ଆହତ ଆବେଗ
ଆହତ ଆବେଗ
ହୃଦୟ ତଳର ମରମ ବେଦନା
କିଏ ବୁଝେ କିଏ ନୁହେଁ ,
ଆଶା କରିବାଟା ଉଚିତ ନୁହଁଇ
ମିଳେ ମନ ଯାହା ଚାହେଁ ।
ଅନ୍ୟକୁ ଆଙ୍ଗୁଠି ଗୋଟେ ଦେଖେଇଲେ
ରହେ ଚାରି ନିଜ ଆଡ଼େ ,
ଉପଦେଶ ଦେବା ବହୁତ ସହଜ
କାର୍ଯ୍ୟ ବେଳେ କେ' କୁଆଡ଼େ ।
ଧର୍ମ ବଡ଼ ଦାଣ୍ଡ ବୁଝିବ କି ଭଣ୍ଡ
ଆବେଗର ମର୍ମାହତ ,
ଆପଣା ଜନକୁ ହରେଇ ଥିବ ଯେ
ବୁଝିବ ଆନର କ୍ଷତ ।
କହିବା ଗାଇବା ବଡ଼ କଥା ନୁହେଁ
କହିବା ବୁଝି ମହତ୍ତ୍ଵ ,
ଆନ ହୃଦୟରେ ଦୁଃଖ ଦେଲେ କିବା
ବଢ଼ିବ ନିଜ ନିଜତ୍ବ ।
ଅନ୍ୟଠୁ ସମ୍ମାନ ପାଇବାକୁ ହେଲେ
ସମ୍ମାନ ଦେବା ନିଶ୍ଚିତ ,
ଅନ୍ୟ ଆବେଗରେ ଆଘାତ ଯେ ଦେବ
ଫେରିବ ତ ସୁନିଶ୍ଚିତ ।
ଆଜି ଅବା କାଲି ବୁମେରାଂ ହୋଇ
ନିଜ ପାଇଁ ଥୁଆ ହେବ ,
ଅଭିନୟ ସ୍ଵର ନିଜ ବ୍ଯବହାର
ପରିଚୟ ଛାଡ଼ିଯିବ ।
କହିବାଟା ଏଠି ନିହାତି ସହଜ
ଲେଖିବାରେ ନାହିଁ ଶେଷ ,
ବାଃ ବାଃ ନେବା ପାଇଁ ସର୍ବେ ଦୌଡ଼ୁଛନ୍ତି
ଫିଙ୍ଗି କଟାକ୍ଷର ଭାଷ ।
ସମ୍ପର୍କର ଭାଷା ବୁଝେଇ କୁହନ୍ତି
ସମ୍ପର୍କର ଅନ୍ତ କରି ,
ଅହଂ ଈର୍ଷ୍ୟା ଦ୍ୱେଷ କଥାରେ କାର୍ଯ୍ୟରେ
ନିଜ ହୃଦୟରେ ଭରି।
ଏମିତି କଥା ମୁଁ କହିବି କାହିଁକି
କାହା ମନେ ଦୁଃଖ ହେବ ,?
ଏମିତିକା ଶବ୍ଦ ଫିଙ୍ଗିବି କାହିଁକି
କାହା ହୃଦ ଜଳିଯିବ ।
ମିଛେ ହରି ନାମ ନେଲେ କି ହୋଇବ
ସତ୍ୟ କି ଲୁଚି ରହିବ ,?
ନିଶ୍ଚିତ ଭାବରେ ବନ୍ଧ ବାଡ଼ ଟପି
ସତ୍ୟ ପ୍ରକଟ ହୋଇବ ।
ଧର୍ମ ଦରବାରେ ପୁଣ୍ୟ ତରାଜୁରେ
ହରି ବିଚାର କରିବେ ,
ପୂର୍ଣ୍ଣ ସମର୍ପଣେ ଶ୍ରୀହରି ଚରଣେ
ସାତ୍ତ୍ୱିକ ସ୍ଵର ଭରିବେ ।