ସୁନ୍ଦରେ ତୃପ୍ତିର ଅବସାଦ ନାହିଁ।
ସୁନ୍ଦରେ ତୃପ୍ତିର ଅବସାଦ ନାହିଁ।


ପ୍ରାତଃ ବାଳାରୁଣ ସ୍ଵର୍ଣ୍ଣାଭ କିରଣ
ପ୍ରାଚୀ ଚକ୍ରବାଳେ ହସେ
ସବୁଜ ଘାସରେ ଶିଶିରର ବିନ୍ଦୁ
ମୁକୁତା ମୁକୁତା ଦିଶେ।
ଦେଖ ଏ ସୌନ୍ଦର୍ଯ୍ୟ ଥରେ
ଟିକି ଗଡ଼ିଆରେ ନୀଳ କଇଁ
ଦୋଳେ ଚୁନି ଚୁନି ତରଙ୍ଗରେ ।
ମୀନା କରା ତାରା ମଧ୍ୟରେ ଚନ୍ଦ୍ରମା
ଜ୍ୟୋତ୍ସ୍ନା ରୂପା ରେଣୁ ବୁଣେ
ଶରତ ସନ୍ଧ୍ୟାରେ ସଫେଦ ନଭରେ
ଭାବୁକର ମନ କିଣେ।
ଆହା କି ବିଚିତ୍ର ଶୋଭା
ସୁନ୍ଦର ପ୍ରକୃତି ସଜେଇ ଦେଇଛି
ଭଳି ଭଳି ମନଲୋଭା ।
ଇନ୍ଦ୍ରଧନୁର ରଙ୍ଗ ପସରା
ସାଧବ ବୋହୂର ଚାଲି
ଆଦ୍ୟ ଆଷାଢ଼ର ପହିଲି କଦମ୍ବ
ଦୋଳୁଥାଏ ହଲି ହଲି।
ରିମ୍ ଝିମ୍ ବର୍ଷା ସୁରେ
ଦେଖିଛ କି ବନ୍ଧୁ ଏକାନ୍ତରେ କେବେ
ନିଜ ଗାଁ ନଈ ଧାରେ ?
ଗଜ ଗମନୀର ତିଳ ଚିବୁକରେ
ପଦ୍ମ ପଳାଶ ହସ
ଆରକ୍ତ ନୟନ କୃଷ୍ଣ ଚିକୁର
ଯୋଗୀ ମନଲୋଭା ବେଶ।
ହଳଦୀବସନ୍ତ ତନୁ
ଯେତେ ଦେଖୁଥିଲେ ନୂଆ ଦିଶୁଥାଇ
ପାଶୋରି ନଯାଏ ମନୁ ।