ଦିନେ ମୁଁ ବାହାରିଯିବି
ଦିନେ ମୁଁ ବାହାରିଯିବି
ପାଦ କେତେ ମହଣ ରାସ୍ତା ଆଜି ମାପିଲା,
ଜାଣି ପାରିଲି,
ନିଃଶ୍ୱାସ କୁ ପଢ଼ିଲି ଦିନ ତମାମ,
ସତେ ଯେମିତି ଉପନ୍ୟାସ ଟିଏ ।
ହୃଦୟର ସ୍ପନ୍ଦନକୁ ଶୁଣିଲି,
ଗୀତ ଗୀତ ମନେ ହେଲା,
ବୋଧହୁଏ ତମେ ସେଠି ରୁହ ବୋଲି।
ଆଖି ଅନେଇ ରହିଛି ଏଯାବତ,
ସକାଳୁ ସଞ୍ଜ ଯାଏଁ,ଏବେ ତ ଅଧରାତି,
ପୁଣି ସକାଳ ଆସିଯିବ,
ତା' ପରେ ପରେ ରାତି।
ଆଖି ଅନେଇ ରହିଛି।
କାହାକୁ?
କିଏ କ'ଣ କଥା ଦେଇଥିଲା ଆସିବାକୁ, ଆସିନି ଏଯାଏଁ ।
ଭଲ ଦୃଶ୍ୟ ଟିଏ ଦେଖୁ କୋଉ ଆଖି ନ ଚାହେଁ ଯେ!
ତୁଉତ ଗଛରୁ ଫଳ ଖାଉଛି ପକ୍ଷୀ ଟିଏ,
ପାପୁଲିରେ ରଙ୍ଗ ଲଗେଇ ଗାଲ ଖୋଜୁଛି କେହି ଜଣେ ,
ରାସ୍ତାଟିଏ ଲମ୍ବିଛି,ଛାଇଟିଏ ଚାଲୁଛି ତା' ଦେଇ,
ଉପରେ ଆକାଶ,ଯା'ର ସୂର୍ଯୋଦୟ ଓ ସୂର୍ୟ୍ଯାସ୍ତ,ଖାଲି ଦୁଇଟି ରଙ୍ଗ ।
ଦେଖିନିଏ ଅଛନ୍ତି ନା ନାହିଁ ସେମାନେ ଯୋଉ ମାନେ ଥିବା କଥା ମୋ ଭିତରେ,
ଆଖି ଓଠ ହୃତପିଣ୍ଡ,ପାଦ
ନିଃଶ୍ୱାସ ପ୍ରଶ୍ୱାସ ।
ବେଳେ ବେଳେ ମୁଁ ଜାଣି ପାରେନା ସେମାନଙ୍କ ସ୍ଥିତି,ନଥାଇ ବି ଥିଲା ପରି ଲାଗନ୍ତି ,
କେହି କାହାକୁ ଖାତିର କରନ୍ତିନି ।
ଓଠ କହୁଥାଏ ଆପଣାଛାଏଁ
ଆଖି ଅନ୍ୟତ୍ର ଦେଖୁଥାଏ,
ଗୋଡ଼କୁ ପାଦ ଟାଣି ନେଉଥାଏ ଅନିଚ୍ଛା ସତ୍ତ୍ୱେ
ହୃତସ୍ପନ୍ଦନ ବଢ଼ି ଚାଲିଥାଏ,
ଆଖି ଭିତରକୁ ସଭିଏଁ ପଶି ଆସୁଥାନ୍ତି ଦୃଶ୍ୟ ହୋଇ।
ଦିନେ ଦିନେ ମୁଁ ବାହାରେ ଏମାନଙ୍କୁ ସାଙ୍ଗରେ
ନ ନେଇ,ହେଲେ ମୋ ପଛେ ଧାଇଁ ଆସନ୍ତି ସେମାନେ।
ଦିନେ ନା ଦିନେ ମୁଁ ବାହାରିଯିବି ଏମାନଙ୍କୁ ନ ନେଇ,ମୁଁ ଜାଣେ।
କିଛି ଦେଖି ପାରିବନି ମୋ ଆଖି
କିଛି ଶୁଣି ପାରିବନି ମୋ କାନ ଦିଓଟି
ପାଦ ପୋତି ହୋଇଯିବ ମାଟି ଭିତରେ
ଶବ୍ଦ ଥମି ଯିବ ଛାତିଭିତରୁ
ବନ୍ଦ ହେଇଯିବ ନିଃଶ୍ୱାସ
ସବା ଶେଷ ହାଇ ଟିଏ ମାରି ମୁଁ ଶୋଇ ପଡିବି ନିଦରେ ,ସବୁ ଦିନ ପାଇଁ।
ଟିଭି ପରଦାରେ ଚାଲିଥିବ ଯୁଦ୍ଧ ରୁଷିଆ ଇଉକ୍ରେନ ମଧ୍ୟରେ,
ବେଲି ନାଚ ଚାଲିଥିବ ଫତେ ନୁରା ର,
ରକ୍ତରେ ପାପୁଲି ଭର୍ତ୍ତି କରି, ହାତ ମାନେ
କାନ୍ଥ ଦରାଣ୍ଡୁଥିବେ ଅନ୍ଧାର ରାତିରେ,
ଛାପିବାକୁ ବିଭୀଷିକାର ଚିତ୍ର।
ହେଲେ ପୃଥିବୀ ନ ଥିବ
ଦେଖିବାକୁ ନିଜସ୍ୱ ଯବନିକା ର ସ୍ଥିର ଚିତ୍ର।
ପରଦା ପଡି ସାରିଥିବ ରଙ୍ଗମଞ୍ଚରୁ
ସବା ଶେଷ ଦୃଶ୍ୟ ପରେ ପରେ,
ନାଟକ' ପୃଥିବୀ 'ର ।