
ତିନିପାଦ ଭୂମି
ପ୍ରଥମ ପାଦରେ ଈଶ୍ବରଙ୍କଠାରୁ
ମାଗିନେଇଥିଲି ଯେଉଁ ମାଟି ଚାଖଣ୍ଡକ,
ସେଇଟିକୁ ଥୋକାଏ ମୋ ଘର କହିଲେ ତ
ଥୋକାଏ ସାହି ଵୋଲି କହିଲେ ।
ପୁଣି କେହି କେହି ସେଇ ଖଣ୍ଡକୁ
ମୋ ଗାଁ, ରାଜ୍ୟ,ରାଷ୍ଟ୍ର ,
ମୋ ମାଆ ବୋଲି ବି କହିଲେ ।
ମୁଁ ସେତେବେଳେ ବି ନିର୍ବାକ୍ ଥିଲି
ଏବେ ବି ନିର୍ବାକ୍ ।
ଏଇଠି ଭେଟିଲି
ଆଲୋକ ଅନ୍ଧାର,ସୁଖଦୁଃଖ
ମଞ୍ଜ ଥରା ଶୀତ, ଦୃପ୍ତ ବୈଶାଖ ।
ଏଇଠି ହିଁ ଅନୁଭବ କଲି
କେଡ଼େ କ୍ଷୁଦ୍ର ମୁଁ !
କେଡ଼େ କ୍ଷୁଦ୍ର ମୋର ଅବୟବ ।
ଏଇଠି ଜୀବନର ଆକର୍ଷଣ,
ଏଇଠି ମୃତ୍ୟୁର ମହାକର୍ଷଣ ।
ଏଇଠି ସମ୍ପର୍କରେ ଅମୃତର ସ୍ବାଦ,
ପୁଣି ଗରଳ,କରାଳ ବିଷାକ୍ତ ।
ଦ୍ବିତୀୟ ପାଦରେ ସ୍ବର୍ଗ ବୋଲି
ଆଖି ବୁଜି ଯେଉଁଠି ପାଦ ଥାପିଦେଲି
ଚାହିଁଲା ବେଳକୁ
ସ୍ବର୍ଗ ନାମରେ,ମୋ ପାଦତଳେ
ଏ ମାଟିକୁ ପାଇଲି ।
ଏଇଠି ମଥା ଉପରେ
ତେତିଶ କୋଟି ଦେବତାଙ୍କ ଆଶିର୍ବାଦ ।
ଏଇଠି ପାରିଜାତ, ଐରାବତ,
ନନ୍ଦନବନର ଅନିର୍ବଚନୀୟ ଆନନ୍ଦ ।
ଏ ସ୍ବର୍ଗ ମୋତେ ଆଶ୍ରୟ ଦେଲା,
ମୋତେ ମୁଁ ବୋଲି ପରିଚୟ ଦେଲା ।
ଏଇ ସ୍ବର୍ଗଟିର ସୁରକ୍ଷା ପାଇଁ
କେତେବେଳେ ନିଜକୁ ଆହୁତି ଦେଲି,
ତ ପୁଣି କେତେବେଳେ
ନରମେଧ ଯଜ୍ଞ ଭିଆଇଲି ।
ତୃତୀୟ ପାଦରେ
କିଛି ମାଗିବାକୁ ହୁଏତ ନଥିଲା ।
ତଥାପି ତିନିପାଦ ଭୂମି
ନେବାର ତ ଥିଲା ।
ଅନିଚ୍ଛାରେ ଶେଷ ପାଦ
ରଖିଲି ଯେଉଁଠି, ଆଶ୍ଚର୍ଯ୍ୟ !
ସେ ବି ଏଇ ମାଟି ପରେ
ଶିବଲୋକ ଥିଲା ।
ନିଜକୁ ସମର୍ପି ଦେଲି
ନତଜାନୁ,ଗଳବସ୍ତ୍ର,ଯୋଡ଼ହସ୍ତ ହୋଇ ।
ମାଗିନେଲି ଏଇ ମାଟି ହେଉ
ଶେଷ ଶଯ୍ୟା ମୋର,
ଏ ମାଟିରେ ଜଳୁ ମୋର ଦେହ,
ଜଳିଯାଉ କାମନାର ଜୁଇ ।।