ପ୍ରିୟାର ଗାଆଁ
ପ୍ରିୟାର ଗାଆଁ
ଚୋରା ଚଇତାଳି ସୁରଭିତ କରେ
ନିତି ଗିରି ବନ ତଳ
ପାହାଡ଼ି ନଈର ସ୍ନିଗ୍ଧ ମଧୁର
କୁଳୁକୁଳୁ ଥଣ୍ଡା ଜଳ ।
ସଜ ସକାଳର ପହିଲି କିରଣ
ଛାପିଦିଏ ଝୋଟି କମ
ସୋରିଷ କ୍ଷେତରେ ସକାଳ ଶିଶିର
ହୀରା ପଦକରେ ହେମ ।
ଭରା ଯଉବନୀ ଫଗୁଣ ଯାମିନୀ
ଚହଟାଏ ପୁଷ୍ପ ବାସ
ପଳାଶ ବଣର କଜଳ କଳିକା
ଓଠରେ ଲାସ୍ୟ ହସ ।
କାକଳୀ କୂଜନ ମଧୁପ ଗୁଞ୍ଜନ
କରେ ଚିତ୍ତ ବିନୋଦନ
ମୀନାକରା ତାରା ଜହ୍ନ ଜ୍ୟୋସ୍ନା ଭରା
ସତେ ଶାନ୍ତିନିକେତନ ।
ପ୍ରଣୟ ପୋହଳା ପୋଖରୀରେ ନିତି
ଫୁଟୁ ଥାଏ ନୀଳକଇଁ
ସପନର ଦୋଳି ମେଘ ଛୁଇଁ ଯାଏ
ଜହ୍ନ ଆସୁଥାଏ ନଇଁ ।
ମୋ ବର୍ଣ୍ଣ ତୂଳୀର ବଇଭବ ଯାହା
ନିତ୍ୟ କରେ ମୁଁ ଅନୁଭବ
ରୂପ କାହାଣୀର ଉପଚାର ନୁହଁ
ମୋ ପ୍ରିୟା ଗାଁର ବଇଭବ ।
ନେତ୍ର କଳ୍ପନାରୁ ଆହୁରି ଅଧିକ
ନିତ୍ୟ ବୃନ୍ଦାବନ ପ୍ରତେ ହୁଏ
ଅଙ୍ଗାର ଖଣିର ଅନ୍ଧାର ତଳେ
ମୋ ପ୍ରିୟାର ଗାଁ ହୀରାଟିଏ ।
ଫୁଲ ସ୍ତବକିନୀ ରୂପ ଲତା ପ୍ରିୟା
ଲାବଣ୍ୟବତୀ ତା ନାଆଁ
ନୀଳ ନିରିଜନ ଶୈବାଳ ଦ୍ବୀପର
ପ୍ରୀତିପୁର ପ୍ରିୟା ଗାଁ ।