ଆତ୍ମ ବଳ
ଆତ୍ମ ବଳ
ସୁନ୍ଦର କଣ୍ଠରେ ଗଛ ଡ଼ାଇରେ
କୋଇଲିର ମଧୁ ଗୀତ,
ସହି ନପାରିଲା ପବନ କହିଲା
ଗରବେ ଗାଉ ସଂଗୀତ।
ଉଡେଇବି ଦେଖ ଏଠାରୁ ତ୍ୱରିତେ
ଦେଖାଇବୁ ନାହିଁ ଭାଉ,
କେଉଁ ନିରିଜନ ପ୍ରାନ୍ତରେ ବସି
ହେଉଥିବୁ ରାଉ ରାଉ।
କୋଇଲି ହସିଲା କହିଲା ପବନ
ଅଛି ମୋର ଡେଣା ଦୁଇ,
ଉଡ଼ିଯିବି ଏଠୁ ଅନ୍ୟତ୍ର ବସିବି
ଗାଇବି ଶୁଣିବୁ ତୁଇ।
ପବନ ବେଗରେ ବହିଲା ଭାଙ୍ଗିଲା
ଗଛ ଲତା ପତ୍ର ଡାଳ,
ସେଠାରୁ କୋଇଲି ଉଡିଗଲା ଦୂର
ପାରି ହୋଇ ନଦୀ ନାଳ।
ନିର୍ଜନ ଜଙ୍ଗଲେ ପଶିଲା ବସିଲା
କଦମ୍ବ ଗଛ ଉହାଡେ,
ପବନର ବଳ ଲଢ଼ିବାକୁ ମୋର
ଡେଣା ଯିବନି କୁଆଡେ।
ଦୁଇ ଡେଣା ମୋତେ ବିଧାତା ଦେଇଛି
ଲଂଘିବାକୁ ବିପଦକୁ,
ଯେତେ ଝଡ ବାଧା ପଥରେ ପଡ଼ିଲେ
ବିଶ୍ୱାସମୋ ସମ୍ପଦକୁ ।
ପକ୍ଷୀ ପାଶେ ଦମ୍ଭ ରହିଛି ସାହାସ
ଆତ୍ମ ନିର୍ଭର ପ୍ରକାଶ,
ମାନବ ପାଖରେ ସବୁ ଶକ୍ତି ଥାଇ
ଅଯଥା ହୁଏ ହତାଶ।
ପକ୍ଷୀ ପରି ଦୁଇ ଡେଣା ଆମ ପାଖେ
ଆଶା ଓ କର୍ତ୍ତବ୍ୟ ପରି,
ଯେତେ ବାଧା ଆସୁ ଜୀବନ ପଥରେ
ଆତ୍ମ ବଳ ଯିବା ଧରି।
