ଅବୋଧ ମନ
ଅବୋଧ ମନ


ମନ ଅମାନିଆ
ମାନେ ନାହିଁ ଜମା
ନିରୋଳାରେ ସଦା ଭିଜେ
ସେଇ ନିରୋଳାରେ
ସ୍ମୃତିର ଗଜରା
ପାଖୁଡ଼ାରେ କିଛି ଖୋଜେ.
ପୃଷ୍ଠା ପରେ ପୃଷ୍ଠା
ଓଲଟାଇ ଦେଖେ
ବିଗତ କାହାଣୀ ମାଳା
ବିଗତ କାହାଣୀ
ଦଗ୍ଧ କରେ ହୃଦ
ଫୁଟଇ ବିରହ ଜ୍ୱାଳା.
କେବେ ଲାଗେ ସ୍ମୃତି
ମଧୁର ମହ୍ଲାର
ବିମୁଗ୍ଧ ବିଲୀନ ରାଗେ
କେବେ ସେ ନିଷିଦ୍ଧ
କଳଙ୍କର ଦାଗ
ତନୁମନେ ଭିତ୍ତି ଜାଗେ.
ନିର୍ଜନ ପଥରେ
ବିଜନ ବେଳାରେ
କିଏ ଡାକେ ହାତ
ଠାରି
ଉଦାସ ହୃଦୟ
ସ୍ମୃତିକୁ ଜାବୁଡି
ଏକାନ୍ତରେ ହୁଏ ଝୁରି.
ଶୂନ୍ୟ ପରିଧିରେ
ଚକ୍ରବାତ ସମ
ପରିକ୍ରମେ ନିତି ଦିନ
ଶୂନ୍ୟତାର ସାଥୀ
ଶୂନ୍ୟେ ଯାଏ ବିତି
ବ୍ୟତିବ୍ୟସ୍ତ ପ୍ରତିକ୍ଷଣ.
ପାନ୍ଥଶାଳା କେବେ
ପଚାରି ବୁଝେନି
ବାଟୋଇର ମନକଥା
ନୀରବେ ସାଉଁଟେ
ଝାଉଁଳା ସପନ
ଗୋପନେ ସାଇତି ବ୍ୟଥା.
ଆଖି ଅବୁଝାକୁ
ଲୁହ ବି ଅବୁଝା
ଅବୁଝା ଅବୋଧ ମନ
ଗଲା ପୁଅ କେବେ
ବାହୁଡ଼ି ଆସେନି
ଝୁରି ହେଲେ ରାତିଦିନ ।