ଆଉ ପାରୁନାହିଁ ରହି
ଆଉ ପାରୁନାହିଁ ରହି
ଓଠଟି ସତେଜ ଗୋଲାପ ପାଖୁଡା
ଚାଲି ତୁମ ରାଜହଂସି
ହସରେ ପିରତି ମହୁ ଝରୁଥାଏ
କଥାରେ ବାଜଇ ବଂଶୀ ।
ନୀଳ ନୟନା ଗୋ ନୟନ ଯୁଗଳ
ଆକାଶଠୁ ନୀଳ ଲାଗେ
ଫିକା ପଡିଯାଏ ଜହ୍ନର ଜୋଛନା
ରୂପର ଚମକ ଆଗେ ।
କି ସୁନ୍ଦର ଆହା କଳା ବଉଦର
ତନ୍ମୟା ଶ୍ଯାମଳ ବେଶ
ରଜନୀଗନ୍ଧାର ମହକ ସୁବାସେ
ଫୁଟୁଥାଏ ପ୍ରୀତି ହସ ।
ଆସ ଥରେ ବାନ୍ଧିଦେବି ମୁଁ ସଖି ଗୋ
ତୁମ ସେ ରସମୀ ଗଭା
ନାଲି ଓଠ ଧାରେ ପ୍ରୀତିର ଲହଡୀ
ସତେ କିବା ମନଲୋଭା ।
ବହିଗଲ ତୁମେ ହୃଦୟରେ ମୋର
ଚିର ସ୍ରୋତସ୍ବନୀ ହୋଇ
ବୁଣିଦେଲ ପ୍ରେମ ଚାରା ମନେ ପ୍ରିୟା
ଆଉ ପାରୁନାହିଁ ରହି ।।

