STORYMIRROR

Binaya Bhusan Panigrahi

Children

4  

Binaya Bhusan Panigrahi

Children

ମନୁଆର କେହି ଶତୃ ନାହିଁ

ମନୁଆର କେହି ଶତୃ ନାହିଁ

1 min
250


ପଚାରିଲେ ବାପା ମନୁଆକୁ ଦିନେ

ଶତ୍ରୁ ତା'ର କେହି ଅଛିକି ନାହିଁ,

ବିଳମ୍ବ ନକରି ମନୁଆ କହିଲା

'କେତେ ଶତ୍ରୁ ମୋର ହିସାବନାହିଁ।'


ଚିନ୍ତାକଲେ ବାପା,'ଏତେ ଛୋଟପିଲା

ଶତ୍ରୁ ତାହାର ଆସିଲେ କାହୁଁ !

କହିଲେ,'ତାହେଲେ ତାଲିକାଟେ କର

କୋଉ ଶତ୍ରୁ ନାଁ ଛାଡ଼ିବୁନାହୁଁ।'


ତହିଁଆରଦିନ ସକାଳୁ ମନୁଆ

ଚିଠାଟିଏ ଆଣି ଦେଲା ବଢ଼ାଇ,

ଚିଠା ଦେଖି ବାପା ମୁରୁକି ହସିଲେ

ପ୍ରଥମରୁ ନିଜ ନାମଟି ପାଇ।


ତାପରେ ଗୁରୁଜୀ,ଦଣ୍ଡ ଦିଅନ୍ତି ଯେ

ଅବହେଳା କଲେ ପାଠପଢ଼ାରେ

ଶ୍ରେଣୀସାଙ୍ଗ, ଯିଏ ପ୍ରଥମ ହୁଅଇ

ଗଣାଥିଲା ସେ ବି ଶତ୍ରୁ ଭାବରେ।


ପଡ଼ିଶାଘରର କଳା କୁକୁରଟା

ମନୁଆକୁ ଦେଖି ଭୁକଇ ଯିଏ,

ବଉଳା ଗାଈ, ଯା'ଛୁଆକୁ ଧରିଲେ

ସିଙ୍ଗ ହଲେଇକି ତାକୁ ଗୋଡାଏ।


କୋଳରେ ବସାଇ ପଚାରିଲେ ବାପା

ମୁଁ କେମିତି ଶତ୍ରୁ କହିଲୁ ଧନ,

ମନୁଆ କହିଲା,'ମୋକଥା ନଶୁଣି

ମାଆ କଥା ମନଦେଇକି ଶୁଣ।'


ମଥାକୁ ଆଉଁସି ବୁଝେଇଲେ ବାପା

ଶତ୍ରୁନୁହେଁ ଆମେ କେହି ତୋହର,

ତୋ'ମଙ୍ଗଳ ପାଈଁ ଜାଣିଶୁଣି ଆମେ

ଦେଖାଉ ଟିକିଏ ଟାଣ ବେଭାର।


ବଡହେଲାପରେ ବୁଝିପାରିବୁ ତୁ

ବାପା,ଗୁରୁଜୀଙ୍କ ପ୍ରକୃତ ସ୍ନେହ,

ପାଠରେ ଆଗୁଆ ସାଙ୍ଗଟି ସେମିତି

ଶ୍ରେଷ୍ଠ ମିତ୍ର ତୋର,ଶତ୍ରୁନୁହଁ।


ବୁଝିବୁ, ବଉଳା ତଡେ ତୋତେ ଖାଲି

କେବଳ ତା'ଛୁଆ ସୁରକ୍ଷା ପାଇଁ,

ଜାଣିବୁ କାଳିଆ ଭୁକେ ଖାଲି ଯାହା

ଭୁକିଲା କୁକୁର କାମୁଡ଼େନାହିଁ।


ବୁଝିଲା ମନୁଆ,ବାପାଙ୍କ ହାତରୁ

ଚିଠା ନେଇ ଚିରି ଦେଲା ଉଡେଇ,

ଆନନ୍ଦରେ ଡେଇଁ କହିଲା 'ସତରେ

ମନୁଆର କେହି ଶତ୍ରୁ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children