Lipi Sahoo

Children Stories Comedy Inspirational

4.5  

Lipi Sahoo

Children Stories Comedy Inspirational

ବାଘସାର୍

ବାଘସାର୍

4 mins
348


ବାଘସାର୍ !! ନାମ ଶୁଣିଲେ ସାରା ସ୍କୁଲ ଡରରେ କମ୍ପେ । ଚେହେରା କିନ୍ତୁ ବାଘ ସହ ଯମା ମେଳ ଖାଏନି । ପତଳା , ଲମ୍ବା ଅଉ ଶ୍ୟାମଳ ବର୍ଣ୍ଣ । ମୁଣ୍ଡର ଚୁଟି ଗହଳ । ପିଲାମାନେ ବାଘ ହାବୁଡରେ ପଡିଲେ ସେତିକି ଡରିବେନି ଯେତିକି ତାଙ୍କ ସାମ୍ନାରେ ପଡିଲେ ଡରନ୍ତି । ଖେଳଘର ଲାଗିଚି କି !! ପେଣ୍ଟେ ଓଦା ହେଇଯାଏ ପିଲାଙ୍କର । ତାଙ୍କ ପୂରା ନାମଟା ଆଉ ମନେ ନାହିଁ ମୋର । ଦୀର୍ଘ ଚାଳିଶ ବର୍ଷ ତଳର ଘଟଣା । ସମସ୍ତେ ତ ବାଘସାର୍ ହିଁ ଡାକୁଥିଲେ । ସାରଙ୍କ ସାଙ୍ଗିଆଟା ବାଘ ଥିଲା । ଆଗରୁ କି ତା'ପରେ ୟେ ସାଙ୍ଗିଆ ମୁଁ ଅଉ କେବେ ଶୁଣିନି । ଆଉ ମାଡ କଥା ନ କହିଲେ ଭଲ । ଓଃ !! କି ମାଡ । ଗୋଟେ ଗୋଟେ ଅମରି ବାଡି ଭାଙ୍ଗି ଛତୁ ହେଇଯାଏ । ତାଙ୍କ କ୍ଲାସ୍ ରେ ୪୵୫ ବେତ ଟେବୁଲ ଉପରେ ରଖା ଯାଇଥାଏ । ଯୋଉ ଦିନ ବାଡି ରଖି ନଥିବ ସେ ଦିନ ମନିଟର ଆଗ ବହେ ମାଡ ଖାଇବ । ଦୌଡି କି ଯାଇ ବାଡି ମେଞ୍ଚେ ଧରି କି ଆସିବ । ତା ପରେ କ୍ଲାସ ଆରମ୍ଭ ହେବ । ଝିଅପିଲାଙ୍କ ପାଇଁ ମାଡ ଟିକେ କମ୍ ଥାଏ । ହେଲେ ତାଙ୍କର ସେଇ ଗୋଟିଏ ପାହାର ବି ସମ୍ଭାଳିବା କାଠିକର ପାଠ । ତାଙ୍କ କ୍ଲାସ୍ ଆରମ୍ଭ ଆଗରୁ ଆମ ମାନଙ୍କର ତେତିଶ କୋଟି ଦେବାଦେବୀ ସମସ୍ତେ ମନେ ପଡି ଯାଆନ୍ତି ।


                 ପଞ୍ଚମଶ୍ରେଣୀରେ ବୃତ୍ତିପରୀକ୍ଷା ପାଇଁ ଯେଉଁମାନେ ମନୋନୀତ ହେବେ ବୋଲି ଜଣାପଡେ । ସେମାନଙ୍କୁ ସାର୍ ଅଲଗା ଟ୍ୟୁସନ୍ କରନ୍ତି ତାଙ୍କ ଘରେ । ସେ ବି ମାଗଣା । ପ୍ରଥମଥର ମୋତେ ବହୁତ ଦୁଖଃ ଲାଗିଥିଲା ଯେ ମୋ ନାଁ କାହିଁକି ସେ ଲିଷ୍ଟରେ ରହିଲା । ମାଡ ଭୟରେ ଭାବିଲି ମୋର ବୃତ୍ତିପରୀକ୍ଷା ଦେବା କିଛି ଦରକାର ନାହିଁ । ଚୁପଚାପ୍ ଘରେ ରହିଯିବି ବୋଲି ଭାବିଥିଲି । ହେଲେ ଘରକୁ ଖବର ଆସିଗଲା ତୁରନ୍ତ । ବାପା ଘରେ ରାଗିକି ପଞ୍ଚମ । ପର ଦିନ ସକାଳେ ଛଅଟାରୁ କାନମୁଣ୍ଡ ଆଉଁସି ବାହାରିଲି ଟ୍ୟୁସନ୍ । ସେତେବେଳେ ଫୁଲବାଣୀର ଯେଉଁ ହାଡଭଙ୍ଗା ଶୀତ ସେଥିରେ ଚାରିଆଡେ ବହଳ କୁହୁଡି । ସେଇ ଶୀତରେ ଥରି ଥରି ଯାଇ ପହଞ୍ଚିଲି ସାର୍ ଙ୍କ ଘରେ । ମାଟିଘର ଉପରେ ଚାଳଛପର । ଲମ୍ବା ଲମ୍ବା ସପ ପଡିଥାଏ । ପିଲାମାନେ ଯାକିଯୁକି ହେଇ ଥଣ୍ଡାରେ ବସିଥାଆନ୍ତି । 


                   ଯାଉ ଯାଉ ଆଗ ପ୍ରଶ୍ନହେଲା ମୋତେ, କାହିଁକି ଆସୁ ନଥୁଲୁ ?? ଘରେ ଖବର ଦେବା ପରେ ଆସୁଚୁ । ବେଶୀ ସିକଚିଲିଆମି ଚଲେଇଚୁ ?? ଠୋ କିନା ଗାଲରେ ବସିଲା ଚାପୁଡେ । ପାଞ୍ଚ ଆଙ୍ଗୁଳି ଛାପି ହେଇଗଲା ଗାଲରେ । ଦିନେ ଟ୍ୟୁସନ ବନ୍ଦ କରିବୁନି ଆଜିଠୁ !! ମନେ ରହିଲା । ମୁଁ ଛଳ ଛଳ ଆଖିରେ ମୁଣ୍ଡ ଟୁଙ୍ଗାରିଲି । ଗୋଟେ ପିଲା ଫିକ୍ କିନା ହସି ଦେଲା । ତା'ର ଚୁଟି ଧରି ଟାଣି ନେଇ ପିଠିରେ ଧୂମ୍ କିନା ଗୋଟେ ବିଧା ଦେଲେ । ବେଶୀ ପଣ୍ଡିତ ଦେଖେଇ ହେଉଚୁ । ହସ ବାହାରି ଆସୁଚି ଟୋକାର ।


                   ମାଡ ଆଉ ପାଠ...... ପାଠ ଆଉ ମାଡ ଭିତରେ ବେଶ୍ କିଛି ଦିନ ବିତିଗଲା । ବୃତ୍ତିପରୀକ୍ଷ ପାଖେଇ ଆସୁଥାଏ । ସାର୍ ଦିନେ ବି ଛୁଟି କରୁ ନଥାନ୍ତି । ହଠାତ ଦିନେ ଯାଇ ପହଞ୍ଚିଚୁ ସାର୍ ବାହାରୁ ଥିଲେ କୁଆଡେ ଯିବା ପାଇଁ । ଆସି କହିଲେ ଏବେ ତିନିଦିନ ଟ୍ୟୁସନ୍ ବନ୍ଦ ରହିବ । କାହାର ଗୋଟେ ସୁଧିକ୍ରିୟାକୁ ଯିବାର ଅଛି । ଅମୁକ ତାରିଖ ସକାଳେ ସବୁ ଆସିବ । ପଢାପଢି ଠିକ୍ ସେ କରିବ । ମଶିଣା ଉପରେ ଗୋଟେ କାଗଜରେ ତୁମ ହୋମୱାର୍କ ଲେଖି ଦେଇଚି । ସବୁ ଟିପି ନେବ । ଏତିକି ଶୁଣି ଆମ ମନ ଆକାଶରେ ଉଡିବା ଆରମ୍ଭ କରି ଦେଇଥିଲା । ହେଲେ ଉପରେ ସୁନାପିଲା ଭଳିଆ ମୁଣ୍ଡ ହଲେଇ ଭିତରକୁ ଯାଇ କାଗଜରୁ ପାଠ ଉତାରିବାକୁ ଲାଗିଲୁ । ତାପରେ ଛୁଟି ହେଇଗଲା । ଟ୍ୟୁସନରୁ ଫେରିବା ବେଳେ ମହାଆନନ୍ଦରେ ବ୍ୟାଗପତର ହଲେଇ ରାସ୍ତାରେ ନାଚି ନାଚି ସବୁ ଫେରିଲୁ । ତିନିଦିନ ଛୁଟି ମାନେ କ'ଣ କମ୍ କଥା । ପାଠକଥା ସବୁ ଭୁଲି ଖେଳରେ ମସଗୁଲ ସବୁ । ଆଉ ତିନିଦିନ ଅଛି କରିନେବା , ଆଉ ଦି ଦିନ ଅଛି କରିନେବା , ଆହୁରି ଦିନେ ଅଛି କରିନେବା ଭାବି ଆଉ ହୋମୱାର୍କରେ କେହି ହାତ ମାରିଲେନି । ପୂର୍ବଦିନ ରାତିରେ ସମସ୍ତଙ୍କ ମନେ ପଡିଲା । ହାମୁଡେଇ ପେଟେଇ ସବୁ ରାମ୍ପିବାକୁ ଲାଗିଲେ । ହେଲେ କାହାର ବି ପୂରା ସରିଲାନି । ଏତେ ଗୁଡିଏ ପାଠ ଓଳିଏରେ କେମିତି ବା ସରିବ ?? ସକାଳକୁ ସବୁଗୁଡା ଗୋଟେ ଗୋଟେ ଜିଅନ୍ତାଶବ ଭଳିଆ ଦିଶୁ ଥାଆନ୍ତି । ଗୋଡ ଘୋସାରି ଘୋସାରି ଚାଲି ଥାଆନ୍ତି । ଯୋଗକୁ ଗୋଟେ କଳା ବିଲେଇ ରାସ୍ତା କାଟି ଆମ ସାମ୍ନାରେ ଦୌଡିଲା । କଥା ଶେଷ.....ଆଜି ଆଉ ବଞ୍ଚି କି ଫେରିବୁ ସେ ଆଶା ନଥାଏ । କାହାର ବଚନ ବାହାରୁ ନଥାଏ । ସାର୍ ଙ୍କ ଘରେ ପହଞ୍ଚି ଦେଖିଲୁ ତାଲା ଝୁଲିଚି । ମନରେ କ୍ଷୀଣ ଆଶା ଜାଗିଲା । ପଡିଶା ଘରେ ପଚାରିଲୁ ସେ କହିଲେ ନା ସାର୍ ଗାଁରୁ ଫେରି ନାହାଁନ୍ତି । ପିଣ୍ଡରେ ପ୍ରାଣ ପଶିଲା ଭଳି ଲାଗିଲା । ସବୁ ଏକା ସାଙ୍ଗରେ ଚିଲେଇଲେ ହୁଃ.....ରେ.....। ମନ ଖୁସିରେ ଘରକୁ ଫେରିବା ବାଟରେ ଗୋଟେ ସ୍କୁଲସାଙ୍ଗ ଘର ପଡେ । ସେ ହଠାତ ଡାକି କହିଲା ଆରେ ରୁହ ସବୁ !! ତମକୁ ଗୋଟେ ଭଲ ଜିନିଷ ଦେବି କହି ଭିତରକୁ ଗଲା । ବାଉଁଶ କୁଡୁଆ ଗୋଟେ ହାତରେ ଧରି ଫେରିଲା । ଏଇ ନିଅ ପୁରୀ ଭୋଗ କହି ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ଗଜା ଦେଲା ଆଉ ତୁଳସୀପତ୍ର ଦେଲା । କି ଭାଗ୍ୟ କିରେ ଆମର । କାଳି ବିଲେଇ ରାସ୍ତା କଟିଲା ହେଲେ ମାଡରୁ ରକ୍ଷା ପାଇଲୁ ପୁଣି ପୁରୀ ଭୋଗ ବି ପାଇଲୁ । ଜଗା ଉଦ୍ଦେଶ୍ଯ ରେ ଆମେ ହାତଯୋଡିଲୁ । ପରଦିନ ସାର୍ ଆସି ଯାଇଥିଲେ । ଆମେ ହୋମୱାର୍କ ବି ସାରି ଦେଇଥିଲୁ । 

                    


        ବୃତ୍ତପରୀକ୍ଷା ଆଉ ଦୁଇଦିନ ଥାଏ । ସାର୍ କହିଲେ ଏବେ ଘରେ ରହି ପଢାପଢି କର । ଆଉ ଆସିବା ଦରକାର ନାହିଁ । ପରୀକ୍ଷା କେମିତି ଦେବ , କେମିତି ଲେଖାଲେଖି କରିବ , କୋଉ କୋଉଟା ଇମ୍ପୋଟାଣ୍ଟ ଚାପ୍ଟର ଟିକେ ଭଲ କି ଦେଖିବ । ଏମିତି ଘଣ୍ଟାଏ ବୁଝେଇଲେ । ଆମ ଭିତରେ ଧୀରେ ଧୀରେ ଶୂନ୍ଯତା ଭରି ଆସୁଥିଲା । ଆଉ ଆମେ ବାଘସାର୍ ଙ୍କ ପାଖକୁ ଆସିବୁ ନାହିଁ । ଏଇ ଭାବନା ଆମକୁ କଷ୍ଟ ଦେଉଥିଲା । ସମସ୍ତଙ୍କ ଆଖି ଛଳଛଳ ହେଇ ଆସୁଥିଲା । ଜଣେ ପରେ ଜଣେ ଯାଇ ସାର୍ ଙ୍କ ପାଦଛୁଇଁ ପ୍ରଣାମ କରି ବାହାରି ଆସିଲୁ । ଆଜି ଆଉ ଘରକୁ ଫେରିବାର ଖୁସି ନଥିଲା । ବାର ବାର ପାଦ ଚାହୁଁଥିଲା ସାର୍ ଙ୍କ ସେଇ ଚାଳ ଘରକୁ ଫେରି ଯିବାକୁ , ଏଇ ଦୁଆର ଯେମିତି କେବେ ବି ବନ୍ଦ ନହେଉ ଆମ ପାଇଁ ......। ହେଲେ ତାହା କ'ଣ କେବେ ସମ୍ଭବ ?????

                    


Rate this content
Log in