ଆସ ! ନୂଆ କିଛି ଖୋଜିବା
ଆସ ! ନୂଆ କିଛି ଖୋଜିବା
ଆସନା !
କୁହୁଡିର ଚାଦର ତଳେ
ନିଜକୁ ଲୁଚାଇ ଦେବା ....
ଇତିହାସର ପୃଷ୍ଠାରୁ
ବିସ୍ମୃତ ଚରିତ୍ର କେହି
ଓହ୍ଲାଇ ଆସିବ ,
ଏଇଠି ଏଇ ପୃଥିବୀରେ
ତୁମ ମୋ ଆଖି ପଲକରେ
ପ୍ରେମ ,ପ୍ରଣୟର ନୂଆ ଏକ
ଅଧ୍ୟାୟ ରଚିବ ।
ସମୟକୁ ଆଖିଠାର ମାରିବା
ବେଳେବେଳେ ଭାରି ଜରୁରୀ
ନୁହେଁ କି ?
ଏକଥା ତୁମେ କାହିଁକି ବୁଝନା !!
ସବୁବେଳେ ରହିଥାଅ ଅବୁଝା ହେଇ
ଏବେ ବି ବୁଝିବା ରହିଅଛି ବାକି ।
ମନୋମତ , ମନୋରମ ସ୍ବପ୍ନଟିଏ
ଶବ୍ଦ କରେ ସବୁବେଳେ ନୀରବରେ ,
ଛାତି ତଳେ ଅବୁଝା ଗୁଞ୍ଜନ
ଛମଛମ କରେ
ଇଚ୍ଛା, ଅନିଚ୍ଛା ରେ
ଆପଣା ଢଙ୍ଗରେ ।
ଏତେ ଲୋଡ଼ିବା ପଣ
ବ୍ୟାକୁଳତା ଥାଇ
ଦୁରତ୍ୱର ବ୍ୟବଧାନ
ତିଆରି ହୁଏ , ପୁଣି ଭାଙ୍ଗିଯାଏ
ଛୋଟ ଏକ ସାକ୍ଷାତରେ ,
କେତେ ଆଉ ଛକାପଞ୍ଝା ଖେଳୁଥିବା
ସ୍ଥିତି , ପରିସ୍ଥିତିର ଦ୍ୱାହି ଦେଇ
ଇଚ୍ଛାକୁ ଉଜେଇଁ
ହାରି ଯାଉଥିବା ଆପଣା ଯୁଦ୍ଧରେ ?
ଆସ !
କୋଳାହଳ ଭିତରେ ବି
ନିଜପାଇଁ ଏକାନ୍ତ ପଣଟିଏ
ଚୋରି କରିବା ପାଇଁ ବାନ୍ଧିବା
ଅଖଣ୍ଡ ବିଶ୍ୱାସ ;
ଥାଉନା ଯେତେସବୁ
ଆଚାର , ବିଚାର
ଅନ୍ଧ ଅର୍ଗଳୀର ମୁଗ୍ଧ ଅବଶୋଷ,
ତୁମେ ମୋ ପାଇଁ
ମୁଁ ତୁମ ପାଇଁ
ଗୋଟାଇ ଆଣିବା
ସାଗର ବୁକୁରୁ
ମୃତ ସ୍ୱପ୍ନର ଶାମୁକା ସବୁ
ତା ଗର୍ଭରେ ଭରିଦେବା
ଆମ ଲିଭି ଯାଇଥବା ହସ -
ହାତ ଧରାଧରି ହୋଇ
ଢେଉ ଭାଙ୍ଗୁ ଭାଙ୍ଗୁ
ଦୁନିଆକୁ ପଛ କରି
ଫେରାର ହେଇଯିବା
ଅଫେରନ୍ତି ଠିକଣାରେ
ଢେଉ ତଳେ ଲୁଚାଇ ଦେଇ
ଆମ ସମୁଦ୍ର - ଉଆସ ।

