STORYMIRROR

Prahallad Satpathy

Others

4  

Prahallad Satpathy

Others

ଯାଏଁ ଘେରେ ବୁଲିଆସେ ସହର

ଯାଏଁ ଘେରେ ବୁଲିଆସେ ସହର

2 mins
14


ଯାଏଁ ଘେରେ ବୁଲିଆସେ ସହର

ଦିନସାରା ଖଟି ଥକା ହେଇ ଶୋଇପଡିଥିବା 

ରାସ୍ତା ମାନଙ୍କୁ ଘୋଡେଇ ଦିଏଁ ଧୁଳିର ଚାଦର।

ଫୁଲ ପୁଟଉଥିବା ଗଛ ସବୁକୁ ସେଲ୍ୟୁଟ ,

ଜାତୀୟ ପତାକା ମୋ ପାଇଁ ସବୁ ପତ୍ର

ଉଡୁଥାନ୍ତି ଫର ଫର।

ତାରା ଯେତେ ଆକାଶର, ପ୍ରତୀକ ଚେତନାର।


ଫୁଲ ଫୁଟୁଛି ନିଜସ୍ୱ ଇଚ୍ଛାରେ

କାକର ର ଗହଣା ପିନ୍ଧିଛି ଘାସ, 

ନିଜସ୍ୱ ସଂଗୀତରେ ବିଭୋର ନଈ ବହି ଚାଲିଛି ପୃଥିବୀର ଶିରା ପ୍ରଶିରାରେ ।

ନଈ ଯୋଡୁଛି ମଣିଷ କୁ ମଣିଷ ସହ 

ନିଜେ ବିସର୍ଜିତ ହୋଇ ସାଗରରେ,

ହରାଇ ଅସ୍ତିତ୍ୱ ।


ଏଇ ସହର କା'ର ରକ୍ତ, ମାଂସ,ହାଡ଼,ପଞ୍ଜରା, ଖପୁରି ଉପରେ ତିଆରିଛି ସାମ୍ରାଜ୍ୟ ନିଜର

ଭାଙ୍ଗିଛି ଚାଳଘର,ଗଢୁଛି କୋଠା

ଆଦିମ ଜୀବ ଜଗତ କୁ ହତ୍ୟା କରି ଗଢୁଛି ସଭ୍ୟତା।


ଯାଏଁ ଦି ଘେର ବୁଲିଆସେ, ସହର ଶୋଇ ଥିଲାବେଳେ

ଅନୁଭବ କରିଆସେ ଶ୍ମଶାନର ନୀରବତା ।

ମୃତ ଲୋକଙ୍କ ସଂଗେ ଦି ପଦ କଥା ହେଇଆସେ,

ସମୟ କାଇଁ କଥା ହେବାକୁ ଆଜିକାଲି ଜୀବିତ ଲୋକଙ୍କ 

କିଏ କେଉଁମିତି ମରିଥିଲେ, ସେମାନେ ବଖାଣିବେ,

ମୁଁ ପ୍ରତିଟି ମୁହୂର୍ତ୍ତରେ ଏଠି ମରୁଛି,ସେମାନଙ୍କୁ କହିବି।


ମଲା ଲୋକଙ୍କୁ ରାତିଟିଏ ତ ବଞ୍ଚେଇ ପାରିବି।

ସକାଳ ହେଲେ ସଭିଏଁ ମରିଯାନ୍ତି ।

ଆକାଶର ତାରା,ଜଙ୍ଗଲର ଗଛ

ପାଣିର ମାଛ,କଂସେଇଖାନାରେ ଛେଳି

ଅଗଣାର କୁନି କୁନି ଘୁରିବୁଲୁଥିବା ରଙ୍ଗ ବେରଙ୍ଗୀ କୁକୁଡ଼ା ଚିଆଁ ଯେତେ।


ରାତି ଗାଢ଼ ହେଉଛି

ଅନ୍ଧାର ଆମକୁ ଘେରିରହିଛି।

କିଛି ବୋଲି କିଛି ଆଖିକୁ ଦିଶୁନି

ଚାଳ ଘର ଦିଶୁନି,ବଡ଼ ବଡ଼ ଅଟ୍ଟାଳିକା ଦିଶୁନି

ପୋଖରୀ ଦିଶୁନି, ପରିତ୍ୟକ୍ତ ଈଶ୍ୱର ବି ଦିଶୁନାହାଁନ୍ତି,

ରାସ୍ତା ଘାଟ ମନ୍ଦିର ମସଜିଦ ,କିଛି ଦିଶୁନି ।


କେଉଁ ଫୁଲଗଛ ଗମଳାରେ ସୁସଜ୍ଜିତ,କିଏ ରାସ୍ତା କଡରେ, କେହି କହି ପାରିବେନି

କେଉଁ କୁକୁର ଛୁଆ ବିଛଣାରେ ଶୋଇଛି ମାଲିକ ସହ ତ କେହି କେହି ରାସ୍ତା କଡରେ।


କିଛି ବି କାହାକୁ ଦିଶୁନି।

ରାତି ନିଭେଇ ଦିଏ ଅନ୍ଧାରରେ ,ସହରର ନକ୍ସା

ପଟ୍ଟା ,ପାର୍ଚ୍ଚା,ମାଲିକାନା ।

ସ୍ୱପ୍ନ ଦେଖୁଥିବା ଆଖି ଖାଲି ଯାହା ଦେଖିପାରେ

କୋଠା ଜହ୍ନରେ,

ଲିଚୁଲାଇଟରେ ସଜେଇପାରେ ସମଗ୍ର ଆକାଶ ।


ଏଇତ ଫର୍ଚ୍ଚା ଫର୍ଚ୍ଚା ଦିଶିଲାଣି ଆକାଶ

ପୁଣିଥରେ ଭାଗ ଭାଗ ହେବ ମାଟି

ପୁଣିଥରେ ଥିଲା ଲୋକେ ଅକ୍ତିଆର କରିବସିବେ ଆକାଶ।

ନଈ ମରିପଡିଥିବ,ମୃତ ଗଛ ଗଣ୍ଡିକୁ ବୋହିନେବ ପୁଣି ଥରେ ଭୋକ,ଜହ୍ନ ହଜିଯାଇଥିବ,

ନିଖୋଜ ଜହ୍ନକୁ ନେଇ କବିତା ଲେଖା ସରିଥିବ।

ମରୁବାଲିରେ ବସି ବାଲୁକା ଶିଳ୍ପୀ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ପୃଥିବୀର ଚିତ୍ର ଆଙ୍କୁଥିବ,

ଆମେ ଯେତେସବୁ ଦେଖଣାହାରି ଅନ୍ଧାରକୁ ଅପେକ୍ଷା କରିଥିବୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍