STORYMIRROR

Binaya Bhusan Panigrahi

Abstract

4  

Binaya Bhusan Panigrahi

Abstract

ଦିବ୍ୟଜ୍ଞାନର ସନ୍ଧାନ

ଦିବ୍ୟଜ୍ଞାନର ସନ୍ଧାନ

1 min
471


ବିଗତ ଜନ୍ମର ତପବଳେ ଅବା

ମାତା-ପିଅରଙ୍କ ସୁକର୍ମ କାରଣେ

ପ୍ରାପ୍ତ ଏ ମାନବ ଜନ୍ମ,

ଇଷ୍ଟସ୍ମରି ଧର୍ମ-ପଥ ଅନୁସରି

ପାପ-ପୁଣ୍ୟ,ଭଲ-ମନ୍ଦକୁ ବିଚାରି

କରରେ ବିହିତ କର୍ମ। (୦)


କି କାରଣେ ଜନ୍ମ ଲଭିଛୁ ଧରାରେ

କପାଳକୁ କାଳ କେତେଦିନ ବନ୍ଧା,

ଜଣାନାହିଁ ତୋତେ ବାବୁ?

ଯେତେ ପାରିବାର ପଣ ଥିଲେ ଥାଉ

ଯିବାକୁ ଡାକରା ଆସିଲେ ଯିବୁ ତୁ

ବୃଥା ଯିବ ଟାଣ ସବୁ।(୧)


ଶେଷବେଳେ ବିଷ ଲାଗିବ ବିଷୟା

ଅବଶ ହୋଇବ ଅଙ୍ଗ-ଅବୟବ

ହଜିଯିବ ବୁଦ୍ଧିବଳ,

ନେଡ଼ିଗୁଡ଼ ବୋହିଗଲେ କହୁଣିକୁ

ଚାଟିବାକୁ ଜିଭ ନପାଇବ ବାବୁ

ହେବୁ ଡହଳ ବିକଳ। (୨)


ଏଥକୁ ସୁମରି ବେଳ ଥାଉଁ ହାତେ

ଜ୍ଞାନିଜନ ହୀନ-କର୍ମ ପରିହରି

ଚଳଇ ପୁଣ୍ୟମାର୍ଗରେ,

କରି ସଦାଚାର,ପର ଉପକାର

ଅରଜେ ସୁନାମ,ସାଇତେ ଧରମ

ଜନମ ସାର୍ଥକ କରେ। (୩)


ତୁ କାହିଁକି ବୃଥା କୁହୁଡି ପହଁରୁ

ବିପଥରେ ଯାଇ କି ପାଇବୁ ବୋଲି

ଦେହ-ମନୁ ସାରୁ ବଳ?

ବିଳମ୍ବରେ ହେଜି ବୁହାଇବୁ ଅଶ୍ରୁ

ନୟନର ଜ୍ୟୋତି କ୍ଷୀଣ ହେବ ହେଲେ

ନଫଳିବ ତହୁଁ ଫଳ।(୪)


ତୋହରି ଦେହରେ ଭରା ଦିବ୍ୟଜ୍ଞାନ

ଅଜ୍ଞାନତା ହେତୁ ନଜାଣି ବାବୁରେ

ଧାଉଁ ତୁ ବନ କାନ୍ତାର,

ନିବିଷ୍ଟ ଚିତ୍ତରେ ଅନ୍ତର୍ମୁଖୀ ହେଲେ

ସେ ଜ୍ଞାନ ସନ୍ଧାନ ପାଇବୁ ନିଶ୍ଚୟ

ସବୁ ଦୁଃଖ ହେବ ଦୂର। (୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract