" ଅଭିମାନ "
" ଅଭିମାନ "
ଚାହିଁଥିଲା ଅପଲକେ ମୋ ଆଖିକୁ
ଦେଖା ଯେବେ ହୋଇଥିଲା ,
ପଢ଼ୁଥିଲା ସେ ସିନା ଏ ଆଖି ଭାଷା
ମନେ ଛବି ଆଙ୍କୁ ଥିଲା ।
ଦେଖା ହେଲେ ଲୁଚି ଲୁଚି ଏ ଆଖିରୁ
ଅଣ ଦେଖା କରୁଥିଲା ।
କେବେ କେବେ ଧରା ପଡ଼ି ଗଲା ପରେ
ମୁହଁ ପୋତି ହସୁଥିଲା ।
ତାର ଓଠେ ହସରାଣୀ ଦେଖୁ ଦେଖୁ
ମୋତେ ଲାଜ ଲାଗୁଥିଲା ,
ଏ ମନର ସମର୍ପଣେ ମୋର ମଥା
ଆପେ ନଇଁ ଯାଉଥିଲା ।
ଆଙ୍କୁଥିଲି ସପନରେ ଇନ୍ଦ୍ରଧନୁ
ସେ ବି ତ ଆଙ୍କିଥିଲା ,
ତାର ଇନ୍ଦ୍ରଧନୁ ଶ୍ରାବଣ ଛିଟାରେ
ମୋର ଫଗୁରେ ଥିଲା ।
ସମୟଟା ସବୁ କିଛି ଖୁସି ଖୁସି
ଆଶୀର୍ବାଦ କରୁଥିଲା ,
ତାର ପାଇଁ ମୁଁ ଆଉ ମୋର ପାଇଁ ସେ
ଅନୁଭବ ହେଉଥିଲା ।
ହେଲେ ଏଇ ଅନୁଭବ ଏକା ଏକା
ସତେ ଅବା ରହିଗଲା ,
ଚାରିଟି ଆଖିର ଅବ୍ୟକ୍ତ ଭାଷା ସେ
ଅବୁଝା କି ରହିଗଲା ।
ତାର ଭରା ଶ୍ରାବଣର ଛିଟା ମୋତେ
ହଁ ଭିଜାଇ ଦେଇଥିଲା ,
ହେଲେ ମୋର ଫଗୁଣର ଫଗୁ ରଂଗ
କାଳେ ଫିକା ପଡିଗଲା ।
କହିଥିଲା ଚାଲିଯାଅ ମୋ ଆଗରୁ
କହୁ କହୁ କଥା ପଦେ ,
କାନ୍ଦୁଥିଲା କାହିଁକି ସେ କଇଁ କଇଁ
ହେବା ପାଇଁ କଥା ପଦେ ।

