Lipi Sahoo

Inspirational

4.3  

Lipi Sahoo

Inspirational

ଶକ୍ତି ରୂପେଣ ସଂସ୍ଥିତା

ଶକ୍ତି ରୂପେଣ ସଂସ୍ଥିତା

5 mins
220


ପୂଜାରେ ଶଙ୍ଖ ଘଣ୍ଟା ହୁଳହୁଳି ବାଜିବା ଯେମିତି ନିହାତି ଜରୁରୀ ସେମିତି ଦଶହରା ସମୟରେ ଓଡିଶାରେ ବର୍ଷା ନହେଲେ ଝଡ ନହେଲେ ବାତ୍ୟା ହେବା ନିହାତି ଜରୁରୀ ହେଇଗଲାଣି । ଟିଭିରେ କହିଲାଣି ଦଶହରା ରାତି କ'ଣ ଝଡବର୍ଷା ହେବ । ଫି ବରଷ ଗୋଟେ ନା ଗୋଟେ ପାଲା ୟେ ଭିତରୁ ଥିବ । ଆନି ମନେ ମନେ ଗାରୁଗାରୁ ହେଇ ନିଜ କାମ ସବୁ ଚଞ୍ଚଳ ଚଞ୍ଚଳ ସାରି ବାକୁ ଲାଗିଲା । ରାତି ଚାରିଟା ରୁ ଉଠିଲାଣି ଘର ପୂଜା ସାରି ଜଳଖିଆ ପତର ବନେଇ ସାରି ଦୂର୍ଗାମଣ୍ଡପକୁ ଯିବ । ଆଜି ଅଷ୍ଟମୀ ତା'ର ଓପାସ । ସେଠି ପୂଜା ସାରି ଆସିଲେ ଯାଇ ଯାହା ଭୋଗ ଖାଇବ । ଦିନ ଦଶଟା ଆସି ବାଜିଲାଣି । କଳାହାଣ୍ଡିଆ ମେଘ ବି ଉଠେଇଲାଣି । ବରଷା ହେଲେ କେମିତି କ'ଣ ସେଠି କରିବି ? କେତେ ଭିଡ ଥିବ ? କେତେ ସମୟ ଲାଗିବ ? ଭାବି ଭାବି ତା'ର ମୁଣ୍ଡ ଗୋଳମାଳ ହେଇଗଲା । ଭୋଗଥାଳି ସଜାଡି ସାରି ସେ ଡାକ ପକେଇଲା ହେଇଟି ଶୁଣୁଛ ! ଜଲଦି ବାହାର ବର୍ଷା ଉଠିଇଲାଣି ପରା ।    

         ଅଜୁ ବାହାରି ଆସି କହିଲେ ମୁଁ ପୁରା ରେଡ୍ଡି । ତମକୁ ମଣ୍ଡପରେ ଛାଡିଦେଇ , ମୁଁ ଚାଟାର୍ଡ ଏକାଉଣ୍ଟାଣ୍ଟ ଅମୀୟବାବୁ ଙ୍କ ପାଖକୁ ଯିବି । ସେଠି ଟିକେ କାମ ଅଛି । ତମକୁ ନିଶ୍ଚିତ ଘଣ୍ଟାଏ ପାଖାପାଖି ଲାଗିଯିବ ପୂଜା ସାରୁ ସାରୁ । ସେ ଭିତରେ ମୁଁ ଆସିଯିବି । ଆନି ହଁ ରେ ମୁଣ୍ଡ ହଲେଇଲା ।

 ସତ କୁ ସତ ମଣ୍ଡପରେ ଭିଡଥିଲା । ଲମ୍ବା ଲାଇନ୍ ଲାଗିଥିଲା ଭୋଗଥାଳି ଧରି ସେ ଲାଇନ୍ ରେ ଲାଗିଗଲା । ଜଣେ ଆସି କହିଲା ମାଡାମ୍ ଭୋଗ ଅଛି ?? ତେବେ ଏପଟେ ଆସନ୍ତୁ । ଏଇଟା ଆପଣଙ୍କ ଲାଇନ୍ । ସେଇ ଲାଇନ୍ ଟା ଟିକେ ଛୋଟ ଥିଲା । ଭିତରେ ପଶି ଦେଖିଲା ଚାରି ଆଡ ଧୂଆଁଧୂଆଁ ଆଉ ଝୁଣା ଗୁଗୁଳର ବାସ୍ନା । ସେଇ ଭିତରେ ମାଁଙ୍କ ସ୍ମିତହାସ ମୁହଁ । କି ସୁନ୍ଦର !! ସତେ କି କରୁଣାର ବାରି ଝରି ପଡୁଛି । ଆନି ସବୁ ଭୁଲିଗଲା ସେଇ ମୁହଁକୁ ଚାହିଁ । କେହି ଜଣେ ଆସି ତା ହାତରୁ ଭୋଗଥାଳି ନେଇ ଚାଲିଗଲେ । ମାଁଙ୍କ ମୁଣ୍ଡରୁ ଖସି ପଡିଲା ଗୋଟିଏ ପଦ୍ମ । ହୁଳହୁଳିରେ କମ୍ପିଗଲା ମଣ୍ଡପ । ଅଳ୍ପ ସମୟ ଭିତରେ ତା'ର ଭୋଗ ଥାଳି ଆଣି ଜଣେ ଧରେଇ ଦେଲେ । ମାଁଙ୍କୁ ମୁଣ୍ଡିଆ ମାରି ବାହାରକୁ ଆସୁ ଆସୁ ମନେ ମନେ ଭାବିଲା ଏତେ ଶୀଘ୍ର ସରିଗଲା ପୂଜା । ଏବେ ଏତେ ସମୟ କ'ଣ କରବି ? ଅଜୁ ଆସୁ ଆସୁ ଆହୁରି ସମୟ ଲାଗିବ । ଠିକ୍ ଏତିକି ବେଳେ କେହି ଜଣେ ଆସି ହଠାତ୍ ତା'ର ଗଳାକୁ ଧରି କୁଣ୍ଡେଇ ପକେଇଲା । ସେ ଚମକି ପଡିଲା । ସେ କିଛି କହିବା ଆଗରୁ ମହିଳା ଜଣକ କହି ଉଠିଲେ ଚିହ୍ନି ପାରୁଛୁ ? ନା ପରିଚୟ ଦେବାକୁ ପଡିବ ? ଆନି ଭଲ କି ମହିଳାଙ୍କ ମୁହଁକୁ ଅନେଇ ।ଦୋ ଦୋ ଚିହ୍ନା ହେଲା । ତା'ପରେ ଆରେ ! ନିଶା ତୁ ଏଠି କେମିତି ? କେତେ ବର୍ଷ ପରେ ଦେଖା ।

                   ନିଶା ତା ହାତକୁ ଧରି ବାହାରକୁ ନେଇ ଆସିଲା । ଯାହା ହେଉ ମୋତେ ଚିହ୍ନି ପାରିଲୁ । ଏଇ ପାଖରେ ମୋ ଘର ତୁ ଚାଲ ବସି କି ଟିକେ ଗପିବା । ତୋତେ ଏଇନା ଜମା ଛାଡିବିନି । ଆନି ବି ରାଜି ହେଇଗଲା । କାହିଁକି ନା ଅଜୁଙ୍କୁ ଆସିବାକୁ ଆହୁରି ଡେରି ଲାଗିବ । ଏଠି ବସି କ'ଣ କରିବି ଏକୁଟିଆ ? ବରଂ ତା ଘରେ ବସି ଅପେକ୍ଷା କଲେ ଭଲ ହେବ । ଆଉ ଏତେ ବର୍ଷ ପରେ ନିଜର ଅନ୍ତଃରଙ୍ଗ ବନ୍ଧୁକୁ ପାଇ କିଛି କଥାବାର୍ତ୍ତ ନ ହେଇ ଏମିତି କ'ଣ ଚାଲି ଯାଇହୁଏ ?

       ମଣ୍ଡପ ମାତ୍ର ପଚାଶ ମିଟର ଦୂରରେ ତା ଘର ଥିଲା । ଦୁଇ ମହଲା ବିଶିଷ୍ଟ ଛୋଟିଆ କୋଠାଘରଟିଏ । ହେଲେ ଖୁବ୍ ସୁନ୍ଦର । ଆଗରେ ଛୋଟିଆ ବଗିଚା ଟିଏ । ତାଲା ଖୋଲି ତାକୁ ଦାଣ୍ଡଘରେ ବସେଇ କହିଲା ରହ ମୁଁ ଭୋଗଟା ଭିତରେ ରଖି ଆସୁଚି । ଆନି ଏବେ ନିଶାକୁ ଭଲଭାବରେ ଦେଖିଲା । ଆରେ !! ସେ ତ କାଇଁ ଚୂଡି କି ସିନ୍ଦୂର ପିନ୍ଧିନି । ସେ କ'ଣ ବାହା ହେଇନି ?? ଏଠି କ'ଣ ସେ ଏକୁଟିଆ ରହୁଛି ? ଅନେକ ପ୍ରଶ୍ନ ଉଙ୍କି ମାରିଲା । ସୋଫା ଉପରେ ଥକ୍କାମାରି ଆଉଜେଇ ହେଇ ବସି ପଡିଲା । ସ୍କୁଲ ଜୀବନ ଏକା ସାଙ୍ଗେ ବିତେଇ ଥିଲୁ । ଦଣ୍ଡେ ଦୁହେଁଦୁହିଁଙ୍କୁ ନଦେଖିଲେ ରହି ପାରୁ ନଥିଲୁ । ତାପରେ ଆନି ସେ ସହର ଛାଡି ଦେଲା । ତା ବାପା ଟ୍ରାନ୍ସଫର ହେଇ ବହୁତ ଦୂର ସହରକୁ ଚାଲିଗଲେ । ଆଉ ତା ପରେ ନିଶାର କିଛି ଖବର ତାପାଖରେ ନଥିଲା । ନିଶା ପ୍ଲେଟରେ କିଛି ଭୋଗ ଆଉ ପାଣିଗ୍ଲାସ ଧରି ଆସିଲା । ନେ ଟିକେ ଭୋଗ ପାଇଦେ ମୁଁ ଜାଣେ ତୁ ଓପାସ କରିଥିବୁ । ନଡିଆ ଖଣ୍ଡେ ଉଠେଇ ନେଇ ମୁଣ୍ଡରେ ମାରି ଆନି ପାଟିରେ ପକେଇଲା ।

                 ଆନି ନିଜକୁ ଆଉ ରୋକି ନପାରି ପଚାରିଲା ତୁ କ'ଣ ଏଠି ଏକୁଟିଆ ରହୁଚୁ ? କେହି ତ ଦେଖା ଯାଉ ନାହାନ୍ତି । ନିଶା ଦୀର୍ଘ ନିଃଶ୍ବାସ ମାରି କହିଲା ଆଉ କିଏ ରହିବ ଯିଏ ରହିବା କଥା ସେ ତ ଅଧ ରାସ୍ତାରେ ଛାଡି ଚାଲିଗଲା । ହଁ ଝିଅ ଅଛି ସାଙ୍ଗ ଘରକୁ ଯାଇଛି । ତା ସାଙ୍ଗର ଆଜି ଜନ୍ମଦିନ । ଆନି ନିଶାର ହାତକୁ ଜାବୁଡି ଧରି ପଚାରିଲା କେମିତି ୟେ ସବୁ ଘଟିଗଲା ?? ଭାବି ନେ ମୋ ପାଇଁ ଏକ ଅଗ୍ନିପରୀକ୍ଷା ଥିଲା । ନିଜ ପସନ୍ଦରେ ଆଲୋକଙ୍କୁ ବାହା ହେଲି । ଘରେ କି ଶାଶୁଘରେ ୟେ କଥାକୁ ପସନ୍ଦ କଲେନି । ସେଇଥିରେ ଆମେ ଦୁହେଁ ଘରସଂସାର ଆରମ୍ଭ କଲୁ । ଭଲ ଏକ ପ୍ରାଇଭେଟ କମ୍ପାନୀରେ ଚାକିରୀ କରିଥିଲେ । ରୋଜଗାର ଭଲ ଥିଲା । ହସଖୁସିରେ ସଂସାର ଚାଲିଥିଲା ।ସେ ଆଗ ଏଇ ଘରଟି ତିଆରି କରେଇ ଦେଇଥିଲେ । ଯେହେତୁ ତା'ଙ୍କ ଘର ଆଉ ମୋ ଘର ଦୂଆର ଆମ ପାଇଁ ବନ୍ଦଥିଲା । ସେ ଅଭିମାନ କରି ନିଜଘର ତିଆରି କରିଥିଲେ । ତା'ପରେ ଝିଅ ଲୁସି ହେଲା । ଧୀରେ ଧୀରେ ପରିବାର ଲୋକଙ୍କ ଟିକେ ମନ ବଦଳିଲା । ସେମାନେ ଏଠିକି ଆସିବାକୁ ଲାଗିଲେ । ଶାଶୁଘର ଏଇ ସହରରେ । ଜୀବନ ଠିକଠାକ଼୍ ଚାଲିଥିଲା । 

                  ଲୁସିର ଯେତେବେଳ ଦଶବର୍ଷ ହେଲା ୟାଙ୍କ ଦେହ ଖରାପ ହେବା ଆରମ୍ଭ ହେଲା । ଡକ୍ଟରଙ୍କୁ ଦେଖେଇଲୁ ସେ କହିଲେ କ୍ୟାନସର ବମ୍ବେ ନେଇ ଯାଆନ୍ତୁ । ଲୁସିକୁ ଶାଶୁଘରେ ଛାଡି ବମ୍ବେ ଗଲୁ । ସେଠି ଡକ୍ଟର କହିଲେ ଅପରେସନ ହେବ । ଅପରେସନ କଲୁ ବହୁତ ଗୁଡେ ଟଙ୍କା ଖର୍ଚ୍ଚ ହେଲା । ସେ ଭଲ ହେଇଗଲେ ବୋଲି ଆମେ ଭାବିଲୁ । ନରମାଲ ମଣିଷ ଭଳି ସେ କାମଦାମ କରୁଥିଲେ । ପାଞ୍ଚ ବର୍ଷ ତା ଭିତରେ ବିତିଗଲା । ହଠାତ୍ ଦିନେ ତାଙ୍କ ମୁଣ୍ଡ ବୁଲେଇଲା ପଡିଗଲେ । ଆମେ ପୁଣି ଧାଇଁଲୁ ଡକ୍ଟରଙ୍କ ପାଖକୁ । ସେଠି ଡକ୍ଟର କିଛି କହିବା ଆଗରୁ ସେ ଚାଲିଗଲେ । ଦୁଃଖର ପାହାଡ ଖସି ପଡିଲା ମୋ ମୁଣ୍ଡରେ । କଥାରେ ନାହିଁ ମଣିଷ ଚହ୍ନିବ ଦୁଃଖରେ । ମୋ ସହ ସେଇଆ ଘଟିଲା । ଶାଶୁଘର ଦୂଆର ପୁଣି ବନ୍ଦ ହେଇଗଲା ମୋ ପାଇଁ । ସେମିତି କିଛି ବିଶେଷ ସେଭିଙ୍ଗ ନଥିଲା ମୋ ପାଖରେ । କାରଣ ତାଙ୍କ ଅପରେସନ୍ ରେ ବହୁତ ଟଙ୍କା ଖର୍ଚ୍ଚ ହେଇ ଯାଇଥିଲା । କେମିତି ଆମେ ଦୁହେଁ ଚଳିବୁ ସେ ନେଇ ମୋ ମୁଣ୍ଡରେ ଚଡକ ପଡିଲା । ଠାକୁରଙ୍କ ଦୟାରୁ ଆମ ରହିବା ପାଇଁ ମୁଣ୍ଡ ଉପରେ ଛାତଖଣ୍ଡେ କରି ଯଇଥିଲେ ସେତିକି ବି କମ୍ କଥା ନୁହଁ । ନ ହେଲେ ଆମ ମା ଝିଅଙ୍କ ଅବସ୍ଥା ଯେ କ'ଣ ହେଇ ଥାଆନ୍ତା ?? ମୁଁ ଭାବି ପାରୁନି । ଲୁସିର ସ୍କୁଲ ଟ୍ୟୁସନ ଖର୍ଚ୍ଚ ସହ ଆମର ଦୈନନ୍ଦିନ ଖର୍ଚ୍ଚ ଯାହା କିଛି ସେଭିଙ୍ଗସ୍ ଥିଲା ଧୀରେ ଧୀରେ ସରି ଆସୁଥିଲା । ମୁଁ ଯେମିତି ଏକ ଅନ୍ଧକାର ଗହ୍ବର ଭିତରେ ପଶିଯାଉଥିଲି ।

       ହଠାତ୍ ଦିନେ ଲୁସି ସାଙ୍ଗର ମାଁ ମୋନିକା ଏଇ ଦଶହରା ସମୟରେ ଆସିଲେ । ଆସି କହିଲେ ଆପଣ ବହୁତ ବଢିଆ କେକ୍ ବନାନ୍ତି ମୁଁ ଶୁଣିଚି । ମୋ ଝିଅର ଜନ୍ମଦିନ ଆସୁଛି ଆପଣ ଗୋଟେ କେକ୍ ବନେଇ ଦେବେ । ଆପଣ ମନା କଲେ ବି ତା ପାଇଁ ମୁଁ ପଇସା ଦେବି । ମାଗଣାରେ ଯମା ନେବିନି । ମୁଁ ଚାହିଁବି କି ଆପଣ ଘରେ କେକ୍ ଆଉ କୁକିଜ୍ ବନାନ୍ତୁ । ଅର୍ଡର ମୁଁ ଆଣି କି ଦେବି । ଆପଣ ବି ବାହାରେ ଗୋଟେ ବୋର୍ଡ ମାରି ଦିଅନ୍ତୁ । ଭଲ ରୋଜଗାର ହେବ । ଆପଣଙ୍କ ଟ୍ୟାଲେଣ୍ଟ କୁ ରୋଜଗାର ର ମାଧ୍ୟମ ବନାନ୍ତୁ । ମୁଁ ଆପଣଙ୍କୁ ସାହାଯ୍ଯ କରିବାକୁ ପ୍ରସ୍ତୁତ ଅଛି । ତାଙ୍କ କଥା ମୋ ମନକୁ ପାଇଲା । ମାଁଙ୍କ ଆଶୀର୍ବାଦ ଭାବି କାମ ଆରମ୍ଭ କଲି । ପ୍ରଥମେ ପ୍ରଥମେ ରୋଜଗାର ଖୁବ୍ କମ୍ ଥିଲା । ମନ ଭାଙ୍ଗିଯାଏ । ହେଲେ ମୋନିକା ମୋତେ ସବୁବେଳେ ଉତ୍ସାହିତ କରୁଥିଲେ । ମୁଁ କାମ ଜାରି ରଖିଲି । ଧୀରେଧୀର ଅର୍ଡର ବଢିଲା ରୋଜାଗାର ବି । 

             ମାସେ ତଳେ ମୋନିକା ମୋ ସାଙ୍ଗେ ମିଶି ଗୋଟେ ଦୋକାନ ଖୋଲଇବାର ପ୍ରସ୍ତାବ ଦେଲେ । ଏଇ ଦଶହରା ଦିନ ଆମ ଦୋକାନର ଇନାଗୁରେସନ୍ ଅଛି । ତୁ ନିଶ୍ଚୟ ଆସିବୁ । ୟେ ସବୁ ମାଁଙ୍କ କୃପା ଭିନ୍ନ ଆଉ କିଛି ନୁହଁ । ଖୁବ୍ କାନ୍ଦିଥିଲି ତାଙ୍କ ପାଖରେ । ସେ ହିଁ ସାହାସ ଦେଇଛନ୍ତି ସେଇ ଅନ୍ଧକାର ଭିତରୁ ବାହାରିବାକୁ ଆଉ ସବୁ ପରିସ୍ଥିତିର ମୁକାବିଲା କରିବାକୁ ସେଇଥି ପାଇଁ ସେ ଶକ୍ତି ରୂପେଣ ସଂସ୍ଥିତା ।


Rate this content
Log in

Similar oriya story from Inspirational