ଅଛୁଆଁ ନାରୀ
ଅଛୁଆଁ ନାରୀ
ମୁଁ ବହୁତ୍ ଛୋଟ ଥିଲି
ଦେଖିଲି ଦିନେ ମୋ ଦିଦିକୁ ଗୋଟେ
ଅଲଗା ଘରେ ରଖାଗଲା
ଆଉ ଖାଇବା ବି ଅଲଗା ଦିଆଗଲା
ପ୍ରତ୍ୟେକ ଦିନ ମନ୍ଦିର ଯାଉଥିଲା
ଆମ ପାଇଁ ହିଁ ଡାକୁଥିଲା
ତାକୁ ସେଦିନ ମନା କରାଗଲା
ହଜାରେ କଳି ହେଲେବି ସେ ମୋର ଜୀବନ ଥିଲା
ଏକାଠି ସବୁ କାମ କରୁଥିଲା
ଆଜି କଣ ପାଇଁ ଅଲଗା ହେଲା ।
ଦୌଡ଼ି ଦୌଡ଼ି ଗଲି
ଆଉ ପଚାରିଲି ଦିଦି ତୋର କଣ ହେଲା
ପେଟ କାଟୁଛି ଉତ୍ତର ଦେଲା
ତୁ ସାନ ପିଲା ବୁଝିବୁନି ବୋଲି କହିଲା
ପେଟ ଜୋରରେ କାଟୁଥିଲା
ସେ ବହୁତ୍ କାନ୍ଦୁଥିଲା
ମାଆ ରାଗିକି କହିଲେ
ଆମେ ବି ତ ସହିଛୁ
ତୁ ବି ଚୁପଚାପ ସହିଜା
ମୁଁ ଏଥିରେ ପ୍ରଶ୍ନ କଲି
କେହି ଉତ୍ତର ଦେଲେନି
ଆଉ କିଛି ସମୟ ପରେ କାନ୍ଦି କାନ୍ଦି ଶୋଇଗଲି
ସମୟ ବହୁତ ଅତିବାହିତ ହେଲା
ସେ ହିଁ ସବୁ ବୁଝେଇଦେଲା
ହଁ ମୁଁ ଋତୁସ୍ରାବ କଥା କହୁଛି
ଗୋଟେ ପ୍ରାକୃତିକ ଘଟଣାକୁ
ମୁଁ କେମିତି ଘୃଣ୍ୟ ବୋଲି କହୁଛି
କାଲି ଜନ୍ମ ହେବା ଝିଅଟା ଲକ୍ଷ୍ମୀ ଥିଲା
ଆଜି କେମିତି ହଠାତ୍ ଅଛୁଆଁ ହେଲା ।
ପୁଅର ରକ୍ତ ବହିଲେ ତୁମେ ଔଷଧ ଲଗେଇ ଦେଉଛ
ଝିଅର ରକ୍ତ ବହିଲେ ଅପବିତ୍ର ଆଉ ଅଛୁଆଁ କେମିତି କହୁଛ
ଯନ୍ତ୍ରଣାରେ ସାଥୀ ନ ହୋଇ ଏକା କେମିତି ଛାଡୁଛ
ଦୋକାନରେ ପେଡ୍ ମାଗିଲେ କେତେ ଧୀରେ ଧୀରେ କହୁଛ
ଆଉ ପୁଣି ଗୋଟେ କଳା ପଲିଥିନ ରେ
ଲୁଚେଇ ଛପେଇ ଆଣୁଛ
ଯେମିତି କୌଣସି ଏଟମ୍ ବମ୍ ଲୁଚାଉଛ
ସେ ଯଦି ଏତେ ଅପବିତ୍ର
ତାହାଲେ ପବିତ୍ର ବାଣୀର ନାମ
ଗୀତା କାହିଁକି ଦେଇଛ
ପବିତ୍ର ପାଣିର ନାମ ଗଙ୍ଗା କାହିଁକି ଦେଇଛ
ମନ୍ତ୍ରର ନାମ ଗାୟତ୍ରୀ କାହିଁକି ରଖିଛ
ସତୀର ନାମ ସୀତା କାହିଁକି ଦେଇଛ
ଜଗତ ଜନନୀ ନାଆ ଦୁର୍ଗା କାହିଁକି ରଖିଛ
କିଛି କାମ ପୂର୍ବରୁ ଗୋମୁତ୍ର କାହିଁକି ଛିଞ୍ଚୁଛ
ପୁଣି ନାରୀ ନାଆ ମାଆ ଆଉ ଭଉଣୀ କାହିଁକି ରଖିଛ
ସେମାନେ ଅପବିତ୍ର ନୁହନ୍ତି
ଅପବିତ୍ର ଆମ ଭାବନା
ଯେଉଁ ଭାବନା ତାକୁ ଯନ୍ତ୍ରଣା ସମୟରେ
ସାଥିରେ ନ ରଖି ଦେଇଛି
ଅଛୁଆଁ ନାରୀର ଯାତନା।