ଦିବ୍ୟ ଅଳଙ୍କାର ଅଟଇ ହସ ।
ଦିବ୍ୟ ଅଳଙ୍କାର ଅଟଇ ହସ ।
ପରିଶ୍ରମ ନାହିଁ ପଇସା ପଡେନା
କିଣା ହୁଏ ନାହିଁ କାହିଁରେ
ଉଧାର ମିଳେନି ବିକ୍ରି ହୁଏନାହିଁ
ନେଇ ପାରେନାହିଁ କେହିରେ
ନାମଟି ତାହାର ହସ
ଦୁଇ ଓଠ ଚାପି ସ୍ଵଳ୍ପ ପ୍ରସାରିଲେ
ସଭିଏଁ ହୁଅନ୍ତି ବଶ ।
ହାଟକ ବରନା ଚାରୁ ଚନ୍ଦ୍ରାନନୀ
ହସି ଦବ ଯଦି ଥରେ
ଅଷ୍ଟ ଦିଗପାଳ ବାଡେଇ ହୋଇ ବେ
ଦିଗ ବଳୟ ଶୈଳ ଶୀରେ
ସୁଶ୍ରୀ ମୋନାଲିସା ହସ
ଏଯାବତ ବଞ୍ଚି ରହିଛି ଧରାରେ
ଭିନ୍ନ ସେ ହସର ରସ ।
ବସ୍ତ୍ର ଅଳଙ୍କାର ଧନ ସମ୍ପତ୍ତିଠୁ
ଆହୁରି ଦାମିକା ହସ
ଉଞ୍ଚେଇଲା ଖଣ୍ଡା ହାତରୁ ଖସଇ
ଲିଭିଯାଏ ରାଗ ରୋଷ
ଯବାଧାରୀ ଯଦି ହସେ
ବାର୍ଦ୍ଧକ୍ୟରେ ବହେ ଯୌବନ ତରଙ୍ଗ
ସ୍ପନ୍ଦନ ଜାଗଇ ଚିତ୍ତେ ।
ପ୍ରଣୟିନୀ ହସେ ପ୍ରୀତିର ପିୟୂଷ
ରକ୍ତ କରବୀ ଖସେ
ବିଷାଦ ମନରେ ଲାବଣ୍ୟ ଲହରୀ
ଅଦିନେ ବସନ୍ତ ଆସେ
ଦେଖିଛକି ବନ୍ଧୁ ଥରେ
ଶିଶୁର ହସରୁ ଅମୃତ ଝରଇ
ମନ ଭରେ ଆନନ୍ଦରେ ।
ମାଆର ହସରେ କେତେଯେ ମମତା
ଭାଉଜ ହସରେ ସ୍ନେହ
ନର୍ସ ହସରେ ରୋଗୀ ଭଲ ହୁଏ
ହସ ପାଇଁ ବ୍ୟସ୍ତ ରୁହ
ହସକୁ ନ ଭାବ ହୀନ
ଏଇ ହସ ପାଇଁ ମହାଭାରତକୁ
ରଚିଥିଲା ଦୁର୍ଯ୍ୟୋଧନ ।