STORYMIRROR

Binaya Bhusan Panigrahi

Tragedy

4  

Binaya Bhusan Panigrahi

Tragedy

ଆହା କି ବିଚିତ୍ର ସହର

ଆହା କି ବିଚିତ୍ର ସହର

1 min
580


ଆହା,କି ବିଚିତ୍ର ଏସହର ସତରେ

କାହିଁ କେତେଜାତି ଫୁଲ ଏଠି

ହସୁଛନ୍ତି ବାଲକୋନିରେ,

ଛାତପରେ, ବଗିଚା ଭିତରେ,

ଚିକ୍କଣ ସଡକର ଉଭୟପାର୍ଶ୍ଵରେ

ହେଲେ,ରଙ୍ଗ କାହିଁ

ରତିଏ ତ ଦେଖୁନାହିଁ କାହିଁ ।


କି ଜାତିର ଫୁଲ ପୁଣି ଇଏ

ଯେଉଁଥିରେ ବାସ୍ନା ମହରଗ

ବାରମାସି ମଳୟ ବୋହୁଛି

ଭିଜିଭିଜି ମଣିଷ ଝାଳରେ

ଅଥଚ,ମଣିଷ ପଣର ବାସ୍ନା

ନାକରେ ଜମା ବାଜୁନାହିଁ ।


ସକାଳର କଅଁଳ ଖରାରେ

ପୋଡିଯାଉଛି ଖଟିଖିଆ ପିଠି

ଏଠି ସାରା ସହରରେ,

ଅଥଚ,ଗ୍ରୀଷ୍ମର ନିଦାଘ ମଧ୍ୟାହ୍ନେ

ଠକ ଠକ ଥରୁଛନ୍ତି କିଛିଲୋକ

ତାରକା ହୋଟେଲ କୋଠିରେ

ପିଆଲା ଭିତରେ

ଚଉଖଣ୍ଡିଆ ବରଫ ପକାଇ

ରହିରହି ଚୁମିନେଲା ବେଳେ

କୋଟିପତି ହେଲେ ବୋଲି କଣ

ସେମାନେ ମଣିଷ ନୁହଁନ୍ତି ।


ଅଦ୍ଭୁତ ସହର ଇଏ

ଶୀତ ଏଠି ଖୋଜିବୁଲୁଛି

ଫୁଙ୍ଗୁଳା ମଣିଷର ଦେହ

ଉଷୁମ ହେବାକୁ ନିଜେ।

ଅଥଚ,ସେଇଠି ସେ କାନ୍ଥ ସେପଟରେ

କିଛି ଦେହ ଜଳି ଉଠୁଛନ୍ତି

ରାତିକ ପାଇଁ କିଣିଥିବା

ଦେହର ପ୍ରବଳ ତାଉରେ ।


କିଛିଲୋକ ଓର ଉଣ୍ଡୁଛନ୍ତି

ଭିଜିବାକୁ ଖୋଲାଦେହେ

ଶ୍ରାବଣ ଧାରାରେ,

ଆଉ ପଂଝେ ଖୋଜୁଛନ୍ତି

ବେଲାକଂସା,ହାଣ୍ଡି-ବେକା ଆଦି

ଗଣିଗଣି ଛପରର କଣା

ଶୁଖିଲା ଚଟାଣ ଟିକେ ଦର୍କାର ଯେହେତୁ

ପାରିବାକୁ ସପ ଓ ଗାମୁଛା

ବର୍ଷା ଟିକେ ଥମିଗଲା ପରେ ।


ମାଳମାଳ ରାସ୍ତାରେ ଛନ୍ଦା ଏ ସହର

ଚାଲିବାକୁ ଆୟୁଷ ନିଅଣ୍ଟ,

ଅଥଚ,ପାଦଚଲା ବାଟ ଗୋଟେ ନାହିଁ

ଯୋଗାଡି ଆଣିବା ପାଈଁ

ପିଠିଢ଼ଙ୍କା କପଡାରୁ ହାତେ

ଦାନା ମୁଠେ ଭରିବାକୁ ପେଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy