ମୁଁ ବୟସ୍କ ହେଲାବେଳେ
ମୁଁ ବୟସ୍କ ହେଲାବେଳେ
ତମେ ଭୁଲିଗଲେ ମୁଁ ବୟସ୍କ ହୋଇଯିବି
ଆଖି ଢ଼ିମା ଢ଼ିମା ଦେଖାଯିବ
କାନ ଦିଶିବ ହାତୀର କାନ ପରିକା
ନାକ ଲମ୍ବିଯିବ ଖୁବ ଆଗକୁ
ଲୋଚାକୋଚା ହେଇଯିବ ଚମ
ଚପଳା ନଈ ଦେଖିଲା ମାତ୍ରେ ବାଟ କାଟିଦେଵ
ରଙ୍ଗ ବଦଳେଇଦେବ ପତ୍ର
ପବନକୁ ଦେଖି ଡରିଯିବ, ଝରି ଯାଇପାରେ,
ଗଛରୁ ଖସି, ପଡି ଯାଇପାରେ।
ଆୟୁଷ ଗଛର ସବୁବେଳେ କିଆଁ ଯେ ପତ୍ରଠୁ ବଳିଯାଏ!
ଜୀବନ ଆପଣା ଛାଏଁ ବହି ଚାଲିଥାଏ
ମଣିଷ ମାନେ ପତ୍ର ପରିକା ଝରୁଥାନ୍ତି ପୁଣି ନୂଆଁ ପତ୍ର ପରିକା ପିକଉଥାନ୍ତି।
ବୟସ୍କ ହେଲାବେଳେ
ପୃଥିବୀ ଆହୁରି ସୁନ୍ଦର ଦିଶୁଛି
ଆକାଶ ଖୁବ ରଙ୍ଗ ବଦଳଉଛି ।
ସମୁଦ୍ର ଲହଡ଼ି ସବୁକୁ ନେଇ ମୋ ପାଖକୁ ମାଡି ଆସୁଛି।
ଦୁବଘାସ କହୁଛି ଆହୁରି ବେଶି ସବୁଜିମା ଅଛି ଜୀବନରେ,
ସାଧବ ବୋହୁ ଆହୁରି ବେଶି ସୁନ୍ଦର ଦିଶୁଛି ଆଖିକୁ।
ସେପଟେ ଭଙ୍ଗା ପୋଲ ଉପରେ କିଛି ଭଙ୍ଗା ହୃଦୟ ବସିଛନ୍ତି
ଅନଉଛନ୍ତି ପରସ୍ପରକୁ
ନିଃଶ୍ୱାସକୁ ପଢୁଛି ଆଖି
କାଶ ଶୁଭୁଛି କାନକୁ
ପାପୁଲି ବାଙ୍କୁଳି ବାଡ଼ିକୁ ଧରିଛି ନା ବାଙ୍କୁଳିବାଡ଼ି ଧରିଛି ପାପୁଲିକୁ, ଜଣା ପଡୁନି,
ଓଠର ଶବ୍ଦ ଓଠରେ ରହିଯାଉଛି
କିଛି ବାଟ ଆସି ପୁଣିଥରେ ଭିତରକୁ ପଶି ଯାଉଛି।
କୋଳାହଳ ଠୁ ନୀରବତା ବଳିଯାଉଛି
ଜୀବନ ରାସ୍ତା ଦରାଣ୍ଡୁଛି ମୃତ୍ୟୁର ।
ମଣିଷ ନିଜର ଘର କୁ ଖୋଜୁଛି
ଘରଟିଏ ଆସ୍ତେ ଆସ୍ତେ ହଜିଯାଉଥାଏ କିଆଁ ଯେ ମୁଁ ବୟସ୍କ ହେଲା ବେଳେ!
ବାପା ଏବେବି କାନ୍ଥରେ
ବାପା ଓ କାଁଥ, ଉଭୟଙ୍କ ଦେହରୁ ଚୂନ ଖସିଛି
ବାପା ଖଣ୍ଡିଆ ଦିଶୁଛନ୍ତି
ମା ଙ୍କ ମୁହଁ ପଲିଥିନ ବାଗ୍ ଭିତରୁ ଦିଶୁଛି ଅଧାତିଆ
ଦେହ ଲୁଚି ସାରିଛି
ବାର୍ଷିକ ଶ୍ରାଦ୍ଧ ପରେ ପରେ ଫେରିଥିବା ଫଟୋ ପାଇଁ କାଂଥ ଖୋଜା ଚାଲିଛି।
ମୁଁ ନିଜେ ନିଜକୁ ବୋହି, କାଂଥ ଖୋଜୁଛି,
ଗଛର ଡାଳ ଖୋଜୁଛି
ଆକାଶ ଖୋଜୁଛି
ମୁଁ ନିଇତି ମରୁଛି କିଛି କିଛି।
ଝୁଲିବାରେ ଅଭ୍ୟସ୍ତ ମୁଁ
କେବେ ହେଙ୍ଗର୍ ରେ
କେବେ ଡାଳରେ ପତ୍ର ପରି ଝୁଲୁଛି
କେବେ ବେତାଳ ପରି କା'ର କାନ୍ଧରେ ଝୁଲୁଛି
କେବେ ଇନ୍ଦ୍ରଧନୁ ପରି ଝୁଲୁଛି ଆକାଶରେ।
ମୁଁ ବୟସ୍କ ହେଲାବେଳେ ଘୁରୁଛି ରଙ୍ଗ ବେରଙ୍ଗି ପୋଷାକରେ,
ରଙ୍ଗ ଲଗେଇ କେଶରେ
ହସ ଲଗେଇ ଓଠରେ
ପାଦକୁ ଢ଼ାଙ୍କି ଚମଡା ଜୋତାରେ
ସେପଟେ ଶବ୍ଦ ହଜିଯାଉଛି ଓଠରୁ
ରାସ୍ତା ସରି ସରି ଆସୁଛି ପାଦରୁ
ଖଞ୍ଜା ଖସି ଖସି ଯାଉଛି ଆଣ୍ଠୁରୁ
ଅଲିନ୍ଦରୁ ଖସି ଯାଉଛି ନିଃଶ୍ୱାସ
ମୁଁ ବୟସ୍କ ହେଲା ବେଳେ ହାତ ମୁଠା ରୁ ଉଡି ଯାଉଛି ପକ୍ଷୀ, ଆକାଶ
ମାଟି ବାରମ୍ବାର ହାତ ଠାରି ଡାକୁଛି।
