STORYMIRROR

Dr Baman Chandra Dixit

Romance Fantasy

3  

Dr Baman Chandra Dixit

Romance Fantasy

ଯଦି କିଛି

ଯଦି କିଛି

1 min
200


ତୁମ ନରମ ନରମ ଚାହାଣି ଟା

କେତେ ଗରମ ଗରମ ଜାଣିଛ କି।

ଚାହଁନା ଏମିତି ନ ଚାହିଁଲା ପରି

ଆଜି କହିବାକୁ କିଛି ଚାହୁଁଛ କି?


ଧିର ମନ୍ଥର ତୁମ ଚାଲିବାର ଠାଣି

ପୁଣି ପଛକୁ ଚାହୁଁଛ ଫେରି ଫେରି

ଫେରେଇ ନେଉଛ ମୁହଁ ଜାଣି ଜାଣି

କେତେ ଆକୁଳ ଏ ଆଖି ଜାଣିଛ କି?


ଆହତ ହୃଦେ ମୋ ବ୍ୟଥା ବେସୁମାର

କଥା ଅକୁହା ଅନେକ ଆକଟ ବି

ଝଟକାଅ ଯେବେ ମୁକୁଳା କୁନ୍ତଳ

ଛାତି ଧକ ଧକ କେବେ ଗଣିଛ କି?


ଯେବେ ଚହଲା ଅଧରୁ ଧାରୁ ତୁମ

ଝରି ପଡ଼େ ମିଠା ହସ ମୃଦୁ ମୃଦୁ

ଚଗଲା ମନ ମୋ ହୋଇ ଅମାନିଆଁ

ମାନେନା ଆକଟ ତୁମେ ଜାଣିଛ କି?


କେଡ଼େ ଚଗଲା ଏ ପବନ ପାଗଳ

ଖସି ଯାଉଛି ପଣତ ଦେଖୁ ଦେଖୁ

ଶତ ନେତ୍ର ଅପଲକେ ଅବଲୋକେ

ସହସ୍ର ହୃଦୁ ବିଳାପ ଶୁଣିଛ କି?


ସ୍ଵନ ସଘନ ସ୍ପନ୍ଦନ ହୃଦୟର

ପ୍ରତିଧ୍ୱନି କହେ ପ୍ରତି ଅଙ୍ଗେ ଅଙ୍ଗେ

ଅଙ୍ଗୀକାର କରି ଚୋରା ଚାହାଣିରେ

ତାପ ସନ୍ତାପ କଳନା କରୁଛ କି?

ଆଜି କହିବାକୁ କିଛି ଚାହୁଁଛ କି??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance