STORYMIRROR

Binaya Bhusan Panigrahi

Fantasy

4  

Binaya Bhusan Panigrahi

Fantasy

ଆୟୁ ଅପଚୟ

ଆୟୁ ଅପଚୟ

1 min
404


ମୁଠାଏ ଶୋରିଷ ପାଇଁ

ଘରଟି ଖୋଜିବା ଭିତରେ

ବିତିବାକୁ ବସିଲାଣି

ଆୟୁଷରୁ ଦୁଇକୋଡ଼ି-ଦଶ,

କାହିଁ? କେଉଁଠି ସେ ଘର

ଯେଉଁଘରେ ଜନ୍ମ ନେଲାପରେ

ପୁରିନାହିଁ ଅଦ୍ୟାବଧି

କାହାରି ଆୟୁଷ !

ମରିନାହିଁ କେହିଜଣେ 

ନାରୀ କି ପୁରୁଷ !!


ମିଳିନାହିଁ ଏଯାବତ;

'ମିଳିଯିବ'-ସେ ଆଶା ବି ନାହିଁ

ତଥାପି, କାହିଁକି କେଜାଣି

ଖୋଜିବାରୁ ବିରତ ହେଉନି ମନ

ହାତମୁଠାରେ ପାଇଥିବା

ନିର୍ଦ୍ଧାରିତ ନିଶ୍ଚିତ ଆୟୁକୁ

ଛୋଟ ଛୋଟ ଖଣ୍ଡକରି

ବାଜିରେ ଲଗାଇଦେଉଛି

କପଟ ପଶାକୁ ଭରସି

କୋଟିଗୁଣା କରିବା ଆଶାରେ !


ବିଚିତ୍ର ଏ ଜୀବନର ମୋହ;

ପ୍ରାପ୍ତ ଆୟୁ ଭୋଗିବାକୁ ଭୁଲି

ଅପ୍ରାପ୍ତି ପଛରେ ଧାଇଁ

ସଂଚୁଛି ପଳପଳ ଶୋଷ

ଉପେକ୍ଷି ବିବେକ ବାରଣ

ଆଖିବୁଜି ସ୍ପଷ୍ଟ ଦିବାଲୋକେ

ଅଜ୍ଞାନ କାପାଳିକ ପ୍ରାୟ

ସ୍ବୟଂକୃତ ଅନ୍ଧାର ଭିତରେ

ହାରୁଛି ଆୟୁଷକୁ ତିଳତିଳ କରି

ଯଜ୍ଞକୁଣ୍ଡେ ସମିଧ ଯେମିତି

ଜଳିଜଳି ହୁଏ ଚିତାଭସ୍ମ !


ସେ ଭିତରେ ଦୈବାତ ଯଦିକେବେ

ସାମ୍ନାସାମ୍ନି ହେଇଯା'ନ୍ତି ବୁଦ୍ଧ

ହାତମୁଠା ଖୋଲିଲା ବେଳକୁ

ଶୋରିଷ ବଦଳେ ତହିଁ

ଶିଥିଳ ମୋ ଆଙ୍ଗୁଳି ସନ୍ଧିରୁ

ଝରଝର ହେଇ ଝରିଯିବ

ଭସ୍ମପ୍ରାୟ ମୁଠେ ଅବସୋସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy