କବିତା - ଅମୃତାୟନ
ରଚନା - ପଞ୍ଚାନନ ଜେନା
ତାରିଖ -୧୧-୦୬-୨୦୨୫
ଆସନ୍ତେ ଶନିବାର
ଷ୍ଟାଫ୍ ରୁମରେ ଦେଖେ ସମୀର ସାର୍
ମୋର ଜଣେ କୁଶଳ ସହକର୍ମୀ
ସ୍ନାତକୋତ୍ତର ଶିକ୍ଷକ ବାଣିଜ୍ୟ
ହେଲେ ହେଁ ମିଷ୍ଟଭାଷୀ ବାଗ୍ମୀ
ଭିନ୍ନ ଏକ ରୂପରେ
ଭିନ୍ନ ଏକ ପରିଧିରେ
ଭିନ୍ନ ଏକ ନିମଗ୍ନ ଗୋଲାର୍ଦ୍ଧରେ
ଭିତରେ ଭିତରେ ଖୁସି
ବାରିପଡ଼େ ଝଡିପଡ଼େ
ଦିଏ ଫକ୍ ଫକ୍ ଖଣ୍ଡିଉଡ଼ା
କେହି ଜଣେ ସତରେ ଅପେକ୍ଷମାଣ
ଅନ୍ତ ହେବ ପୁଞ୍ଜିଭୂତ ପିଡ଼ା
ଆଜି କୋଳିଅଠା ଘରକୁ ଫେରିବେ ବୋଲି
ସବୁ ଚଳ ଚଞ୍ଚଳ
ସମୟ ଆକାଶ ପୃଥିବୀ ତୋଟାମାଳ
ରାସ୍ତାଘାଟ ଫୁଲଗଛ ଖୁସିରେ ପାଗଳ
ମାଙ୍କଡ଼ ଦଳ ବି ଆଜି ନିସ୍ତେଜ
କରୁ ନାହାନ୍ତି କିଛି ଗୋଳମାଳ
ଭଟ୍ଟା ପଡ଼ିଥିବା ଜୀବନ ଭର୍ମିରେ
ଘନ ଘନ ତରଙ୍ଗ ଫେନିଳ ଉତ୍ତାଳ
ସୋମବାରରୁ ଶୁକ୍ରବାର
ପାଞ୍ଚଦିନ
ସମୀର ସାର୍ ଲାଗନ୍ତି ପୂରା ମାନ୍ଦା
ଗୁମ୍ ସୁମ୍ ଧରାବନ୍ଧା
ଆଜି ଘରକୁ ଫେରିବେ ବୋଲି
ସୁଗନ୍ଧ ବାରିହୁଏ
ପ୍ରତି ପଦପାତରେ କାମଧନ୍ଦା
ଅତି ନିକଟରୁ ଏହି ଚରିତ୍ର ଚିତ୍ରଣ
ସମୀକ୍ଷା କରୁଥାଏ ସପ୍ତାହ ବ୍ୟାପି
ମାତ୍ର ସପ୍ତାହ ଅନ୍ତ ହେବା ବେଳକୁ
ଦେଖିପାରେ ଅଫୁରନ୍ତ ଉତ୍ସବାପି
ସମଗ୍ର ବ୍ୟକ୍ତିସଭାରେ ଡେଣା
ପୂରା ଉଦ୍ଭାସିତ ଠିକଣା
ଆମୂଳ ଚୂଳ ପରିବର୍ତ୍ତିତ ସତ୍ତା ସଣ୍ଠଣା
ଜାଣିପାରେ ପୁରୁଷ ପଣର ଭାବ ରଙ୍ଗ
ଆଉ ଭାବନା ତରଙ୍ଗର
ଭନ୍ଦ୍ରଧନୁସୀ ଉମଙ୍ଗ
ସେ ସବୁ ସ୍ମରଣେ ସ୍ଫୁରଣେ
ମୁଁ ବି ଆପେ ଆପେ ହସି ପକାଏ
ଅଜାଣତରେ କେତେ ଥର
ମୁରୁକି ଦିଏ
ପୁଣି ଏପଟ ସେପଟ ଦେଖି ନେଇ
ଜିଭ କାମୁଡି ପକାଏ
ରଙ୍ଗ ରସରେ ଜୁଡୁବୁଡୁ ସର୍ବାଙ୍ଗ
କାରଣ
ମୁଁ ଜାଣିଛି
ସମୀର ସାରେ ତାଙ୍କ ଗାଁକୁ ଯିବେ
ମୋ ଘରକୁ ନୁହଁ
ମୁଁ ଜାଣି ସାରିଛି
ସାରେ ଚାହିଁ ବସିଥିବା ଚକୋରୀ ପାଖକୁ ଯିବେ
ମୋ ପାଖକୁ ନୁହଁ
ତଥାପି
ସେହି ସବୁ ସୁନେଲି ରୂପେଲି କ୍ଷଣକୁ
ଭାବିବାରେ ବି ଗୋଟେ ମଜା
ମନେ ମନେ ଗୁଣୁଗୁଣେଇବା ଭିଣିଭିଣେଇବାରେ ବି ଗୋଟେ ଖାଇବା ଖଜା
ଭିତରେ ଭିତରେ ଉଲ୍ଲସିତ ହେବା ବି ଗୋଟେ ଅନୁଭବ ତାଜା
ଆଖି ବନ୍ଦ କରି ଶାଢୀ ଭିତରେ ଭିଡିବାରେ ବି
ଗୋଟେ ଖଟାମିଠା ବାରମଜା
କ୍ଷଣ କ୍ଷଣରେ ଅନୁକ୍ଷଣ
ବିନ୍ଦୁ ବିନ୍ଦୁରେ ସିନ୍ଧୁପଣ
ଗୋଟେଇ ପାରିଲେ ସେହି ଅମୃତ କଣ
ଖୁସି ଘର କରିବ ମନରେ
ହସ ବନ୍ଧୁ ବାନ୍ଧିବ ହୃଦରେ
ବାଣ୍ଟି ପାରିଲେ କିଛି ଖାଣ୍ଟି ତିଅଣ
ଜଞ୍ଜାଳ ଭିତରେ ଅମୃତାୟନ ଜୀବନପ୍ରାଣ