ଅନ୍ଧାରର ଲୁହ
ଅନ୍ଧାରର ଲୁହ
ତୁମେ ଦେଖିପାରିବନି ଲୁହକୁ ମୋର
ଏତେ ସହଜରେ
ମୁଁ ବସିଛି କବିତାର ଅନ୍ଧାରରେ I
ନିରିଖେଇ ଦେଖ
ଦିଶୁଛି କି ତାରାଙ୍କର ପ୍ରତିବିମ୍ବ
ଏଇଠି କୋଉଠି ପାଖରେ
ଯୁଆଡ଼ୁ ଆସୁଛି ଏ କବିତାର ଶବ୍ଦ I
ତୁମେ କୁଆଡେ ଯିବା ଦରକାର ନାହିଁ
ସେଇଠି ଠିଆ ହୁଅ
ମେଞ୍ଚେ କବିତା ଭିଜା ପବନ
ତୁମକୁ ଛୁଇଁବ ଖୁବ ଶୀଘ୍ର I
ନାଁ, ସେ ମୋର କୋହ
କବିତାର ଯୁଦ୍ଧରେ ହାରି
ଲିଭିଥିବା ପ୍ରଦୀପ ଶିଖାର ଆତ୍ମଗାଥା
କେବଳ ଅନ୍ଧାରରେ ଶୁଣାଯାଏ I
ଦିଶିଲା ଏଥର, ତାରା ଭରା
କଳା ମଖମଲି ଆକାଶ?
ନାଁ, ପୋଛନି ତାକୁ
ନୀରବରେ ଝରିଯିବାକୁ ଦିଅ
କବିତାର ସମୁଦ୍ରରେ ମିଶିଯିବା ପାଇଁ I
ହାତ ଯୋଡି ଠାକୁରଙ୍କୁ ଡାକ
ଯୋଉଠି ବି ରହୁ
ଦୁଷ୍ପ୍ରାପ୍ୟ ସୁଖରେ ଥାଉ
ଝଟକୁ ଥାଉ କୋହିନୁର ପରି
କବିତାର ଏ ଘୋର ପ୍ରଳୟ କାଳରେ I
