ଅନ୍ଧା କାନୁନ୍
ଅନ୍ଧା କାନୁନ୍
ଏ ଦୁନିଆ କାହିଁକି ଆଜି
ମୋ ଦେହରେ ଏତେ କଳଙ୍କ
କାହିଁକି ନାହିଁ ସେହି ଧୋବ ଧୋବଳିଆ
ବାବୁ ମାନଙ୍କ ଦେହରେ
ଯେଉଁ ମାନେ ସଂଧ୍ୟା ହେଉ ହେଉ
ମୁହଁ ରେ ମଫଲର୍ ଗୋଡ଼ାଇ
ମୋ ଘର ଆଡେ ଧାମ୍ପୁଡେଉ ଥିଲେ।
ମୋତେ ଗଣ୍ଡେ ଶାନ୍ତି ରେ
ଖୁଆଇ ପିଆଇ ଦେଉ ନ ଥିଲେ
ସେ କାଳେ ମୋ ଡାକରା ପାଇବା
ପାଇଁ ଅନେକ ଦିନରୁ
ଅନିଦ୍ରା ଆଉ ଉଜାଗର ରେ
ରାତ୍ରୀ ଯାପନ କରୁଥିଲେ।
ତାଙ୍କୁ ଭୋକ ଶୋଷ ହେଉ ନ ଥିଲା
ସେ ଶାନ୍ତି ରେ କାମ କରି ପାରୁ ନ ଥିଲେ।
ଆଜି ମୋ ଡାକରା ପାଇ
ଆଉ କାଳ ବିଳମ୍ବ ନ କରି
ଧାଇଁ ଆସିଛନ୍ତି ମୋ ଉଆସକୁ।
ଶହେ ଥର କହିଛି ମୋତେ
ବ୍ୟାଙ୍କ ଆକାଉଣ୍ଟ ରେ ପଇସା ଦିଅ
ନାଁ ଆମେ ଧରା ପଡିଯିବୁ ନଗଦ ଦେଲେ।
ତୁ ଏଇ ଆଟାଚ ଟା ନେ
ହଁ ମୁଁ କହିଥିଲି ବ୍ୟାଙ୍କ ରେ ଯେତିକି ନେବି
ତା ର ପଚାଶ ପ୍ରତିଶତ ଅଧିକ
ନଗଦରେ ନେବି।
କଣ ଭୁଲ ରହିଲା ମୋର?
କିଏ କେତେ ଉପାୟରେ ପଇସା କମାଉଛି
ଆମେ ସ୍ବାମୀ ସ୍ତ୍ରୀ ଆପୋଷ ବୁଝାମଣା ରେ
ଏ ପନ୍ଥା ଆପଣାଇ ଥିଲୁ।
ମୋ ଦେହର ଉଜ୍ଜ୍ୱଳ ତାତି
ତାଙ୍କୁ ଜାଳି ପୋଡ଼ି ପାଉଁଶର ସ୍ତୁପ
ବନାଇ ଦେଉଥିଲା।
ସକାଳ ର ସୂର୍ଯ୍ୟ କିରଣ ମୋତେ
ପୁଣି ଧୋଇ ଧାଇ ଶୁଦ୍ଧ ପୁତ କରିଦେଉଥିଲା।
ଆମେ ଦମ୍ପତି ଖୁସିରେ ଦିବସ ଯାପନ କରୁଥିଲୁ।
କିନ୍ତୁ ଯେଉଁ ମାନେ ସୂର୍ଯ୍ୟ ଙ୍କୁ ଡରି
ମୁହଁ ଲୁଚାଇ ଯାଇଥାନ୍ତି
ସେମାନେ କେମିତି ପବିତ୍ର ହୁଅନ୍ତି
ତାଙ୍କ ବେକରେ ପବିତ୍ର ଫୁଲ ହାର
କେମିତି ଲୋକ ମାନେ ପକାନ୍ତି
ଆଉ କେମିତି ସେମାନେ ପବିତ୍ର ହୋଇଯାନ୍ତି।
ଆଜି ଜେଲ୍ ଭିତରେ ସ୍ବାମୀ ସ୍ତ୍ରୀ ଆମେ
ଗଳା ଫଟାଇ ସେମାନଙ୍କ ନାମ
ଇଡି ଆଗରେ କହିଲେ ବି
କାହିଁକି ସେମାନେ ଖୁଲମ ଖୁଲା
ଘୁରି ବୁଲୁଛନ୍ତି,ଆମେ କେମିତି
ତାହାହେଲେ ନାଗ ସାପ ସାଜି
ସମସ୍ତଙ୍କ ପଛରେ ଗୋଡ଼େଇ ଗୋଡ଼େଇ
ସମସ୍ତଙ୍କୁ ଦଂଶନ କରିପକାଇଲୁ।
ଧନ୍ୟ ରେ ତୁ ଦୁନିଆ,ଆଉ
ଧନ୍ୟ ତୋର ଅନ୍ଧ ଆଇନ୍ କାନୁନ୍।