STORYMIRROR

Prahallad Satpathy

Others

4  

Prahallad Satpathy

Others

ଶବ୍ଦର ଜରାୟୁ

ଶବ୍ଦର ଜରାୟୁ

1 min
15

ଶବ୍ଦର ଜରାୟୁ

ଶବ୍ଦର ଜରାୟୁରେ ମୃତ ଶିଶୁ ପ୍ରାୟ କବିତା
ଶବ୍ଦ ଏବେ ନିଃସଙ୍ଗ।
ରାସ୍ତା ନିରୋଳା,ଏକାକୀ ପଦାତିକ
ଯିବାକୁ ଅଛି ବହୁଦୂର।

ପାଦରେ ହିଁ ଲମ୍ବିଥାଏ ରାସ୍ତା ଅୟୁତ ଅୟୁତ କୋଶର। ଚାଲି ଜାଣିବା ଦିନଠୁ ମୁଁ ଚାଲୁଛି
ଯେତେ ଚାଲୁଛି,ରାସ୍ତା ବଢି ବଢି ଯାଉଛି।

ଯିଏ ଚଢ଼ିଗଲା ଗଛକୁ ତା'ପାଇଁ ରାସ୍ତା ଗଛରେ
ଯିଏ ଖସିପଡ଼ିଲା ପାହାଡ଼ର ଶୀର୍ଷରୁ
ସିଏ ଜଳ ପ୍ରପାତ ,
ବହିଯାଏ ଯେ ଵହିଯାଏ ଖୁବ ଦୂରକୁ ।

ଆଉ କେହି କେହି ଭାସି ଯାଆନ୍ତି,
ସାରାଟା ଯାକ ଜୀବନ ଭାସୁଥାନ୍ତି।
ଭାସିବାରେ ବି ରାସ୍ତାଟିଏ ଥାଏ
ସୁନ୍ଦର ଝିଅଟିର ଆଖିରେ ହେଉ ଅବା ବଢ଼ିପାଣିରେ।

ମୁଁ ଅନାଏ ଆକାଶକୁ,
ସୁଦୀର୍ଘ ରାସ୍ତାଟିଏ
ମୁଁ ଅନାଏ ପକ୍ଷୀ ଟିକୁ ସୁନ୍ଦର ଡେଣା ହଳେ
ଉଡେ ଯେ ଉଡେ,ଉଡୁଥାଏ
ଉଡିବା ଶିଖିବା ଦିନଠୁ।
ଡେଣାରେ ଆକାଶ ବସବାସ କରେ ।

ବାଘ ପାଟିରେ ମୁଁ ଜଙ୍ଗଲ ଦେଖିଛି
ଜଙ୍ଗଲର ସବୁତକ ରାସ୍ତା
ତା'ର ପାଟିରେ ସରିଯାଏ,
ଚଢ଼େଇର ଚିଇଁ ଚାଁ,ହରିଣର ଦୌଡ,
ସାପର ଫଣା,ସବୁ କିଛି ।

ଲହଡିର ସମଷ୍ଟିରେ ତିଆରି ଗୋଟାଏ ସମୁଦ୍ର
ଲମ୍ବିଥାଏ ଯେ ଲମ୍ବିଥାଏ
ଜାହାଜର ପାଦ ବଢିଚାଲିଥାଏ ଆଗକୁ ଆଗକୁ
ଯୁଆଡେ ଆଖିଯାଏ ପାଣି ।

ତିମି ମାଛର ପାଟିରେ ଦିନେ ହଜିଗଲା ସମୁଦ୍ର
ଜାହାଜ ଖୁବ ଖୋଜିଲା
ହଜିଲା ଜିନିଷର ଠିକଣା ଥାଏ କି?
ତମେ ଖୋଜି ଚାଲିଥାଅ
ହଜିଲା ଲୋକ ଆହୁରି ବେଶି ହଜି ଚାଲିଥାଏ ।

ବଣ ଦିଶେ,ପାହାଡ଼ ଦିଶେ, ଅନ୍ଧାର ଦିଶେ,
ଆଲୁଅ ଦିଶେ
ମଦନିଶା ରେ ଚୁର୍ ଖଳା ଦିଶେ
ଗାଢ଼ ଶାଗୁଆ ପତ୍ର ସବୁ ଦିଶନ୍ତି
ରାସ୍ତାସବୁ ସରୀସୃପ ପରି ମାଡି ଯାଉଥାନ୍ତି ଆଗକୁ ଖାଲିଯାହା ହଜିଲା ଲୋକ ଆଖିକୁ ଦିଶେନି।

ଜହ୍ନ ପଇଁତରା ମାରୁଥାଏ ଆକାଶରେ
ତାରାମାନେ ମେଘ ଭିତରେ ଖୋଜି ଚାଲିଥାନ୍ତି ରହସ୍ୟ ଓ ଆସ୍ତେ ଆସ୍ତେ ହଜି ଯାଆନ୍ତି।
ସବୁ କିଛି ହଜେଇଦେଲା ପରେ ବି
ଶାନ୍ତ କମନୀୟ ଦେଖାଯାଉଥାଏ ଆକାଶ !


 (ପ୍ରହଲ୍ଲାଦ ଶତପଥୀ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍