ଆଶାର ଅରୁଣ
ଆଶାର ଅରୁଣ
ଜଳେ ଡହଡହ ହୃଦ ପାହାଡ ପଞ୍ଜର
ଅଣଚାଶ ମନ ବନ ପ୍ରଶ୍ବାସ ନିଶ୍ବାସ,
ନଦନଦୀ ସ୍ରୌତସ୍ବିନୀ ପ୍ରାଣ ସଞ୍ଜିବନୀ
ଅବରୁଦ୍ଧ ସ୍ୱଚ୍ଛନ୍ଦତା ପ୍ରବାହ କ୍ରମଶଃ ।
ପ୍ରଯୁକ୍ତି ଜ୍ଞାନ ବିଜ୍ଞାନ ଜନ ବିସ୍ଫୋରଣ
ହୁଏ ଦ୍ରୁତ ଅଭିବୃଦ୍ଧି ଭୌତିକ ବିକାଶ,
ବୃଦ୍ଧିପାଏ ବ୍ଯବଧାନ ବୌଦ୍ଧିକ ସମାଜେ
ଗୁଣାତ୍ମକମାନ କ୍ରମେ ହୋଇ ଯାଏ ହ୍ରାସ ।
ମଧୁର ମମତା ସ୍ନେହ ପ୍ରୀତି ପ୍ରେମାମୃତ
ସୁଶୀତଳ ସବୁଜିମା ହେଉଛି ଉଭାନ ,
ଉତ୍କଟ କାଳିନ୍ଦୀ ତଟେ ପ୍ରଦୂଷଣ ବିଷ ଜ୍ବାଳା
ପୀଡେ ଅବସାଦ ଦୁଃଖ ଅପ୍ରମିତ ଜୀବନ ।
ଉବୁଟୁବୁ ସଂସାରରେ ତୀବ୍ର ହିଂସା ଦ୍ବେଷ
ଯନ୍ତ୍ର ଦାସ କିଂକର୍ତ୍ତବ୍ଯବିମୁଢ ମଣିଷ ,
ହଳାହଳ ସ୍ବାର୍ଥ ପାଇଁ ପାଗଳ ପ୍ରାୟକ
କରିଚାଲେ ପ୍ରକୃତିର ଧ୍ବଂସ ଓ ବିନାଶ ।
କଳୁୁଷିିତ ପ୍ରିୟ ବନ୍ଧୁ ଆତ୍ମିକ ସମ୍ପର୍କ
ପୂର୍ବ ପରି ସମର୍ପଣ ନାହିଁ ଆକର୍ଷଣ,
ହଜିଯାଏ ସୁବିଶ୍ବାସ ଭକ୍ତି ସଦ୍ଭାବନା
କ୍ରୁର ହିଂସ୍ର ଆତଙ୍କରେ ଜୀବନ ଉଚ୍ଛନ୍ନ ।
ଅହଙ୍କାର ବ୍ଯଭୀଚାର ତମସା ଆଚ୍ଛନ୍ନ
ଅସହାୟ ଏ ମଣିଷ ହୁଏ ଜ୍ଞାନ ଶୂନ୍ଯ,
ରକ୍ଷାକର ଜଗଦୀଶ ପ୍ରଭୁ ଜଗନ୍ନାଥ
ଅବତର ଉଦେ ହୁଅ ଆଶାର ଅରୁଣ ।
