ଆଷାଢୀ କନ୍ୟା
ଆଷାଢୀ କନ୍ୟା
ନୂଆ ଆଷାଢ଼ର ଛାତ ତଳେ ଯେବେ
ମଉସୁମୀ ତୁମେ ଥିଲ
ପହିଲି ପ୍ରଣୟ ସ୍ୱପ୍ନ ରାଇଜରେ
ବ୍ୟଥା ଅନ୍ତରରେ ଦେଲ ।
ଚହଲେଇ ଦେଲ ମେଘମାଳା ସହ
ବର୍ଷାରେ ଦେଲ ପ୍ରୀତି
ମେଘ ମହ୍ଲାରର ରାଗ ଶୁଭୁଥିଲା
କଦମ୍ବର ଫୁଲ ସାକ୍ଷୀ ।
ଭିଜୁଥିଲ ତୁମେ ଅଶ୍ରୁଳ ଆଖିରେ
ତୁମେ ସେ ଆଷାଢୀ କନ୍ୟା
ମଧୁ ମାଳତୀର ମନ ଥିଲା ତୁମ
ଆଖିରେ ଥିଲା ତ ବନ୍ୟା ।
ଅଙ୍ଗରେ ଅଙ୍ଗରେ ନାଲି ଛିଟ ଶାଢୀ
ଚମ୍ପା କଢିର ଆଙ୍ଗୁଠି
କୃଷ୍ଣ ଚୂଡା ନାଲି ରଙ୍ଗ ଯେ ଉକୁଟେ
ଓଠେ ଜୁଆର ଯେ ଫୁଟି ।
ଶ୍ରାବଣର ଭାବ ଚାହାଣୀରେ ଥାଏ
ଜହ୍ନରେ ଜାଗଇ ନିଶା
ତୃଷ୍ଣା ବଢିଯାଏ ପ୍ରିୟା କିଏ ଦେଖି
ମନେ ଚଇତାଳି ବସା ।
ହଜିଯାଏ ସ୍ୱପ୍ନ ନିଦ ଆସେ ନାହିଁ
ବ୍ୟାକୁଳତା ବଢିଯାଏ
ଭାଗ୍ୟରେ ଥିଲେତ ବିତିଯିବ ଦିନ
ବିଶ୍ୱାସରେ ପ୍ରୀତି ଥାଏ ।
କଅଁଳ ଛାତିକୁ ଭିଜେଇ ଦିଅ ଯେ
କେତେ କର ଅଭିମାନ
ସଞ୍ଜ ନଥାଇ ବି ଗୋଧୂଳିରେ ଆସ
ଛାଡି ଦିଅ ତୁମ ମାନ ।
ତୁମରି ହସରେ ଅନେକ ଆଶାର
ଜୁଆରିଆ ଢେଉ କେତେ
ଅଳପ ହସର ଚନ୍ଦ୍ରମା ଖେଳେ
ଭାବନାରେ ମନ ତାତେ
ପଣତ ଭରିଛ ବନ୍ଧନରେ ସତେ
ପ୍ରୀତି ଶିକୁଳିରେ ଛନ୍ଦା
ମନ ଖୋଜେ ସାଥି ରହୁ ସାଥି ପ୍ରୀତି
ହେଉ ଆତ୍ମୀୟତା ବନ୍ଧା ।