ତୁମେ ହିଁ ମୋ ଭାବବନ୍ଧୁ
ତୁମେ ହିଁ ମୋ ଭାବବନ୍ଧୁ
ପ୍ରାତଃ ବନ୍ଦନାରେ ସନ୍ଧ୍ୟା ଆଳତିରେ
କର୍ମକାରଣରେ ତୁମେ
ତୁମରି ଭକ୍ତିର ରାଗିଣୀ ଗାଇ ମୁଁ
ବଞ୍ଚିଅଛି ଏଇଧାମେ।
ତୁମରି ଚରଣେ ଶରଣାପନ୍ନ ମୁଁ
ତୁମେ ହିଁ ମୋ ଭାବବନ୍ଧୁ
ତୁମରି ସାଥିରେ ଭାବ ଲଗେଇ ମୁଁ
ପାରି ହେବି ଭବସିନ୍ଧୁ।
ତୁମେ ଯେବେ ପ୍ରଭୁ ହୋଇବ ମଉନ
ନିରାଶେ ଝାଉଁଳିଯିବି
ତଥାପି ତୁମର ନାମ ଭଜି ଭଜି
ଏ ଦୁନିଆ ଛାଡିଯିବି।
ତୁମେ ଶେଷ ଲକ୍ଷ୍ୟ ତୁମେ ହିଁ ଆରମ୍ଭ
ତୁମେ ହିଁ ମୋର ଭରସା
ଭରସା ତେଲ ରେ ଆଶା ଦୀପ ଜାଳି
ହଟାଏ ଘୋର ତମସା।
ତୁମେ ହିଁ ଭକତ ଶକତି ସମ୍ପଦ
ତୁମେ ହିଁ ତାହାର ଟାଣ
ତୁମେ ନ ବୁଝିଲେ ଭକ୍ତ ମନ କଥା
ରହିବ କି ପ୍ରଭୁପଣ ?