କେହିଜଣେ କଥା ହୁଏ
କେହିଜଣେ କଥା ହୁଏ


କେହି ଜଣେ ଅଧ କପ କଥା ହୁଏ ।
କଥା ହେଲା ବେଳେ ଅଧା ରୁ ଅଧିକ ଶବ୍ଦ ଗିଳି ପକାଏ
ଯଦି ସେ ସିଗାରେଟ ପିଉ ଥାନ୍ତା ଅଧା ସବୁବେଳେ ଦରପୋଡା ରୁହନ୍ତା।
ସେ ଶୁଏ ବି ଅଧା ଅଧୁରା
ସ୍ୱପ୍ନ ଦେଖେ, ଅଧା ମନେରଖେ, ଅଧା ଭୁଲିଯାଏ।
ମୁଁ ହେଲେ କୋଉ ପୂର୍ଣ୍ଣାଙ୍ଗ ଜୀବନ ଟିଏ ଜିଉଁଛି ଯେ!
ନିଦ ଭାଙ୍ଗେ ରାତିରେ ଥରକୁ ଥର ଅନେକ ଥର,
ଟୁକୁଡ଼ା ଟୁକୁଡ଼ା ଶୁଏ
ମୁଁ ସ୍ୱପ୍ନ କୁ କମ ଦେଖେ, ସ୍ୱପ୍ନ ମୋତେ ଦେଖେ ।
ଦରମରା ହେଇ ବିଛଣାରେ ଗଡି ପଡିଥାଏ
ମୁଣ୍ଡ କୁ ତକିଆ ଜଗିଥାଏ
ହାତ ମଶା ଘଉଡ଼ଉଥାଏ
ଗୋଡ ର କିଛି କାମ ନଥାଏ, ଖାଲି ଲମ୍ବିଥାଏ।
କାଁ ଭାଁ ରାତିରେ ଉଠି କବିତା ଲେଖେ
ଅଧେ କବିତା କୁ ଝିଟିପିଟି ପ୍ରଜାପତି ଭାବି ଖାଇ ଦେଇଥାଏ।
ସତରେ କଣ କବିତା ସୁନ୍ଦର ପ୍ରଜାପତି ଟିଏ!
ଡେଣା ଥାଏ ଅଥଚ ଉଡ଼ି ପାରେନା ଠିକ ମୋ ପରି
କଥା ଦେଇଥାଏ କାହାକୁ
ଦେହ କାନ୍ଥରେ ଆଉଜି ରହିଥାଏ
ସତେ ଯେମିତି ଅପେକ୍ଷା କରିଥାଏ ମୃତ୍ୟୁକୁ।
ପ୍ରେମ ଓ ମୃତ୍ୟୁ ଏକା ପରି ଲାଗେ ମୋତେ।
ଆଖି ଟାଣି ନିଏ,ଵଂଶୀକଣ୍ଟାରେ ଝୁଲିରହେ ଦ
େହ
ଛଟପଟ ଲାଗେ,ଗୋଡ ହାତ ଛାଟିପିଟି ହୁଏ
ରାତିର ଗାଢ଼ ଅନ୍ଧାର କୁ କେହି ଜଣେ ପାକୁଳେଇ ପାକୁଳେଇ ଖାଇ ଚାଲିଥାଏ ।
ଅନ୍ଧାର ସବୁ ସରିଯିବାପରେ ଆଲୁଅ ହିଁ ଆଲୁଅ।
ରାତି ବେଳେ ବେଳେ ଆପେ ଆପେ ସରିଯାଏ
ଘଣ୍ଟା କଂଟା ଆଗକୁ ଆଗକୁ ବଢୁଥାଏ
ଅନ୍ଧାର ପତଳା ହେଉଥାଏ
ମୁଣ୍ଡ ତକିଆ ଖୋଜୁଥାଏ
ପାପୁଲି ପାପୁଲି ଖୋଜୁଥାଏ
ଆଖି ଆଖି ଖୋଜୁଥାଏ
ହୃଦୟ ଝୁଲୁଥାଏ କଂସେଇଖାନାରେ।
ଥରୁଟିଏ ଉର୍ଦ୍ଧ୍ବ କୁ ଉଠି ସିଢ଼ିରେ
ପୁଣି ସାପର ପାଟିରେ,ଖସି ଖସି ଯିବା ଯଦି ଗୋଟାଏ ଖେଳ,ମୁଁ ଓହରିଯିବି।
ହାର ଜିତକୁ ପ୍ରୋତ୍ସାହିତ କରେନି ଜୀବନରେ।
ବରଂ ଦୁରେଇଯିବି,ଚାଲି ଚାଲି ଖୁବ ଦୂରକୁ
ଡେଇଁଯିବି ଦିଗନ୍ତକୁ
ଡେଇଁ ପଡିବି ସମୁଦ୍ରକୁ
ଚେରେଇବିନି କା'ର ମାଟିରେ
ପଲ୍ଲବିନି ଜମା କା'ର ଛାତିରେ
ଡାଳଟିଏ ହେଇ ଲହଁପିବିନି କାହାରି ପଟେ
ବରଂ ଛାଇ ହେଇ ରହିଯିବି ଅନ୍ୟ କା'ର।
ମୁଁ ଜାହିର କରିବିନି ଜମା ନିଜକୁ ଅନ୍ୟ କା'ର ଜୀବନରେ।
ନିଇତି ଉଇଁବି, ନିଇତି ଅସ୍ତ ହେବା ପାଇଁ।
ପ୍ରତିଫଳନ ହେଇ ତମର ରହିବିନି କେବେବି, ତମକୁ କଥା ଦେଉଛି।