STORYMIRROR

SARATA KUMAR DAS

Fantasy Romance

3  

SARATA KUMAR DAS

Fantasy Romance

ଆଗନ୍ତୁକ

ଆଗନ୍ତୁକ

1 min
10.8K


ତୁମକୁ ତ ମୁଁ କେବେ ଚାହିଁନି

ମାଗିନି କିଛି ବି

କହିନି କେବେ କିଛି

ମୋ ମନ ତଳର ଗୋପନ କଥା

ମାନ ଅଭିମାନ ରାଗ ଅନୁରାଗ

କେତେ ହସେ ଆଉ କେତେ କାନ୍ଦେ

ଲୁଚି ଲୁଚି ଏକା ଏକା

ପ୍ରତିକ୍ଷଣେ ସମସ୍ତଙ୍କ ଅଲକ୍ଷରେ ।


ତଥାପି ତମେ ଆସ ବାରମ୍ବାର

ଠିକ୍ ଏହି ସମୟରେ

ଢଳ ଢଳ କାକର ବିନ୍ଦୁରେ ଢଳି ଢଳି

ଥରୁଥାଅ ଥୁରୁ ଥୁରୁ ହାଡଭଙ୍ଗା ଶୀତରେ

ଆଙ୍କି ହୋଇଯାଅ ଛବିଟିଏ ହୋଇ

ମୋ ନିବୁଜ ହୃଦୟର

ଖୋଲା କାନଭାସ୍ ଉପରେ ।


କେବେ କେବେ ଧରେଇ ଦିଅ

ରଙ୍ଗ ତୂଳିଟିଏ ମୋତେ

ଛବିଟିଏ ଆଙ୍କିବାକୁ ବାଧ୍ୟକର

'ମୋନାଲିସା' ଅବା 'କ୍ଲିଓପେଟ୍ରା'

ହାତ ମୋର ଥରିଯାଏ

ଛବି ବିବର୍ଣ୍ଣ ହୁଏ ବାର ବାର

କାହିଁକି କି ନା

ମୁଁ ଜଣେ ନିଖୁଣ ଚିତ୍ରକର ନୁହେଁ

ତୁମ ବିଚାରରେ ଅବା ତୁମରି ଦୃଷ୍ଟି ରେ ।


ତୁମେ କି ସ୍ଵପ୍ନ ନେଇ ଆସିବ ଏଥର ?

ସାତ ସିଆଁ କନ୍ଥାରେ ତାଳିପକା ଲୁଗାରେ

ରାତିରେ ଜହ୍ନ ଓ ଦିନରେ ସୂର୍ଯ୍ୟ ଦେଖୁଥିବା

ନୂଆଣିଆଁ ଚାଳଘରେ ଭଙ୍ଗା ମଥାନକୁ

ବିକଳରେ ଚାହିଁ ରହିଥିବା

ମଣିଷଟିର ଚୌହଦୀକୁ

କି ଫୁଲରେ ସଜାଇବ ତୁମେ ?


ରକ୍ତ ର ଝଲମଲ ବିନ୍ଦୁ ରେ ହୋଲି ଖେଳୁଥିବା

ନାରୀ ଦେହର ମୁଲାୟମ ମାଂସ ଖଣ୍ଡକୁ

ଝୁଣି ଖାଉଥିବା ଜହ୍ଲାଦମାନଙ୍କୁ

କି ବାର୍ତ୍ତା ଦେବ ଏଥର ତୁମେ ?

ଫେରାଇ ପାରିବ କି ସ୍ଵର୍ଗୀୟ ମହକ

ଭାଇଚାରାର ନିର୍ମଳ ପୀୟୂଷ ?


ଆସିବ ଯଦିତ ଆସ

କାଳରାତିର ଶୂନଶାନ ନିଛାଟିଆ ଗଳିରେ

ପାଦ ଚାପି ଧୀରେ ଧୀରେ

ଅକାଳେ ସକାଳେ କେବେ କେଉଁ ଦିନ

ବିସ୍ମୃତିର ପଥଧାରେ

ଜୀବନ୍ୟାସ ପାଇଯିବେ କାଳେ

ମଲା ସ୍ବପ୍ନମାନେ ଭଙ୍ଗା ମନର କବର ତଳେ ।।


ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ , ବଡବିଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy