Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଧୁରା ପ୍ରେମ
ଅଧୁରା ପ୍ରେମ
★★★★★

© Subal Mohapatra

Romance Tragedy

7 Minutes   7.7K    17


Content Ranking

ଅଧୁରା ପ୍ରେମ...

ସୁବଳ ମହାପାତ୍ର



(ବେଳେବେଳେ ଏମିତି ହୁଏ କି କିଛି ବିଷୟ ଉପରେ ଆମେ ଚିନ୍ତା କଲା ବେଳେ କିଛି ପ୍ରଶ୍ନ ଆମ ମନ ଭିତରେ ପଶି ଆସେ ଓ ଆମେ ନିଜେ ନିଜ ସହ କଥା ହୁଅନ୍ତି I ଗଳ୍ପଟି ସେମିତି ଏକ ବିଷୟ ବସ୍ତୁକୁ ନେଇ ଲିଖିତ I ସେଦିନ ସେ ବସି ଭାବୁଥିଲା କିଛି ଦିନ ପୂର୍ବରୁ ଘଟି ଯାଇଥିବା ଘଟଣା ଟିଏ I ଘଟଣା ତ କହି ହେବନି ଦୁର୍ଘଟଣା ଟିଏ...)

ସେଦିନ ସେ ଆସିଥିଲା ...


କାହିଁକି ?...


କେଜାଣି ?...


ସେ ଏମିତି ଆସେ ମଝିରେ ମଝିରେ I ଠିକ ଆସିବ, ଯେତେବେଳେ ମନଦୁଃଖ ଥିବ, ନହେଲେ ଯେତେବେଳେ ଟେନସନ ଅଧିକ ଥିବ କି ଏକା ଏକା ଲାଗୁଥିବ I ଏପରି ସମୟରେ ସେ କାହିଁକି ଆସେ କେଜାଣି ? କେମିତି ଜାଣେ ସେ ଏତେ କଥା ? କିଏ କହେ ତାକୁ ଆସିବାକୁ? ନା କିଏ ଦିଏ ତାକୁ ମୋ ଖବର? ମୁଁ ରାଗି କି ଗାଳି ଦେଉଥିବି ଆଉ ସେ ହସି ହସି ସବୁ କଥାକୁ ଆଡେଇ ଯାଉଥିବ I


ସେଦିନ କିନ୍ତୁ ଆସିଥିଲା ରାତି ଅଧାରେ...ଯେତେବେଳେ ସମସ୍ତେ ଶୋଇ ସାରିଥିଲେ... ବାହାରେ ବୁଲା କୁକୁର ହୋ ଓ ଓ ଓ କରି ରଡି ପକାଉଥିଲେ...

ବାହାରେ ଲାଗିଥିବା ବାରଲାଇଟ ତା ଦପ ଦପ ହୋଇ ଜଳୁଥିଲା.... ପବନ ର ସଅଁ ସଅଁ ଶବ୍ଦ ରହି ରହି ଝରକା ର ଫାଙ୍କ ଦେଇ ଘର ଭିତରେ ପଶୁଥିଲା ...

ବାପାଙ୍କ ଘୁଙ୍ଗୁଡ଼ି ଆର ଘରୁ ଏଯାଏଁ ଶୁଭୁଥିଲା....ଆସି ଉଠେଇଲା ସେ ମୋତେ I କହିଲା, "ଚାଲ ଏ ବର୍ଷାରେ ଟିକେ ବୁଲି ଆସିବା I ମନଟା ଜମାରୁ ଭଲ ନାହିଁ ଆଜି" I

ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲି ତାକୁ I


ଏ ରାତିରେ ?

ପୁଣି ଏତେ ଚୁଲବୁଲି ଝିଅର ମନ ଖରାପ ?


ସତ କହିଲେ ଆଜି ଯାଏଁ ତା'ର ମନ ଦୁଃଖ ହେବା ମୁଁ କେବେ ଦେଖି ନଥିଲି I ସବୁ ଅବସ୍ଥା ରେ ଖାପ ଖୁଏଇନେବା ଝିଅଟିଏ ଥିଲା ସେ I ସବୁବେଳେ ହସ ହସ ମୁହଁ I କେଜାଣି ଶେଷ ଥର ସେ କେବେ କାନ୍ଦିଥିଲା I କଷ୍ଟ ହେଲେ ବି ହସୁଥିବ, ଗାଳି ଦେଲେ ବି ହସୁଥିବ I ଛୋପରି ଖଣ୍ଡିଏ I ଆଜି ଯିଏ ତାକୁ ଗାଳି ଦେଇଥିବ, କାରଣ ଥାଉ କି ନଥାଉ, କାଲି ସକାଳୁ ସେ ତା ସହ ଆସି ହସି ହସି କଥା ହେଉଥିବ I ବେଳେବେଳେ ତ ହସି ହସି ଗଡିଯାଏ I କିନ୍ତୁ, ତା'ର ଏହି ଗୁଣ ଗୁଡିକ ତ ମୋତେ ଭଲଲାଗେ I କାହିଁକି ? କାହିଁକି କଣ ମ ? ଗୋଟେ ପୁଅ ଆଉ କଣ ଚାହେଁ କି?


ତାକୁ କେବେ କିଛି କହି ନ ଥିଲି I ନା ମୁଁ ତାକୁ କହିଥିଲି ଭଲପାଏ ବୋଲି ନା ସେ ମୋତେ କହିଥିଲା I କେହି କାହାକୁ କିଛି କହି ନ ଥିଲେ ବି ମୁଁ ନିଜକୁ ପ୍ରେମିକ ଓ ତାକୁ ପ୍ରେମିକା ହିସାବରେ ସଜେଇ ସାରିଥିଲି କେଉଁଦିନୁ I ବେଳେ ବେଳେ ତା' ଉପରେ ହକ ଜାହିର କଲାବେଳେ ତା ହସ ହସ ମୁହଁ ରେ କେମିତି ଗୋଟେ ରେଖା ପଡ଼ିଯାଏ, କଣ ଭାବେ ସେ କେଜାଣି ? ମୁଁ କିନ୍ତୁ ଜାଣିଲେ ବି ଆହୁରି ଆହୁରି ତାଗିଦ କରେ ତାକୁ I ଆଜି ସିନା ମୁଁ ତା ପ୍ରେମିକ ହୋଇନି, କାଲି କୁ ତ' ହେବି ନା I ତେଣୁ ଆଜିଠୁ ହକ ଖୋଜିବାରେ ଅସୁବିଧା କଣ? ତା ମନର ଅବସ୍ଥା କେବେ ମୁଁ ଜାଣିବାକୁ ଚେଷ୍ଟା କରିନଥିଲି I କାହିଁକି କରିବି? ସେ ତ ସବୁବେଳେ ହସୁଥାଏ I


ଜଣେ ମଣିଷ ହସେ କେତେବେଳେ ?

ଯେତେବେଳେ ସେ ଖୁସିଥାଏ I

ଖୁସିଥାଏ ମାନେ...ମନ ଖୁସିଥାଏ I


ତେବେ ମନ ର ଅବସ୍ଥା ଆଉ କଣ ବୁଝିବି? ସେ ତ ଖୁସି ଅଛି I ସବୁବେଳେ ଖୁସିଥାଏ, ମାନେ ତା ମନ ଖୁସି ଥାଏ ସବୁବେଳେ I ମୁଁ ଗାଳି କଲେ ବି ସେ ହସେ, ମୁଁ ରାଗିଲେ ବି ସେ ହସେ, ତାକୁ ଅଣ୍ଡର ଏସ୍ଟିମେଟ କଲେ ବି ସେ ହସେ I ଯେମିତି ହସ ଟା ତା ଜୀବନ I ନହସିଲେ ସେ ମରିଯିବ I ହେତ... କୁଆଡେ ପଳେଇଲିନି ମୁଁ ...

ହଁ, ସେ ଆସିଥିଲା, ରାତି ଅଧା ରେ, ମୋ ବେଡ଼ ପାଖକୁ, ମୋତେ ଉଠେଇଲା ଆଉ କହିଲା, "ଚାଲ ଏ ବର୍ଷାରେ ଟିକେ ବୁଲି ଆସିବା" I କିନ୍ତୁ ସେ ଆସିଲା କେମିତି ? ପୁଣି ମୋ ବେଡ଼ରୁମ କୁ ରାତି ଅଧା ରେ I ହେଃ.. ସେକଥା କିଏ ଚିନ୍ତା କରେ ସେତେବେଳେ ? ରାତି ଅଧା.. I ସେ ପାଖ ଘରେ ରହୁଥିଲା I ଆମ ପଡୋଶୀ I ଛଅ ବର୍ଷ ହେଲାଣି I ଆମେ ତ ଥିଲୁ ୨୫ ବର୍ଷ ହେଲା I ମୋ ଜନ୍ମ ପୂର୍ବରୁ I ଏଇଟା ଆମ ନିଜ ଘର I ସେମାନେ କିନ୍ତୁ ଆସିଥିଲେ ଛଅ ବର୍ଷ ତଳେ, ଭଡାରେ I କାହିଁକି? ମୁଁ ଜାଣିନି... ତା ବାପାଙ୍କର ବଦଳି ହୋଇଥିବ, ନହେଲେ ପୁରୁଣା ଘର ମାଲିକ ଭଡା ବଢ଼େଇ ଦେଇଥିବ, ନ ହେଲେ କଲେଜ ପାଖ ହେଉଥିବ I ମୁଁ କଉ ଥିଲି ସେତେବେଳେ ଯେ ଜାଣିବି ? ମୁଁ ତ ରହୁଥିଲି ହଷ୍ଟେଲ ରେ I ଛଅ ମାସରେ ଥରେ ମୁଁ ଘରକୁ ଆସେ I ସେଥର ଆସିଲା ବେଳେ ଦେଖିଲି ନୂଆ ଝିଅଟିଏ, ଆମ ଘର ଆଗ ଦେଇ ଡେଇଁ ଡେଇଁ ଗଲା I କି ଅଜବ ଝିଅ ଇଏ ? କଲେଜ ପଢ଼ିଲାଣି କିନ୍ତୁ ଛୁଆଳିଆମୀ ଛାଡ଼ିନି I ଡେଇଁ ଡେଇଁ ଯାଉଛି, ପୁଣି ବାଟରେ ପଡିଥିବା ଗୋଡି , ପଥର କୁ ଲଖ୍ୟ କରି ଗୋଇଠା ମାରୁଛି, ଠିକ ଯେମିତି ପୁଅ ପିଲା ମାରନ୍ତି I ଗୋଟେ ଗୋଡି ଆସି ମୋ ପାଖରେ ପଡିଲା I ମୁଁ ରାଗି କରି ତାକୁ ଅନେଇଲି I ସେ, ସରି, ସରି କହି ପୁଣି ଆଉ ଗୋଟେ ଗୋଡି କୁ ଗୋଇଠା ମାରି ଡେଇଁ ଡେଇଁ ପଳେଇଲା I ମୁଁ ହସିଲି I କାହିଁକି କେଜାଣି ସତର ବର୍ଷ ବୟସ ରେ ମୋ ଛାତି ଟା, ଭିନ୍ନ କାରଣ ପାଇଁ ଧକ ଧକ ହେଲା I ଜୋର ରେ I ଏମିତି ବି ହୁଏ ? ନିଜେ ନିଜକୁ ପଚାରିଥିଲି I



ତା' ପରେ? ତା' ପରେ କ'ଣ I ସନ୍ଧ୍ୟାରେ ତା ମା' ଆଉ ମୋ ମା' ଫାଟକ ପାଖରେ କଥା ହେଉଥିଲେ I ମୁଁ ବାହାରେ ପବନ ଖାଉଥିଲି I ସେ ଆସି ତା' ମା ପାଖରେ ଠିଆହେଲା ଆଉ ମୋ ମା, ମୋତେ ଡାକିଲେ I କଥା କରେଇଲେ I ଆମେ ଏକା କ୍ଲାସରେ ପଢ଼ୁଥିଲୁ I ସେ ମୋ ଘର ପାଖ କଲେଜରେ ଆଉ ମୁଁ? ମୁଁ ଘରଠୁ ଦୁଇଶହ କିଲୋମିଟର ଦୁରରେ I ମନ ନଥିଲା ଏତେ ଦୁରକୁ ଯିବା ପାଇଁ I ସେଥିପାଇଁ ତ ରାଗରେ ଛଅ ମାସରେ ଥରେ ଆସୁଥିଲି ଘରକୁ I ୟା ପରଠୁ କିନ୍ତୁ ରାଗିବା ଆହୁରି ବଢି ଯାଇଥିଲା ଘର ଲୋକଙ୍କ ଉପରେ କିନ୍ତୁ ଘରକୁ ଆସୁଥିଲି ମାସକୁ ଥରେ I ତା'ପରେ ପନ୍ଦର ଦିନ ରେ ଥରେ I ଏ ଭିତରେ ଛଅ ବର୍ଷ ବିତି ଯାଇଥିଲା I ପାଠ? କିଆଁ ପଚାରୁଛନ୍ତି? ପାଠ ସରି ଯାଇଥିଲା I କଣ ପଢ଼ୁଥୁଲୁ କି? ପନ୍ଦର ଦିନରେ ଥରେ ଘରକୁ ଆସିଲେ ପାଠ ହୁଏ? ତଥାପି ପାସ I ହଁ... ସେ ଅବସ୍ଥା ରେ ପାସ କରିବା ଟା ବି ବଡ କଥା I କଉ ଅବସ୍ଥା ? ଛାଡ ମ.. ଶୁଣିବାର ଅଛି ଶୁଣ, ନହେଲେ ନାହିଁ I କହିଲି ପରା," ସେଦିନ ମୋ ଛାତିଟା, ଭିନ୍ନ କାରଣ ପାଇଁ ଧକ ଧକ ହେଲା" I ହଁ, ତାକୁ କହି ନଥିଲି I କିନ୍ତୁ ମୁଁ ୱାନ ସାଇଡ ଲଭ କରି ପାରିବି ନା... I ନା, ସେଥିପାଇଁ ବି ଅନୁମତି ଦରକାର??



ହଉ ହଉ ଶୁଣ, ତା ପାଇଁ ପୁଅ ଦେଖା ଚାଲିଥିଲା ଆଉ ମୋ ପାଇଁ ଚାକିରୀ ଖଣ୍ଡେ I କାହାକୁ କିଛି ମିଳୁ ନଥିଲା I ନା ତାକୁ ପୁଅ ନା ମୋତେ ଚାକିରୀ I ଚାକିରୀ ଖଣ୍ଡେ ମିଳି ଯାଇଥିଲେ ଅବା ଦୁଇଟା ଯାକ ମିଳି ଯାଇଥାନ୍ତା I କେମିତି ? ହେଃ.. କେମିତି କଣ ମ , ନବୁଝିଲା ପରି ହଉଛ ? ମୋତେ ଚାକିରୀ ମିଳିଲେ, ମୁଁ ପରା ଗୋଟେ ପୁଅ ... କିନ୍ତୁ ମୋତେ ଚାକିରୀ ମିଳୁ ନଥିଲା ଆଉ ତାକୁ ସବୁ ପୁଅ ରିଜେକ୍ଟ କରୁଥିଲେ I ମା, ଆଗରେ ମନଦୁଃଖ କଲେ ବି ଭିତରେ ଭିତରେ ମୁଁ ଖୁସି ହେଉଥିଲି I ଯାହା ହେଲେ ବି ମୋ ପ୍ରେମିକା ଆଉ କାହା ସହ ବାହାହବ ମୁଁ ପ୍ରେମିକ ହୋଇ ସମ୍ଭାଳିବି କି ? ହଁ, ଏବେ ବୁଝି ପାରୁଛ ତ ...


ଏତେ ଦିନ ପରେ ମୋତେ ଗୋଟେ କମ୍ପାନୀରେ ଚାକିରୀ ମିଳିବାର ସମ୍ଭାବନା ଥିଲା I ଦୁଇଟା ରାଉଣ୍ଡ ସରି ଯାଇଥିଲା I ଖାଲି ଏଚଆର (HR) ରାଉଣ୍ଡ ବାକିଥିଲା I ମନ ଭିତରେ ବହୁତ ଖୁସିଥିଲି I ପଇସା ବେଶୀ ନ ଦିଅନ୍ତୁ ପଛେ, ଆମ ଚାରି ବାପା ମା ଙ୍କର ଦୁଇଟା ଟେନସନ ତ ଦୂରହେବ I ଏବେ ଆଉ ପଚାରନି, ଚାରି ବାପା ମା କେମିତି ଆଉ ଦୁଇଟା ଟେନସନ କଣ ? ବୁଝି ଯା I


ହଁ, ସେଦିନ ସିଏ ଆସିଲା, ରାତି ଅଧାରେ I ମୁଁ ଶୋଇଥିଲି I ଉଠେଇଲା ଆଉ ଆମେ ଘରୁ ବାହାରି ଯାଇ ବାହାରେ ବୁଲିବାକୁ ଗଲୁ। ବାହାରେ ବର୍ଷା ହେଉଥାଏ, ଧିମା ଧିମା ପବନ ହେଉଥାଏ, ମଝିରେ ମଝିରେ ଟିକେ ଟିକେ ବିଜୁଳି ମାରୁଥାଏ। ବର୍ଷା ଛିଟା ପଡ଼ି ଦେହ ହାତ ଶୀତେଇ ଉଠୁଥାଏ। ବିଜୁଳି ଆଲୋକରେ ତା ମୁହଁ ଆହୁରି ଉଜ୍ଜ୍ବଳ ଦେଖା ଯାଉଥାଏ। କିନ୍ତୁ ବର୍ଷା କି ବର୍ଷାଛିଟାରେ ତା'ର କୌଣସି ପ୍ରତିକ୍ରିୟା ମୁଁ ଦେଖି ପାରୁନଥିଲି। ଆମେ ବାହାରେ ବୁଲିଲୁ I ସେ ଅନ୍ଧାର କୁ ପ୍ରବଳ ଡରେ, କିନ୍ତୁ ରାତି ଅଧରେ ଆସି ଏ ଅନ୍ଧାର ବର୍ଷା ରାତିରେ ବୁଲିବାକୁ ମୁଁ କାହିଁ ହଜମ କରିପାରୁ ନଥିଲି। ବେଳେ ବେଳେ ତା ମୁହଁ କୁ ଦେଖୁଥିଲି।ବର୍ଷା ରେ ସେ ଯେମିତି ଭିଜେ, ଆଜି କାହିଁ ସେମିତି ଜମା ଭିଜୁ ନଥିଲା। ଏତିକି ବର୍ଷାରେ ତ ସେ ନାଚି କୁଦି ପାଗଳ ହୋଇଯିବା କଥା। ନା, ସେମିତି କିଛି ହେଉ ନଥିଲା। ତଥାପି ଆମେ ବୁଲୁଥିଲୁ। ଚାଲି ଚାଲି କେତେବାଟ ଯିବୁ? ସେଇ ପାଖରେ ବୁଲିଲୁ I ସେ ମୋ ହାତ ଧରିଥିଲା I ଦେହ ଭିତରେ ମୋ ରକ୍ତ ଗୁଡା ଯେମିତି ଧାଉଁଥିଲେ, କହି ପାରିବିନି I ତା ବାଳ ଖୋଲା I ବାଳ ଆଉ ଶାଲୱାରର ଚୁନି ପବନ ରେ ଉଡୁଥିଲେ I ମୁଁ ତା' ମୁହଁ କୁ ଅନେଇ ପାରୁନଥିଲି I କାହିଁକି କଣ ? ପୁଅ ପିଲା ଟେ ହେଲେ ବି ମୋର ପୁଣି ଲାଜ ଅଛି ନା ନାହିଁ ? ମୋତେ ଅଫର ମିଳିଲା ପରେ ତାକୁ କେମିତି ପ୍ରପୋଜ କରିବି ସେଇୟା ଚିନ୍ତା କରୁଥିଲି I ଏପଟେ ତା ସହ କଥା ବି ହେଉଥିଲି I ମୁଣ୍ଡ ଦୁଇ ଆଡେ କାମ କରୁଥିଲା I ଆମେ ଏପଟ ସେପଟ ହୋଇ ବୁଲୁଥିଲୁ I ବେଶୀ ସମୟ, କିଛି କଥା ନ ହୋଇ ଚୁପଚାପ ଚାଲୁଥିଲୁ I କିଛି ସମୟ ଏଣୁ ତେଣୁ କଥା ହେଉ ଥିଲୁ I ସେମିତି କିଛି ଅଧିକ କଥା ନୁହଁ I ଯେଉଁ କଥା ଆମେ ପ୍ରାୟ ସବୁ ଦିନ ହେଉ I ଯେମିତି କି.. ଆଜି କଣ ରୋଷେଇ ହେଇଛି ତମ ଘରେ I ଆଜି କେଉଁ ସାଙ୍ଗକୁ ଫୋନ କରିଥିଲି I କେଉଁ ସାଙ୍ଗ କୁ ଚାକିରୀ ମିଳିଗଲା I କେଉଁ ସାଙ୍ଗର ବାହାଘର ଆର ମାସରେ I କିଏ ତା ସ୍ତ୍ରୀକୁ ନେଇ କୁଆଡେ ବୁଲିବାକୁ ଗଲା I ଏମିତି ସବୁ ...କିଛି ସମୟ ପରେ ଆସିଲୁ ଘରକୁପରଦିନ ସକାଳୁ ତା ମାଙ୍କ କାନ୍ଦରେ ମୋ ନିଦ ଭାଙ୍ଗିଲା I ମୁଁ କିଛି ବୁଝି ପାରୁ ନଥିଲି I ଦୌଡ଼ି ଯାଇ ଦେଖିଲା ବେଳକୁ ତା ମଲା ଶରୀରଟା ଫ୍ୟାନରୁ ତଳକୁ ଝୁଲୁଥିଲା I ରାତିରେ କେହିଜଣେ ପୁଅଘର ବାହାଘର କରିବେ ବୋଲି ଫୋନ ଦ୍ୱାରା ଜଣେଇ ଦେଇଥିଲେ I ସେ ଚୁପଚାପ ଥିଲା, ନା କିଛି କହିଥିଲା, ନା ବିରକ୍ତି ହୋଇଥିଲା, ନା ଖୁସି ଥିଲା I କେବଳ ଥରେ ମାତ୍ର ତା ସାନ ଭାଇକୁ କହିଥିଲା," ଭଲ ହେଲାନି" ଆଗରୁ ଥରେ ସେ ବାହାଘର ବିଷୟ ରେ ଘରେ କହିଥିଲା ବୋଲି ତାକୁ କୁଆଡେ ତା' ବାପା ପ୍ରବଳ ପିଟିଥିଲେ I ତା' ଝୁଲୁଥିବା ଲାସର ଗୋଡ ଦୁଇଟି କୁ ଧରି ତା ମା' ବାହୁନି ବାହୁନି କାନ୍ଦୁଥିଲେ I ମଝିରେ ମଝିରେ ମୋ ନାଁ ଟି ମୁଁ ଶୁଣିବାକୁ ପାଉଥିଲି I ଘରର ଅନ୍ୟ ସମସ୍ତଙ୍କ ମୁହଁ ରେ କିଛି କିଛି ଚିନ୍ତା ର ରେଖା ଦେଖା ଯାଉଥିଲା । କାହିଁକି ସେ ଏମିତି କଲା? ଆମକୁ ତ ଜଣେଇ ପାରିଥାନ୍ତା। କିଏ କିଏ ଆହାଃ.. ଚୁ.. ଚୁ.. କରୁଥିଲେ I ପୋଲିସ ଆସି ସାରିଥିଲା I


ଆଉ ମୁଁମନେପକେଇ ପାରୁନଥିଲି ରାତିରେ ସେ ସତରେ ଆସିଥିଲା ନା ସ୍ବପ୍ନରେ


ସୁବଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା ୭୫୯୧୨୨

ଦୂରଭାଷ -(0) ୯୩୭୬୦୧୨୫୦୦

ଇମେଲ - subal.mohapatra@gmail.com


ଅଧୁରା ପ୍ରେମ ଝିଅ ସ୍ତ୍ରୀ

Rate the content


Originality
Flow
Language
Cover design

Comments

Post

Some text some message..