କଣ୍ଟା
କଣ୍ଟା
କଣ୍ଟାଟିଏ କାନ୍ଥରେ ଥିଲା ବୋଲି
ଝୁଲୁଥିଲା ଖୁସିଟିଏ
ଜହ୍ନର, ଜ୍ୟୋତ୍ସ୍ନାର,
ଖରା,ବର୍ଷା,ଶୀତ,ବସନ୍ତର ।
ସମୟ ବି ଦୋଳି ଖେଳୁଥିଲା ତାଆରି କାନ୍ଧରେ ।
କଣ୍ଟାଟିଏ ଥିଲା ବୋଲି
କାନ୍ଥ ହସୁଥିଲା ରଙ୍ଗୀନ୍ ହସ,
ବେଳେବେଳେ ମୁହଁ ଲୁଚାଉଥିଲା
ଅଭିମାନରେ ଚିରା ସାର୍ଟ ପଛରେ
ତ ବେଳେବେଳେ ଫୁଲି ଫୁଲି ଫାଟୁଥିଲା
ମିଠା ଦରଜରେ ।
ହଠାତ୍ କେମିତି ମୋହ ତୁଟେଇ
ହାଣ୍ଡିଚୁଲି ଅଲଗା କରିବା ଜିଦ୍ ରେ
କାନ୍ଥରୁ ଖସିପଡିଲା କଣ୍ଟା ।
ଏବେ ତ କଣ୍ଟା ଯାଗାରେ
ଆସ୍ଥାନ ଜମେଇଚି କଣାଟିଏ ।
ଟୋପେ ପାଣି,ଟିପେ ସିମେଣ୍ଟରେ
କଣା ବନ୍ଦ କରିବାର ସବୁ ଚେଷ୍ଟା ବ୍ୟର୍ଥ ।
ନୂଆ କଣ୍ଟା ବି କୋଉଠି ଭେଦିପାରୁଚି
ମାଟିରୁ ପଥର ପାଲଟିଥିବା ଛାତି !
ଏବେ ତ ରହି ରହି ଦରଜଟିଏ ଉଠେ
କେତେବେଳେ ଅତୀତ ହାତୁଡି ବାଡାଏ
ତ କେତେବେଳେ ଅନାମଧେୟ କୀଟଟିଏ
କୋରିଖାଏ ହୃଦୟ ।
କାନ୍ଥ ହସେ ...।
ସ୍ବଗତୋକ୍ତି କରେ.....
ଏ ପୀଡାରୁ ମୁକ୍ତି ...... !
କିଏ ଚାହେଁ .....!!