ହରି ଶ୍ରଦ୍ଧା ହରେ ଭବ ବାଧା
ହରି ଶ୍ରଦ୍ଧା ହରେ ଭବ ବାଧା


ଶ୍ରଦ୍ଧା ରେ ନଥାଏ ଦେବା ନେବା କଥା
ନ ଥାଏ ସ୍ଵାର୍ଥର ଛାଇ
ଶ୍ରଦ୍ଧା ତ ଅଟଇ ଅମୂଲ୍ୟ କୁସୁମ
ହରି ମନ ନିଏ ହରି ।
ଶ୍ରଦ୍ଧାର କୁସୁମ ହରିଙ୍କୁ ଅର୍ପିଲେ
ଭବ ଭାବୁ ମୁକ୍ତି ମିଳେ
ଭାବ ଥିଲେ ନର ଭବ ପାର ହୁଏ
ଅନୁଭବେ ପ୍ରଭୁ ମିଳେ ।
ଶ୍ରଦ୍ଧାର କୁସୁମେ ଶବରୀ ପ୍ରତୀକ୍ଷା
ହରି ଦର୍ଶନ କରାଏ
ଶ୍ରଦ୍ଧାରେ ବିହ୍ଵଳ ପ୍ରଭୁ ଚକ୍ରଧର
ଶବରୀ ଅଇଁଠା ଖାଏ ।
ଶ୍ରଦ୍ଧାରେ କୈବର୍ତ୍ତ ପାଦ ଧୋଇ ଦେଇ
ପାଦଦୋକ ଟେକି ନିଏ
ସାରା ପରିବାର ଭବ ବାଧା ଏଡି
ପ୍ରଭୁଙ୍କ ଆଶିଷ ପାଏ ।
ଶ୍ରଦ୍ଧାରେ ଶ୍ରଦ୍ଧାରେ ଧ୍ରୁବ ପ୍ରହଲ୍ଲାଦ
ଭବ ବନ୍ଧନ ରୁ ମୁକ୍ତ
ଶ୍ରଦ୍ଧା ଭକ୍ତି ଆଉ ଆତ୍ମ ସମର୍ପଣେ
ପିତା ମାତେ ଦେଲେ ମୋକ୍ଷ ।
ହରି ପାଦେ ଶ୍ରଦ୍ଧା ଭବ ମୟ ବାଧା
ପାରି ହୋଇଲେ ସୁଦାମା
ଅସୀମ ଶ୍ରଦ୍ଧା ରେ ଶ୍ରେଷ୍ଠ ବନ୍ଧୁ ଭାବେ
ଜଗତେ ରହିଲା ନାଆଁ ।
କୃଷ୍ଣା ଙ୍କ ଶ୍ରଦ୍ଧାରେ ମୋହନ ବନ୍ଧିତ
ଭବ ବାଧା ଦୂର କଲେ
କୋଟି ବସ୍ତ୍ର ଦେଇ କୃଷ୍ଣାଙ୍କ ଶ୍ରଦ୍ଧାକୁ
ଉଦାହରଣ କରିଲେ ।
ଶ୍ରଦ୍ଧାର କୁସୁମେ ହରି ଯେ ମୋହିତ
ଭବ ବାଧା
ହରି ନିଏ
ଆମ ସଂସ୍କୃତିର ପତରେ ପତରେ
ଶ୍ରଦ୍ଧା ମଧୁ ଝୁରୁଥାଏ ।
ଶ୍ରଦ୍ଧା ବିରହିତ ପୂଜା ପୂଜା ନୁହେଁ
ଅଟେ ନିଜକୁ ଠକିବା
ଶ୍ରଦ୍ଧା ଯୁକ୍ତ ପତ୍ର ପୁଷ୍ପରେ ସନ୍ତୁଷ୍ଟ
ନ ଚାହାନ୍ତି ହରି ସେବା ।
ଭକ୍ତ ସାଲବେଗ,ବଳରାମ ଦାସ଼,
ଅବା ଦାସୀଆ ବାଉରୀ
ଶ୍ରୀ ଚୈତନ୍ୟ ଦେବ , ଜଗନ୍ନାଥ ଦାସ
ସଭିଏଁ ତ ଶ୍ରଦ୍ଧାଚାରୀ ।
ଶ୍ରଦ୍ଧା ହୀନ ଭକ୍ତି ମିଳେ ନାହିଁ ମୁକ୍ତି
ଭବ ସାଗରରେ ବନ୍ଦୀ
ଜୀବନ ହୁଅଇ ଛଟ ପଟ ଖାଲି
ମିଳେନି ମୁକ୍ତିର ଫନ୍ଦି ।
ହରିଙ୍କ ଚରଣେ ଶ୍ରଦ୍ଧାର ସୁମନ
ଢାଳିବା ଆମର କାମ୍ୟ
ସେ ଶ୍ରଦ୍ଧା ହେବ ଯେ ଆଲୋକର ପଥ
ଜୀବନ ହୋଇବ ଧନ୍ୟ ।
ଶ୍ରଦ୍ଧାର ସୁମନ ଦେଇ ଦେ ରେ ମନ
ଶ୍ରୀହରି ଚରଣ ତଳେ
ଜୀବନ ସାର୍ଥକ ହୋଇ ଯିବ ପରା
ପ୍ରଭୁଙ୍କ ଅନୁଭବରେ ।
ଏ ଭବ ଭୂମିର ବାଧା ବିଘ୍ନ ସବୁ
ତ୍ଵରିତେ ଉଭେଇ ଯିବ
ପ୍ରଭୁ ମୟ ହେବ ମଣିଷ ଜୀବନ
ପ୍ରଭୁଙ୍କୁ ଖୁସୀ ମିଳିବ ।
ଶ୍ରଦ୍ଧାର ସୂତ୍ରରେ ଆତ୍ମା ପରମାତ୍ମା
ଏକାକାର ହୋଇ ଯିବେ
ଭବ ବାଧା ସବୁ ଅପସରି ଯିବ
ଶାନ୍ତି ଆତ୍ମାକୁ ଘେରିବେ ।