STORYMIRROR

Binaya Bhusan Panigrahi

Tragedy

4  

Binaya Bhusan Panigrahi

Tragedy

ପ୍ରେମ ଜଉଘର

ପ୍ରେମ ଜଉଘର

1 min
171


ଅସୁମାରୀ ପ୍ରଶ୍ନକୁ ତମର

ଶୁଣୁଥାଏ ଧୌର୍ଯ୍ୟସହକାରେ

କହେନାହିଁ କେବେ ଥରେ

କୋଉଗୋଟେ ପ୍ରଶ୍ନର ଉତ୍ତର

ନାହିଁ ଜ୍ଞାତସାରେ,

ଖୋଜିଲୋଡି,ଅଣ୍ଡାଳି ସାଉଁଟି

ସେଇମିତି ଉତ୍ତର ଗୁଡିଏ ଦିଏ

ଯେମିତିକା ଉତ୍ତର ପାଇଁ

ପ୍ରଶ୍ନମାନ ଉଦ୍ଦିଷ୍ଟ ତମର।


କେବେକେବେ ଇଛାହୁଏ

ମୁଁ'ବି ପଚାରନ୍ତି କିଛି 

ମୋ'ଭଳି ଶୁଣନ୍ତ ତମେ

ନୀରବରେ,ଧୌର୍ଯ୍ୟ ସହକାରେ,

କୁଣ୍ଠିତ ହୁଅନ୍ତନି ଜମା

ଉତ୍ତରଟେ ଦେବାପାଇଁ

ହେଉପଛେ ସଂକ୍ଷେପରେ

'ହଁ' କି 'ନା'ରେ।


ଜାଣେନା,

ଲକ୍ଷ କରିଛ କି ନାହିଁ ତମେ

ପ୍ରଶ୍ନଟିଏ କରିବା ପୂର୍ବରୁ

ଖୋଜିବସେ ସହଜ ପ୍ରଶ୍ନଟେ


ପ୍ରଶ୍ନିଳ ଆଖିରେ ଚାହିଁ

ପ୍ରଶ୍ନଗର୍ଭା ନୟନେ ତମର

ବଡ଼ ଆଶା,ବଡ଼ ଭରସାରେ।


ମୋ ଅପେକ୍ଷା ତମେ ବେଶୀ ଜାଣ

ତମର କୌଣସି ପ୍ରଶ୍ନ 

ଜିଜ୍ଞାସା ନୁହେଁ କୌଣସି ଦୃଷ୍ଟିରୁ

ବାସ୍ତବରେ ସେସବୁ

ଛଦ୍ମବେଶୀ ସନ୍ଦେହର ମଧୁର ଝଙ୍କାର

ଯା'ପାଇଁ ପ୍ରତ୍ୟେକ ଉତ୍ତର ମୋ'ର

ଅର୍ଥହୀନ ନେପଥ୍ୟ ଚିତ୍କାର।


ତମେ ଭାବ, 

ପୁରୁଷ ଯେହେତୁ 

ମୁଁ ଖାଲି ଉତ୍ତର ଦେବାକୁ ବାଧ୍ୟ,

ପ୍ରଶ୍ନ କରିବାକୁ ମୋ'ର

ନାହିଁ ଅଧିକାର।


ମୁଁ ମଧ୍ୟ ଶଙ୍କିଯାଏ ଟିକେ

ଯେହେତୁ, 

ପ୍ରଶ୍ନରେ ପ୍ରଶ୍ନଟେ ବାଜିଲେ

ଭୟଙ୍କର ଶବ୍ଦ ସାଥେ

ସୃଷ୍ଟି ହେବ ଅଗ୍ନିର ସ୍ଫୁଲିଙ୍ଗ

ଜଳିଯିବ ଯହିଁରେ ଆମର

ପ୍ରେମ ଜଉଘର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy