STORYMIRROR

Prahallad Satpathy

Others

4  

Prahallad Satpathy

Others

ଆଜିକାଲି ଦେହରେ ମୁଁ ନାଇଁ

ଆଜିକାଲି ଦେହରେ ମୁଁ ନାଇଁ

1 min
322


ଛାଇ ମୁହଁ ମୋଡ଼ି ଦେବା କୋଉ ନୂଆଁ କଥା ଯେ

ମୁଁ ଯେବେବି ଦେଖେ,ଦେଖେ ଓଲଟା ବୃକ୍ଷକୁ।

ସବୁତକ ଆକାଶ ମୁଁ ହିଁ ଦେଖିବି ଏମିତି ଜିଦ କେବେ କରିନଥିଲି,

ମାଟିର ଭାଗ ବଣ୍ଟାକୁ ମୁଁ ସ୍ୱୀକାର କେବେଠୁ କରିସାରିଛି।


ମୁଁ କେବେ କହିନି, ମୋ ପାଦ ଦିଓଟି କୁ ଛୁଇଁବାକୁ ଆସେ ଢେଉ କୂଳକୁ।

ମାଟି ଆକାଶ ସମୁଦ୍ର ସଭିଙ୍କର।

ମୁଁ ନିଜର ବୋଲି କାହାକୁ କହି ପାରିନି ଏଯାଏଁ।

ଯିଏ ଯେତେଦିନ ରହିଲା ମୋ ସହ ସେତକ ଯଥେଷ୍ଟ।


ବଜାର କୁ ଗଲି, ମୋଲ ଚାଲ କଲି, କିଛି କିଣିଲି

କିଛି କିଛି ଧରା ଛୁଆଁ ଦେଲେନି, ଫେରି ଆସିଲି,

ପଇସା ନାଇଁ କହିବାରୁ ଓଲ୍ହାଇଦେଲା ବସ କଣ୍ଡକଟର ବସରୁ।

କେହି ଦେଖିଲେନି ଜମା ମୋ ପଟେ 

ଯଦିଓ ରାସ୍ତା କଡରେ ଛିଡା ହେଇ ବିତେଇ ଦେଲି ଷାଠିଏ ଫଗୁଣ ।

ଏବେବି ଦୀପାବଳୀ ପରଦିନ ସକାଳରେ ଅଫୁଟା ବାଣ ଗୋଟେଇବା ଜାରି ରଖିଛି

ଛିଣ୍ଡା ଗୁଡ଼ି ପଛେ ପଛେ ଧାଉଁଛି ଯେ ଧାଉଁଛି

ବେଳୁନ ପଟେ ଅନେଇ ଚାଲିଛି ମୋ ଭିତରର କୁନି ଛୁଆ ଏବେବି।

ଘାସଫୁଲ ସାଧବ ବୋହୁ କାଗଜ ଡ଼ଙ୍ଗା ପଛରେ ଏବେବି ଧାଏଁ ମୁଁ!


ଅଳି ଅର୍ଦ୍ଦଳି ଜମା କରୁନି

ଯିଏ ଦେଖୁଛି ଦେଖୁ, ନ ଦେଖିଲେ ଯାଏ ଆସେ କିଛି ନାଇଁ।

ହାତରୁ ହାତଟିଏ ଖସି ଯିବାର ଭୟ ତ ଜମା ନାଇଁ।ଘରୁ ବାହାରିଲାବେଳେ ହୃଦୟକୁ କାଢ଼ି ରଖିଦିଏ ଆଲମିରାରେ

ମନ୍ଦିରରେ ଦିଅଁକୁ କମ, ଦେଖେ ବେଶି ଦେଖଣାହାରୀଙ୍କୁ,

ହୋର୍ଡିଙ୍ଗରେ ଲାଗିଥିବା ସିନେମା ପୋଷ୍ଟରର ହିରୋଇନ ସହ ମନ ଖୋଲା ଗପେ,

ରାସ୍ତାକଡର ଗଛମାନଙ୍କୁ ଗଣେ ବୋର ହେଲେ

ନୂଆଁ ନୂଆଁ ଝର୍କା ତିଆରିକରେ ଛାତିରେ

ମୁଁ କୋଉ ଝରକାରୁ କାହାକୁ କେତେ ଦେଖିଲି, କାହାକୁ ଜଣା ନ ଥାଏ

ମୁଁ ବି ଜାଣିନି।


ଏକା ଲାଗେ ବହିଗଲାବେଳେ ନଈ,ନାରୀ

ପାହାଡ଼ ପରି ମୁଁ ଛିଡା ହେଇଥାଏ

ମୋ ଉପର ଦେଇ ଡେଇଁ ଡେଇଁ ତଳକୁ ଖସୁଥାଏ କେହିଜଣେ ଜଳ ପ୍ରପାତ ପରି ଓ ଅନେକେ ଛିଡା ହୋଇ ଉପଭୋଗ କରୁଥାନ୍ତି ସେଇ ଦୃଶ୍ୟର,

ହେଲେ ଦୃଶ୍ୟରେ ମୁଁ ନ ଥାଏ କେବେବି।

ଆଜିକାଲି ତ ଦେହରେ ବି ମୁଁ ନାହିଁ,

ଝୁଲେଇଦିଏ ହେଙ୍ଗରରେ ବେଳ ଅବେଳରେ

ବୋଝ ବୋଝ ମନେ ହେଲେ ଓ ଖସିପଳାଏ

ଜମା ପଚାରନି ମୁଁ କୁଆଡେ ଯାଏ ଦେହ ନ ଥିବାବେଳେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍