STORYMIRROR

Prahallad Satpathy

Romance

3  

Prahallad Satpathy

Romance

କାୟାତୀତ

କାୟାତୀତ

1 min
166


ଆମେ ଦିହେଁ ଦିହିଁଙ୍କୁ ଓହ୍ଲେଇ ଦେବା

ବୋଝ ବୋଝ ମନେ ହେବା ବେଳେ

ଦିହେଁ ଦିହିଁଙ୍କ ପାଇଁ ।


ଯେମିତି ଓହ୍ଲେଇ ଦିଏ ଓଟ ମରୁଭୂମିକୁ

ଯେମିତି ଓହ୍ଲେଇ ଦିଏ ଆଖି ଜହ୍ନକୁ।


ଟାଙ୍ଗି ଦେବା ଆମେ ଆମର ଅବୟବ

କଂସେଇ ଯେମିତି ଟାଙ୍ଗିଦିଏ ଛେଳିକୁ

ହେଙ୍ଗର ଯେମିତି ଝୁଲେଇଦିଏ ପୋଷାକକୁ

ଆକାଶ ଯେମିତି ଝୁଲେଇଦିଏ ଇନ୍ଦ୍ରଧନୁକୁ

ଆମେ ଅଶରୀରୀ ଘୂରିବା

ଯେମିତି ଘୂରେ ପବନ ଅଶରୀର।


ଆମେ ଦିହେଁ ଦିହିଁଙ୍କୁ ଅନେଇବା

ଅନ୍ୟ କେହି ଆମକୁ ନ ଅନେଇବା ବେଳେ

ଆମେ ଦିହେଁ ଦିହିଁଙ୍କୁ ଛୁଇଁବା

ଅନ୍ୟ କେହି ଆମକୁ ନ ଛୁଇଁବା ବେଳେ।


ଉଇହୁଙ୍କା ଯେମିତି ଘୋଡେଇ ରଖେ ଉଇଗୁଡାଙ୍କୁ

ଫୁଲର ପାଖୁଡା ଯେମିତି ଢାଙ୍କି ରଖେ ପରାଗରେଣୁକୁ

ଦେହ ଯେମିତି ଗୋପନ ରଖେ ଜୀବକୋଷକୁ

ଆମେ ଦିହେଁ ଦିହିଁଙ୍କୁ ସାଇତି ରଖିବା ଦିହିଁଙ୍କ ପାଇଁ।


କୋରଡ ଆଶ୍ରୟ ଦେବାଭଳି ସାପକୁ

ନୀଡ ଆଶ୍ରୟ ଦେବାଭଳି ପକ୍ଷୀକୁ

ଗୁମ୍ଫା ଆଶ୍ରୟ ଦେବାଭଳି ବାଘକୁ

ଆମେ ଆଶ୍ରୟ ଦେବା ଆମର

ତମାମ୍ ହିଂସ୍ରତାକୁ, ଭଲପାଇବାକୁ।


ଦେହ, ନୀଡ, କୋରଡ, ଗୁମ୍ଫା

ଖାଲି ଯାହା ଭିନ୍ନ ଆସ୍ତରଣ ଚର୍ମର।


ଆମେ ଦେହକୁ ମଧ୍ୟ ଓହ୍ଲେଇ ଦେବା

କାମାତୁର ଆଖି ଦିଓଟିର ଚାହାଁଣୀରୁ,

ମେଘ ଯେମିତି ଓହ୍ଲେଇ ଦିଏ ଜଳକଣାକୁ

ଆମେ ଓହ୍ଲେଇ ଦେବା ଆମର ଆଦିମତାକୁ

ବୋଝ ବୋଝ ମନେ ହେବା ବେଳେ

ଦିହେଁ ଦିହିଁଙ୍କ ପାଇଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance