ସାଥୀ
ସାଥୀ


ଯିବି ବୋଲି ବହୁଦୂର ତୋ ସାଥିରେ
ହାତେ ହାତ ଛନ୍ଦି
ପାଦ ହେଉଥିଲେ ଅଥୟ
ମନେ ଅଶୁମାରି ଆଶା ବାନ୍ଧି ।।
କାହିଁ ସେ ବସନ୍ତ
ଭଅଁରର ଗୀତ ଶୁଭୁ ନାଇଁ
କୁମାରୀ କୁମାରୀ ଲାଗନ୍ତି ବୃକ୍ଷଲତା ସବୁ
ମଳୟର ସ୍ପର୍ଶ ର ଅଭାବେ
ଚୈତାଳୀ ରେ ଫୁଲ ଫୁଟେ ନାହିଁ ।।
ବର୍ଷା ଏକା ବାଟ ଓଗାଳିଛି
ଋତୁରେ ଋତୁରେ ମନ ହଜେଇଛି
ନାଳ ଘେରା ତାସତଣ୍ଡି ବଣରେ
ଆଉ ମୁଁ ଖୋଜେ ଅତୀତର ସେଇ
ବଗ-ବଗୁଲୀଙ୍କ ସାଶ୍ବତ ପ୍ରେମକୁ
ଯହିଁ ଟିକିଏ ବି ଅହଂ ଭାବ ନାହିଁ ।।
ମୋ ମନରୁ ତୋ ମନକୁ କେମିତି ମାପିବା
ଦୂରତା କାହିଁ ତିଳେ ହେଲେ ନାହିଁ
ନିଦାଘରେ ବଇରି ସେ ଝାଞ୍ଜି
କୁହୁଡ଼ିରେ କୁହୁକ ରାଜ୍ୟରେ
ଭାବର ତରଙ୍ଗ ଖୋଜି ପାଉନାଇଁ ।।
ତଥାପି ତୁ ଥିଲେ ସାଥେ
ହୃଦୟର ଫୁଲ ଏମିତି ଏଇଠି
ପତ୍ରଝଡ଼ା ରେ ବି ଫୁଟିଯାଏ
ମହ ମହ ବାସିଯାଏ
ମୋ ହୃଦୟରୁ ତୋ ହୃଦୟ ଯୀଏଁ
ଆଉ ମଧୁ ଝରେ
ଅବେଳରେ ଅମାନିଆ ହୋଇ ।।