ଦୂରରେ କେଉଁଠି
ଦୂରରେ କେଉଁଠି
ଦୂରରେ କେଉଁଠି ମୃଦଙ୍ଗର ତାଳେ ତାଳେ ନାଚୁଛି ପୃଥିବୀ
ଦୂରରେ କେଉଁଠି ଆକାଶକୁ ରଙ୍ଗ ଓ ତୁଳୀରେ ଆଙ୍କୁଛନ୍ତି କୁନିକୁନି ତାରାମାନେ
ଦୂରରେ କେଉଁଠି ପାହାଡ଼ରେ ନିଆଁ ଲଗେଇ ଦେଇଛନ୍ତି ଗଛମାନେ
ଦୂରରେ କେଉଁଠି ନଦୀଟିଏ ଆସ୍ତେ ଆସ୍ତେ ବରଫରେ ରୂପାନ୍ତରିତ ହେଉଛି
ଦୂରରେ କେଉଁଠି ଗୋଟାଏ ସହର ପୋତି ହେଇ ଯାଉଛି ବାଲିରେ ।
ମଣିଷମାନେ ସ୍ତୁପ ହେଇଛିଡା ହୋଇଛନ୍ତି
ନିର୍ଦ୍ଧିଷ୍ଟ ଏକ ଦୂରତାରେ
ମୁଖାରେ ଢ଼ାଙ୍କି ଦେଇଛନ୍ତି ଯିଏ ଯା'ର ମୁହଁ
ଭିନ୍ନ ଭିନ୍ନ ଭାଷା ନେଇ ଆଖିରେ
ପରସ୍ପର ସହ କଥା ହେଉଛନ୍ତି ।
ସେମାନେ କେମିତି ବଂଚିବେ
ସେମାନେ କ'ଣ ସବୁ କିଣି ପାରିବେ
କେତେ ଘଣ୍ଟା ଶୋଇବେ,
କେତେ ସ୍ବପ୍ନ ଆଖି ଦେଖିପାରିବ
ନିଦର ଦାମ ,ସବୁକିଛି ଧାର୍ଯ୍ୟ ସରକାର କରୁଛି ।
ଓଠକୁ ହସର ଜାମା ବି ସରକାର ପିନ୍ଧେଇବ
ଖଳାକୁ ସାର ବିହନ ଯୋଗେଇବ ସରକାର
ପାଳଭୂତ ପାଇଁ ଇସ୍ତାହାର ଦେବ ସରକାର ।
ମଣ୍ଡିରେ କିଛି କିଛି ପାଳଭୂତ ଛିଡା ହେବେ
ଆଉ ବାକିସବୁ ରାଜରାସ୍ତାରେ ନାରା ଦେବେ
'ଜୟ ଯବାନ ଜୟ କିଷାନ '।
କିଛି ଲୋକ ମାଇକ ଧରି ଛିଡା ହୋଇଥିବେ
କିଛି ଲୋକ ବନ୍ଧୁକ ଧରି ଛିଡା ହୋଇଥିବେ
ଷ୍ଟେଚ୍ୟୁ ହେଇ ଗାନ୍ଧୀ ଛିଡା ହେଇଥିବେ
ରାସ୍ତା କଡରେ
ସହରଟିଏ ଛିଡା ହୋଇଥିବ ମଝି ଛକରେ।
ଖାଲି ଖାଲି ରାସ୍ତା,କିଛି କିଛି ବୁଲା କୁକୁର
କେଇଟା ଲାଇଟପୋଷ୍ଟ,
କିଛି କିଛି ଲିଚୁ ଲାଇଟରେ
ସଜା ହେଇଥିବ ଆକାଶ ।
ବରଫର ଚଢ଼େଇ,ବରଫର ଗଛଡାଳରେ
ବସି ଘୁମଉ ଥିବ ।
ନିଜ ଚାରିପଟେ ମଣିଷ ଘୁରୁଥିବ ନାଚି ନାଚି
ପୃଥିବୀ ଚାରିପଟେ ଘୁରୁଥିବ ମଣିଷ
ଭୋକ ଚାରିପଟେ ଘୁରୁଥିବ ମଣିଷ
ଲୋଭ ଚାରିପଟେ ଘୁରୁଥିବ ମଣିଷ
ଶୋଷ ଚାରିପଟେ ଘୁରୁଥିବ ମଣିଷ
ବରଫର ନଦୀ ଚାରିପଟେ ଘୁରୁଥିବ ମଣିଷ
ବଜାର ଚାରିପଟେ, ମଲ୍ ଚାରିପଟେ ଘୁରୁଥିବ ମଣିଷ
ଈଶ୍ୱରଙ୍କ ଚାରିପଟେ ଘୁରୁଥିବ ମଣିଷ।
ଦୂରରେ ଖୁବ ଦୂରରେ,
ଭୁକମ୍ପନରେ ମାଟି ଦି'ଭାଗ ହେବ
ଭୁସ୍ଖଳନ ହେବ
ଜାବୋଡି ରଖି ପାରୁନଥିବ ମାଟି,ଗଛକୁ ,
ଜାବୋଡି ରଖି ପାରୁନଥିବ ଡାଳପତ୍ରକୁ ।
ପକ୍ଷୀସବୁ ବରଫରେ ରୂପାନ୍ତରିତ ହେଉଥିବେ
ମଣିଷ ଆସ୍ତେ ଆସ୍ତେ ଷ୍ଟେଚ୍ୟୁରେ ରୂପାନ୍ତରିତ ହେଉଥିବ
ହୃଦୟର ସ୍ପନ୍ଦନ ଉପର ଦେଇ ଟ୍ରେନଟିଏ
ବଗି ନେଇ, ଚକ ନେଇ,ଶବ୍ଦ ନେଇ,
ରାତି ନେଇ,ଆକାଶ ନେଇ ପକ୍ଷୀସବୁକୁ ନେଇ,
ଦୂରରୁ,ଖୁବ ଦୂରକୁ ଚାଲିଯାଉଥିବ।
(ପ୍ରହଲ୍ଲାଦ କୁମାର ଶତପଥୀ)
