ଅଦୃଶ୍ୟ ଅବଶୋଷ
ଅଦୃଶ୍ୟ ଅବଶୋଷ
ମଥାନର ମଲାଟରେ କେଉଁଦିନୁ ମରିଗଲାଣି ଜହ୍ନ
ଏବେ ଏବେ ସନ୍ଦେହ ନେଇଛି ସନ୍ୟାସ,
ଅଳନ୍ଧୁଲଗା ଆଖିର କୋଣରେ
ବାରିହେଇପଡୁଛି ଅଦୃଶ୍ୟ ଅବଶୋଷ'ର ପଂକ୍ତି,
ତଥାପି ବି ବିଷାଦର ବୃତ୍ତ ଚାରିପାଖେ
ଯନ୍ତ୍ରଣାର ଜଞ୍ଜିରକୁ ଵୋକ ଦେଇ !
କୋଳେଇ ନେଇଛି -
କେହିଜଣେ ଅଷ୍ଟମୀ ତିଥିରେ ।
ଏବେ ଭୋକରେ ଭଉଁରୀ
ଶୋଷରେ ଶୂନ୍ୟତା
ଆଉ ନିଦ୍ରାରେ ନରକ,
ଛାତିର ଛାଇରେ ଖାଲି -
ନିଛାଟିଆ ଚଇତିର ଅହରହ ଡାକ,
ବେଦନାର ବୁଭୁକ୍ଷୁ ପ୍ରାନ୍ତରେ
ଦୁଃଖଭର୍ତ୍ତି ସିନ୍ଥିର ସନ୍ତକ,
ଆଉ କେତେ ବାଟ ଅଛି କିଏ ବା କହିବ
ଫେରିବାକୁ ପଛକୁ ପଛକୁ ।
ଦେଖ, ଆକାଶରେ ଆହୁଲା ମାରୁଛି
ଉଦାସୀ ପଉଷ ସଂଜେ
ଜଳନ୍ତା ଜରାୟୁ !
କାକରର କବରୀରେ ଥୋଇ
ଦରଫୁଟା ଶୋକର ଏଲିଜି,
କୋକେଇରେ ବାନ୍ଧୁଅଛି ଛ ଖଣ୍ଡ କାଠର ଭାଗ୍ୟକୁ
ଜାଣେନା ସେ ଘାଟ ପାଖେ -
ଡ଼ଙ୍ଗା ଆଉ ଥିବ କି ନଥିବ !!!
ନିଶ୍ୱାସର ଛାଇରେ ଝୁଲୁଛି
ସୂର୍ଯ୍ୟାସ୍ତର ରଙ୍ଗ -
ବିଶ୍ୱାସକୁ ପଛରେ ପକାଇ,
କେମିତି ପାରିବ ଜାଣି ଯାତନାର ଯଜ୍ଞ କୁଣ୍ଡେ
କେତେଦିନ ହେବ ଆଉ ଘାଣ୍ଟି
ଅଧାଗଢ଼ା ହୃଦୟର ଅବ୍ୟକ୍ତ ସୂଚୀରେ
ପାଇବାକୁ କୃତଘ୍ନ ତାଲିକା ।
ହଜିବାର ଇଚ୍ଛାନେଇ ହଜି ସେ ପାରୁନି
ଖୋଜିବାର ମାହେନ୍ଦ୍ର ବେଳାରେ,
ଦୁନିଆର ସାତସିଆଁ କନ୍ଥା ତଳେ
ଖାଲିଯାହା ନିରବି ଯାଇଛି -
ଦେବଦାସୀ ଘୁଙ୍ଗୁରର ସୁର,
ଏବେ ବି ସେ ନିର୍ବାସିତ ଜୀର୍ଣ୍ଣ ବେଦୀ ପରେ
ଦହନର ମଞ୍ଜିକୁ ଗୋଟାଇ ।