Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipi Sahoo

Comedy

4.8  

Lipi Sahoo

Comedy

ହାଏ ରେ କରୋନା ତୁ କ'ଣ କଲୁ

ହାଏ ରେ କରୋନା ତୁ କ'ଣ କଲୁ

6 mins
283


ଅତିଚତୁର ବାବୁ ଅଫିସ୍ ରୁ ଫେରି ଏକ ଚକଚକିଆ କାର୍ଡ ନିଜର ଏକମାତ୍ର ପତ୍ନୀ ଚଙ୍ଗଚଙ୍ଗି ଙ୍କୁ ବଢେଇ ଦେଲେ । ୟେତେ ଦିନ ପରେ ଏକ ନିମନ୍ତ୍ରଣ ପତ୍ର ଦେଖି ତାଙ୍କୁ ସ୍ୱର୍ଗ ଆଉ ଚାରି ଆଙ୍ଗୁଳି ଲାଗିଲା । ଏଇ ସତ୍ୟାନାଶିଆ କରୋନା ଯୋଗୁଁ ବର୍ଷେ ପାଖାପାଖି ହେବ ଏମିତି ଏକ କାର୍ଡ ଦେଖିବା ତାଙ୍କ ପାଇଁ ସାତ ସପନ ହେଇଯାଇଥିଲା । ଚଟାପଟ ଅତିଚତୁର ଙ୍କ ହାତରୁ ନିମନ୍ତ୍ରଣ ପତ୍ର ନେଇ , ଖୋଲି ଦେଖିଲେ । 

                ଆରେ !! ଇୟେ କିଏ ?? କାହାର ବାହାଘର?? ମୁଁ ତ କାହିଁ ଜାଣିପାରୁନି ।

              ଏଇଟା ମୋ ସାଙ୍ଗ କୁଳାଙ୍ଗାର ର ବାହାଘର କାର୍ଡ । ତମେ ତାକୁ କେମିତି ଜାଣିବ ?? ସେ ତ ବିଦେଶରେ ରହେ । ତମର ମନେ ଅଛି ?? ମୋର ଜଣେ ସାଙ୍ଗ ଆମ ବାହାଘର କୁ ପାଞ୍ଚ ହଜାର ଟଙ୍କା ପଠେଇଥିଲା । ମୁଁ ତୁମକୁ କହିଥିଲି । ଇୟେ ସେଇ ସାଙ୍ଗ । ଏଇ ଭୁବନେଶ୍ୱର ରେ ବାହା ହେଉଛି । ସେଇ ପଠେଇଚି । ଆଜି ଫୋନ୍ ବି କରିଥିଲା , ଆଉ କହିଲା ଭୋଜିରେ ନିଶ୍ଚୟ ଆସିବା ପାଇଁ ।

              ଚଙ୍ଗଚଙ୍ଗି ଟିକେ ପାଖେଇ ଆସି କହିଲେ ଏଇଟା ତ ତା ହେଲେ ବଡବଡିଆ ବାହାଘର । ଏମିତି ସେମିତି ଯାଇ ହେବନି । ତା ପାଇଁ ବହୁତ ଆୟୋଜନ କରିବାକୁ ପଡ଼ିବ । ଏତେ ଦିନ ପରେ ଭୋଜିର ସୁଯୋଗ ମିଳିଚି ତା ପୁଣି ପୁରା ହାଇଫାଇ ବାହାଘର ର । ଆମେ କ'ଣ ଯାଇତାଇ ହେଇ ଚାଲି ଯିବା ନା କ'ଣ ??? ନା ନା ସେମିତି କଦାପି ହେବନି ।


               ଅତିଚତୁର ବାବୁ ମନେମନେ କହିଲେ ସେ ଶଳା ଟି ବାହା ହେଉଚି ବୋଲି କାନ୍ଦବୋବାଳି ଛାଡିଲାଣି । ସାଙ୍ଗ ମାନଙ୍କ ଠାରୁ ବାହାଘର ପର ର ବ୍ୟଥା ବେଦନା ଶୁଣି ତା'ର ହାଲକ ଶୁଖିଗଲିଣି । ଆଜିକାଲି ଯୁଗ ଓଲଟି ଗଲାଣି ଆଗରୁ ଝିଅମାନେ ବାହାଘର ଆଗରୁ କାନ୍ଦି ଫଟଉ ଥିଲେ । ଏବେ ଟୋକା କାନ୍ଦିଲେଣି। ବାହାଘର ତା'ର ଇୟେ କୁରୁଳିବା ଆରମ୍ଭ କଲାଣି । ଯାହା ଜଣାପଡ଼ୁଛି ଏଥର ମଲା ମଣିଷ । ଦଶ ହଜାର ର ଚୂନା ନିଶ୍ଚୟ ଲଗେଇ ଦେବ । ଠିଏଁ ଠିଏଁ ଦଶ ହଜାର ପାଣିରେ ପଡ଼ିଯିବ ଏବେ । 

               ହେଇଟି ଶୁଣୁଚ !! କହି ଅତିଚତୁର ଙ୍କ ହାତକୁ ଧରି ହଲେଇ ଦେଲେ । ନଡ଼ିଆ ବାହୁଙ୍ଗି ପବନରେ ଦୋହଲିଲା ପରି ସେ ଦୋହଲି ଗଲେ । କାଲି ରବିବାର ଅଛି , ଆମେ ମାର୍କେଟ ଯାଇ ବାହାଘର ରେ ପିନ୍ଧିବା ପାଇଁ ନୂଆ ଲୁଗାପଟା ନେଇ ଆସିବା ।


              ହ୍ୟାଲୋ ମ୍ୟାଡାମ୍ !!! ବାହାଘର ମୋ ସାଙ୍ଗର ହେଉଛି । ଆମର ନୁହଁ । ଆମେ କାହିଁକି ନୂଆ ଲୁଗାପଟା ଆଣିବା ??

           ମୁହଁ କୁ ମୋଡି କହିଲେ , ଅତି ଗୋଟେ ହେଉଚ ତମେ । ହେଇଟି ଦେଖ !! ଏମିତି ଛୋଟଲୋକିଆ କଥା କହିବନି । ଏତେ ଦିନେ ସୁଯୋଗ ମିଳିଚି ଯେତେବେଳେ , ସେ ପୁଣି ଗୋଟେ ହାଇଫାଇ ବାହାଘର ର , ସେମିତି ଚକମକିଆ ହେଇକି ଯିବାକୁ ପଡ଼ିବ ନା.... । ତମର ଅନ୍ୟ ସାଙ୍ଗମାନେ ବି ଆସିବେ । ଆମେ ଯେମିତି ବାରିହେଇ ପଡ଼ିବା ଦରକାର । ଆମ ଚଳଣି ବି କିଛି କମ୍ ନୁହେଁ ଦେଖେଇ ଦେବାକୁ ପଡ଼ିବ ନା । ଷ୍ଟାଟସ୍ ବୋଲି ଗୋଟେ ଜିନିଷ ଅଛି ନା ନାହିଁ ?? କିଛି ଶୁଣିବିନି କାଲି ମାର୍କେଟ ଯିବା ।


            ମନେ ମନେ ଅତିଚତୁର ପ୍ରମାଦ ଗଣିଲେ । ଭଲ ଭାବରେ ଜାଣନ୍ତି ସେ ଆଉ କିଛି ଶୁଣିବନି । ହେଃ !! ପ୍ରଭୁ ତମେ ହିଁ ସାହା । 


               ପର ଦିନ ସକାଳେ ଦୁହେଁ ବାହାରିଲେ ବଜାର । ପ୍ରଥମେ ଶାଢ଼ୀ କିଣା ଆରମ୍ଭ ହେଲା । ୪/୫ ଦୋକାନ ବୁଲି ଘଣ୍ଟାଘଣ୍ଟି ସରିବା ପରେ ଶେଷରେ ଗୋଟେ ଶାଢ଼ୀ ବାଛିଲେ ଚଙ୍ଗଚଙ୍ଗି । ଆତିଚତୁର ଶାନ୍ତି ରେ ନିଃଶ୍ୱାସ ମାରିଲେ । ଯାହା ହେଉ ପସନ୍ଦ ହେଲା । ସାଢେ ତିନି ହଜାର ଟଙ୍କା ମାତ୍ର ଥିଲା ଶାଢ଼ୀ ର ଦାମ୍ । ମନେ ମନେ ରକ୍ତ ଚାଉଳ ଚୋବେଇଲେ , ହେଲେ କ'ଣ ହେବ ?? କାନମୁଣ୍ଡ ଆଉଁସି ଟଙ୍କା ଦେଇ ଶାଢୀ ଆଣିଲେ । ତାପରେ ଖୋଜା ଆରମ୍ଭ ହେଲା ବାବୁ ଙ୍କ ପାଇଁ , କୁର୍ତ୍ତା ପାଇଜାମା ସହ ଗୋଲଣ୍ଡେନ୍ କଲର୍ ଏମ୍ରୟଡରିର ହାଫ୍ ଜ୍ୟାକେଟ୍ । ସେମିତି ୪/୫ ଦୋକାନ ଖୋଳତାଡ ପରେ ଇଶ୍ୱର ଙ୍କ କୃପାରୁ ଚଙ୍ଗଚଙ୍ଗି ଙ୍କ ପସନ୍ଦ ହେଲା ଭଳି ମିଳିଗଲା । ଦେଖେଇ ଦେଖେଇ ଦୋକାନଦାର ବି ଅଣନିଃଶ୍ବାସୀ ହେଇ ପାଣି ବୋତଲେ ଢକଢକ କରି ପିଇ ଗଲା । ସେ ବି କିଛି କମ୍ ଦାମ୍ ର ନଥିଲା । ସବୁ ମିଶି ମାତ୍ର ଚାରି ହଜାର ଟଙ୍କା ନେଲା । ସର୍ବମୋଟ ସାଢ଼େ ସାତ ହଜାର ଏଇଠି ଖର୍ଚ୍ଚ ହେଇଗଲା । ଏଇଠି ତ ୟେତିକି ଖର୍ଚ୍ଚ ହେଇ ସାରିଲାଣି । ସାଙ୍ଗକୁ ତ ଆତିକମ୍ ରେ ପାଞ୍ଚ ହଜାର ଦିଆଯିବ । ବାହାଘର ଖର୍ଚ୍ଚ ହିସାବ କରୁ କରୁ ହାଲକ ଶୁଖିଗଲା ଅତିଚତୁର ଙ୍କର ।


            ମଲା ଯାଃ !!! ଏମିତି ମୁହଁ ଶୁଖେଇଚ କ'ଣ ମ ??? ସାଙ୍ଗ ତମର । ସେ ଥର ଟେ ହିଁ ବାହା ହେବ । ଆଉ ସେଥିରେ ବି କଂଜୁସି କରିବ ?? ଟାଣି ଘୋଷାରି ମୁହଁ ରେ ହସ ଫୁଟେଇ କହିଲେ ହଁ ତମେ ଠିକ୍ କହୁଚ । ତାଙ୍କ ଜିଭରେ ହାଡ଼ ଅଛି ?? ସ୍ତ୍ରୀ କୁ କହିଦେବେ ଭୂଲ ବୋଲି । 


                ଦେଖୁ ଦେଖୁ ଭୋଜି ଦିନ ଆସିଗଲା । ଚଙ୍ଗଚଙ୍ଗି ୪ଟା ବେଳୁ ପାର୍ଲର ଯାଇ ସଜବାଜ ହେଇ ଫେରି ଆସିଲେ । ମାତ୍ର ହଜାରେ ଟଙ୍କା ର ଘଷାମଜା ଆଉ ବୋଳାବୋଳି ହେଇଥିଲେ ମ ବେଶୀ ନୁହଁ । ଦୁହେଁ ଯାଇ ପହଞ୍ଚିଗଲେ ଭୋଜି ଜାଗା ରେ । କାଇଁ ବେଶୀ ଭିଡ଼ ନଥିଲା । ଅତିଚତୁର ଘଣ୍ଟା କୁ ଦେଖିଲେ । ସେ ଚଞ୍ଚଳ ପଳେଇ ଆସିଛନ୍ତି କି ?? ନାଇଁ ଆଠଟା ତ ବାଜି ସାରିଲାଣି । ସେ କେତେ କଥା ଭାବିଚନ୍ତି । ପୁରୁଣା ସାଙ୍ଗମାନେ ସବୁ ଦେଖା ହେବେ । ଖୁବ୍ ଖଟି ଯମିବ । ଏମିତି ସୁଯୋଗ କ'ଣ ସବୁବେଳେ ମିଳେ ?? ମନ ଖୋଲି ଗପିବେ ଆଉ ପୁରୁଣା ସ୍ମୃତି ସବୁ ମନେ ପକେଇବେ ବୋଲି ଠିକ୍ କରି ଆସିଥିଲେ । ହେଲେ ଏଠି ମୂଳରୁ ସବୁ ଫିକା ଫିକା ଲାଗିଣି କଥା କ'ଣ ?? ଦେଖିଲେ ଷ୍ଟେଜ ଉପରେ ବରକନ୍ୟା ଠିଆ ହେଇଛନ୍ତି । ଉପରେ ଲାଇନ୍ କରି କିଛି ଲୋକ ଠିଆ ହେଇଛନ୍ତି । ଜଣେ ଜଣେ କରି ଯାଇ ଗୋଟେ ମିନିଟ୍ ବରକନ୍ୟା ଙ୍କ ପାଖରେ ଠିଆ ହେଇ ଆଗକୁ ବଢି ଯାଉଛନ୍ତି । ୟେ କି ବ୍ୟବସ୍ଥା ?? ଅତିଚତୁର ଆଉ ଚଙ୍ଗଚଙ୍ଗି ଲାଇନ୍ ରେ ଠିଆ ହେବା ଆଗରୁ ତଳେ ଜଣେ ସବୁ ଗିଫ୍ଟ କଲେକ୍ସନ୍ କରୁଥିବାର ଦେଖିଲେ । ସେ ଚୁପଚାପ୍ ଖାମ୍ ଟିକୁ ତା ହାତକୁ ବଢ଼େଇ ଦେଲେ । ସାଙ୍ଗ ପାଖରେ ପହଞ୍ଚିଲେ ଯେମିତି , କୁଳାଙ୍ଗାର ତାଙ୍କୁ ଖୁସିରେ କୁଣ୍ଢେଇ ପକେବା ପାଇଁ ହାତ ଉଠେଇଚି କି ନାଇଁ ତା'ର ସଦ୍ୟ ବିବାହିତ ପତ୍ନୀ ଏମିତି ଏକ ଚାହାଣି ଦେଲେ ଯେ ସେ ହାତ ଦୁଇଟି ଫେରେଇ ନେଲା । ଅତିଚତୁର ସଙ୍ଗେ ସଙ୍ଗେ କୁଳାଙ୍ଗାର କୁ ଆଖି ମାରିଦେଲେ । କୁଳାଙ୍ଗାର ବୁଝିଗଲା ସେ ଠାର । ଏବେ ତା ପାଳି ଆସିଗଲା ଉଠବସ ହେବାର । କାନ କୁଣ୍ଢେଇ ପଚାରିଲା ସାଙ୍ଗ କେମିତି ଅଛୁ ?? କହନା କହନା ୟେ କୋଭିଡ କଟକଣା ସବୁ ଫସର ଫଟେଇ ଦେଲା । ସାଙ୍ଗମାନେ ଏକାଠି ବସି ମସ୍ତିରେ ଟିକେ ଏନଜୟ ବି କରି ପାରିବାନି ।

                ଅତିଚତୁର ପଚାରିଲ ଗୁଚି, ପେଟା , ଘଣ୍ଟି , ଟିଣ , କ୍ୟାପସୁଲ୍ କେହି କ'ଣ ଆସି ନାହାନ୍ତି ?? 

               ନବବଧୂ ଶବ୍ଦ ଗୁଡିକ ଶୁଣି ବଡ଼ବଡ଼ ଆଖିରେ କୁଳାଙ୍ଗାର କୁ ଅନେଇଲେ । କୁଳାଙ୍ଗାର କହିଲେ ଏମାନେ ହେଲେ ଆମ ସାଙ୍ଗମାନେ । ଏମିତି ନାଁ ସବୁ ଦେଇଥିଲୁ । ଅତିଚତୁର କୁ ଅନେଇ କହିଲା , ହଁ କିଛି ଆସିଥିଲେ । ଆଉ କିଛି ଆସିବେ ।

               ହେଲେ କେହିତ ଦେଖା ହେଉ ନାହାଁନ୍ତି ?? ଏତିକି ବେଳେ ପଛରୁ ଜଣେ କହିଲେ ସାର୍ ଆଗକୁ ବଢନ୍ତୁ । ଅନ୍ୟମାନେ ଦେଖା କରିବେ । ସମୟ ସୀମିତ ଆଉ ଷ୍ଟେଜ୍ ରେ ଭିଡ ହେଇଯିବ । 

               ଦୁଇ ସାଙ୍ଗ ଅନେକ ସମୟ ଯାଏଁ ବସି ଗପ ହେବାକୁ ଚାହୁଁ ଥିଲେ । ସବୁ ପୁରୁଣା ସାଙ୍ଗ ଏକାଠି ବସି ଖୁବ୍ ମସ୍ତି କରିଥାନ୍ତେ ହେଲେ , ୟେ କରୋନା ଯେମିତି ଏକ ଲକ୍ଷ୍ମଣ ରେଖା ଟାଣି ଦେଇଛି ସବୁଥିରେ । କୁଳାଙ୍ଗାର ଆଉ ଅତିଚତୁର ର ମୁହଁ ଶୁଖିଗଲା । ଅନିଚ୍ଛାକୃତ ଭାବରେ ସେ ଆଗକୁ ବଢ଼ିଗଲା ।

               ୟା ପର ଘଟଣା ତ ଆହୁରି ଦୟନୀୟ । ଚଙ୍ଗଚଙ୍ଗି ତଳକୁ ଆସି କହିଲା ହୋଇହୋ !! ଏଠି ଖାଇବାର କିଛି ବ୍ୟବସ୍ଥା ବି ଦେଖା ହେଉନି । ଏଇଟା କି ବାହାଘର ମ ?? 

                  ଠିକ୍ ଏଇ ସମୟରେ ଜଣେ ଆସି କହିଲେ ସାର୍ ଏପଟେ ଆସନ୍ତୁ । ସେ ଦୁହେଁ ଭାବିଲେ ସେଠି ବୋଧେ ଖାଇବାର ବ୍ୟବସ୍ଥା ହେଇଥିବ । ଦୁହେଁ ମାଡିଗଲେ । ହେଲେ ୟେ କ'ଣ ଲୋ ମା ???? ଏଠି ବି ଲାଇନ୍ ଲାଗିଚି ଆଉ ଏଠି ହାତରେ ଗୋଟିଏ ଗୋଟିଏ ପ୍ୟାକେଟ ଧରେଇ ଦେଉଛନ୍ତି । ସେଇ ପ୍ୟାକେଟ ଧରି ସବୁ ବାହାରି ଯାଉଛନ୍ତି । ବସିବାର ବି ବ୍ୟବସ୍ଥା ନାହିଁ । ସିଧା ଘରକୁ ଯିବ । ଏଇୟା କାଳେ ସରକାର ଙ୍କ ନିୟମ କୋଭିଡ ପାଇଁ । ହଠାତ୍ ଲାଇନ୍ ରେ ଗୁଚିକୁ ଠିଆ ହେଇଥିବାର ଦେଖି ଅତିଚତୁର ଡାକ ପକେଇ ହାତ ହଲେଇଲା । ସେ ବି ଖୁସିରେ ହାତ ହଲେଇଲା । ହେଲେ ଦୁହେଁ ଚାହିଁ କି ବି ଟିକେ କଥାବାର୍ତ୍ତା ହେଇ ପାରିଲେନି । ସେ ଆଗ ପ୍ୟାକେଟ ଧରି ବାହାରି ଗଲା । ପାର୍କିଂ ପାଖରେ ଅବଶ୍ୟ ଦେଖା ହେଲା । ହେଲେ ଦୁହେଁ ୟେତେ ଦିନ ପରେ ଭେଟାଭେଟି ହେଇବି ଟିକେ ଖୁସିରେ କୁଣ୍ଢାକୁଣ୍ଢି ହେଇ ପାରିଲେନି । ସେଠି ସିକ୍ୟୁରିଟି ହ୍ୱସିଲ ମାରିଲା ଆଜ୍ଞା ଏଠୁ ଶିଘ୍ର ଗାଡ଼ି କାଢନ୍ତୁ ଗହଳି କରନ୍ତୁନି ।


              ଚଙ୍ଗଚଙ୍ଗି ଗାଡ଼ିରେ ବସି ଫଁ ଫଁ ହେବାକୁ ଲାଗିଲା । ଏଇଟା ଗୋଟେ ବାହାଘର ?? ଏମିତି ହେବ ବୋଲି ଜାଣିଥିଲେ ଜମା ଆସିନଥାନ୍ତି । ହଜାର ହଜାର ଟଙ୍କା ପାଣିରେ ପଡିଗଲା । କେତେ କଷ୍ଟରେ ସଜବାଜ ହେଇ ଆସିଥିଲି କେହି ଜଣେ ବି ଦେଖିଲେନି । ୟାଠୁ ବଡ଼ ଅପମାନ କ'ଣ କହିଲ ?? ବାହାଘର ଭୋଜିରେ ସ୍କୁଲ ଛୁଆଙ୍କୁ ଦେଲା ଭଳି ଗୋଟେ ଗୋଟେ ପ୍ୟାକେଟ ଧରେଇ ଦେବେ ?? ଛିଃ ଛିଃ....


              ଅତିଚତୁର ମନେମନେ କହିଲେ ତମକୁ ତମ ସଜବାଜ ଆଉ ଖାଇବା କଥା ବଳଉଚି ?? ଆମ ସାଙ୍ଗ ମାନଙ୍କ କଥା ଭାବିଲ ??? କିଏ କେତେ ଦୂରରେ ଆଛୁ , କେତେ ବର୍ଷ ପରେ ଭେଟ ହେଇଚୁ ହେଲେ ଭଲରେ ପଦେ କଥା ବି ହେଇ ପାରିଲୁନି । ହାଇ ରେ କରୋନା !!! ଆଉ କ'ଣ ସବୁ ଦେଖେଇବୁ ଆମକୁ ???



Rate this content
Log in

Similar oriya story from Comedy