ଅନ୍ତଃ ବିଳାପ
ଅନ୍ତଃ ବିଳାପ
ପ୍ରେମର ପୁଷ୍ପରୁ ବିଶ୍ୱାସ ସୁରଭି
ମହକାଏ ଜୀବନକୁ
ମାତୃତ୍ଵର ମଞି ବୁଣିଦିଏ ସାଥୀ
ସମର୍ପି ଦେଇ ନିଜକୁ।
ସେ ମଞିରେ ସିଞ୍ଚି ବାତ୍ସଲ୍ୟ ମମତା
ସୁରକ୍ଷା ରବି କିରଣେ
ଅତି ଯତନରେ ବଢାଇ ବୃକ୍ଷ ଟେ
ସୃଷ୍ଟି ତା'ଯେଉଁ କାରଣେ।
ସେ କାରଣ ଅଟେ ଛାୟା ଫଳ ପୁଷ୍ପ
ଜୀବନ ଧାରଣ ଲାଗି
ଫଳ ପୁଷ୍ପ ଛାୟା ନ ପାଇ ପାରିଲେ
ରୋପଣ କାରୀ ଅଭାଗୀ।
ନ ଦେଲେ ନ ଦେଉ ଫଳ ପୁଷ୍ପ ଛାୟା
ଶାଖା ବା ଶିଖରେ ଯଦି
ବସା ଟିଏ ସେହି ଧାରଣେ ସମର୍ଥ
ତୋଷ ହୁଏ ମନ ବୁଦ୍ଧି।
ନୋହିଲେ ହୁଅଇ ଅକାରଣ ଶ୍ରମ
ଲୋକହସା ଜଗତରେ
ଅସହାୟ ପ୍ରାଣ ଅନ୍ତଃ ବିଳାପକୁ
ବୁଝେ କିଏ ଏ ସଂସାରେ।
