Lipi Sahoo

Inspirational Others

4.5  

Lipi Sahoo

Inspirational Others

ବୋଧିଦ୍ରୁମ ଶାନ୍ତିନିକେତନର

ବୋଧିଦ୍ରୁମ ଶାନ୍ତିନିକେତନର

4 mins
252


ଶାନ୍ତିନିକେତନ' କେବଳ ଏକ ଅନୁଷ୍ଠାନ ନୁହେଁ ବରଂ ଚିରନ୍ତନ ଏକ ଚେତନାର ପ୍ରବାହ । ଏକ ଧାରା । ସ୍ବତନ୍ତ୍ର ସଭ୍ୟତାର ପୃଷ୍ଠଭୂମି । ଜ୍ଞାନ, କଳା ଆଉ ଆଧ୍ୟାତ୍ମିକତାକୁ ଏକା ସାଙ୍ଗରେ ନେଇ ଗତିଶୀଳ । ନିଜସ୍ବ ସଂସ୍କୃତି ଆଉ ପରମ୍ପରାରେ ଗରୀୟାନ । ମୋର ସୌଭାଗ୍ଯ ଯେ ସେଇ ସ୍ବତନ୍ତ୍ର ଭୂମିରେ ଦୁଇବର୍ଷ ବାସିନ୍ଦା ହେବାର ସୁଯୋଗ ଲାଭ କରିଥିଲି । ତା'ର ଆମ୍ରକୁଞ , ବକୁଳବିଥି , ଶାଳବିଥି ଆଉ ରାସ୍ତା ଦୁଇପଟର ବିଶାଳ ବିଶାଳ ଗଛମାନ ଅରଣ୍ୟ ମଛିରେ ଥିବା ଗୁରୁକୂଳ ପରି ପ୍ରତୀୟମାନ ହୁଏ । ମୁଁ ତିରିଶବର୍ଷ ତଳ ଶାନ୍ତିନିକେତନର ସ୍ଥିତିକୁ ଉପସ୍ଥାପନ କରୁଛି । ନିଶ୍ଚିତ ଭାବରେ ସମୟର ପ୍ରବାହ ସହ ସେଠାରେ ଅନେକ ପରିବର୍ତ୍ତନ ଆଉ ବିବିଧତା ଆସିଯାଇଥିବ । ଏହା ଏକ ସ୍ବଭାବିକ ପ୍ରକ୍ରିୟା । ସତ କହିବାକୁ ଗଲେ ଯେତେବେଳେ ସେଠି ଥିଲି ଏତେ ତାତ୍ତ୍ଵିକ ଦୃଷ୍ଟିକୋଣରୁ ଶାନ୍ତିନିକେତନକୁ କେବେ ବି ବିଶ୍ଲେଷଣ କରି ନଥିଲି । "ଗାଁ କନିଆ ସିଙ୍ଘାଣିନାକି" ନ୍ୟାୟରେ । ସେଠାରେ ଓଡିଆ ଭାଷା ଆଉ ସାହିତ୍ଯକୁ ରୁଦ୍ଧିମନ୍ତ କରିଥିବା ଆଉ କରୁଥିବା ଅନେକ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିଦ୍ ଙ୍କଠାରୁ ଶିକ୍ଷାଗ୍ରହଣ କରିବାର ସୌଭାଗ୍ଯ ଲାଭ କରିଥିଲି । 


                   ସମସ୍ତଙ୍କ ଭିତରେ ବରିଷ୍ଠ ଥିଲେ ଶ୍ରୀଯୁକ୍ତ ଖଗେଶ୍ଵର ମହାପାତ୍ର । ବିଶେଷ ଭାବରେ ଅନେକ ଆଦିବାସୀ ଭାଷା ଓ ସାହିତ୍ଯକୁ ଜନାଦୃତ କରିଥିବା ଚୀର ଚର୍ଚ୍ଚିତ ନାମ । ଶାନ୍ତିନିକେତନ ରେ ଆମକୁ ପ୍ରାଚୀନ ଭାଷା ଓ ସାହିତ୍ଯ ପଢାଉଥିଲେ । ବିଶେଷ ଭାବରେ ଚର୍ଯାପଦ ଗୁଡିକ । ତାଙ୍କର ବୌଦ୍ଧିକତାର କଳନା କରିବା ଆମ ମାନଙ୍କର ସାମର୍ଥ୍ଯ ବାହାରେ ଥିଲା । ସାର୍ ବହୁତ ଧୀରେ କଥା କହୁଥିଲେ । ବହୁତ ସମୟରେ ପ୍ରଥମ ଧାଡି ପିଲା ବି ଶୁଣିବାକୁ ଅସମର୍ଥ ହେଉଥିଲେ । ଏକ ତ ସେତେବେଳେ ଆମର ଯୁବା ବୟସ ସେଇଥିରେ ଧ୍ୟାନ, ଧାରଣା, ଇଡା , ପିଅଙ୍ଗଳା, ସୁଷୁମ୍ନା , ସହସ୍ରା ଆଦି ପଢିବାର ଧର୍ଯ୍ୟ ନଥାଏ । ଆଉ ଚର୍ଯାପଦରେ ଥିବା ଠାରଗାର ଦିଆ ପ୍ରାଚୀନ ଭାଷା ଆମ ମୁଣ୍ଡରେ ସହଜେ ପଶୁନଥିଲା । ବାଲୁ ବାଲୁ କରି ସାରଙ୍କ ମୁହଁକୁ ଚାହୁଁ । ବେଳେ ବେଳେ ସାର୍ ବିରକ୍ତ ହେଇ ଯାଆନ୍ତି ହେଲେ କେବେ ବି ଗାଳି ଦେଇ ନାହାଁନ୍ତି । ଖାଲି ହସି ଦିଆନ୍ତି କାରଣ ଆମ ମାନଙ୍କ ଜ୍ଞାନର ଅପରିପକ୍ବତାକୁ ସାର୍ ମାପି ସାରିଥିଲେ ।


                  ବରିଷ୍ଠତା ଦୃଷ୍ଟିରୁ ଦ୍ବିତୀୟରେ ଥିଲେ ଶ୍ରୀଯୁକ୍ତ ନରେନ୍ଦ୍ର ମିଶ୍ର ସାର୍ । ହେଲେ ଆମର ଦୁର୍ଭାଗ୍ଯ ସାର୍ ଆମର ମାତ୍ର ଗୋଟିଏ କି ଦୁଇଟି କ୍ଲାସ୍ ନେଇଥିଲେ । ତାପରେ ଚାକିରୀରୁ ଅବସର ନେଲେ । ହେଲେ ଖୁବ୍ ଶାନ୍ତ , ସରଲ ଆଉ ଅମାୟିକ ବ୍ଯକ୍ତିତ୍ବର ଅଧିକାରୀ ଥିଲେ । ଆମେ ବେଶୀ ମିଶିବାର ସୁଯୋଗ ପାଇ ନଥିଲୁ ।


                    ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ମହାପାତ୍ର ସାର୍ ଖୁବ୍ ସରଳ ହେଲେ ଆମୋଦକର ବ୍ଯକ୍ତିତ୍ବ । କଥା କଥାରେ ହସାନ୍ତି । ହେଲେ ସେ ସବୁ ଥାଏ ବୌଦ୍ଧିକ ସାଟାୟାର । ବହୁତ ମଜା ଆସେ ସାର୍ ଙ୍କ କ୍ଲାସ୍ କରିବାରେ । ପିଲାଙ୍କୁ ହସେଇ ମଜେଇ କେମିତି ପଢା ଯିବ ସାର୍ ଙ୍କୁ ବେଶ୍ ଭଲ ଭାବରେ ଜଣାଥିଲା । ପାଠ ବୁଝେଇବା ଶୈଳୀ ବି ବେଶ୍ ଭଲଥିଲା । ମଜାଗପ ସହ ପାଠକୁ ଯୋଡି ଏମିତି କହିଥିବେ ଯେ ପାଠଟା ପୂରାପୂରି ମନେ ରହିଯାଏ । ତାଙ୍କର ଗୋଟେ ଅନୁଭୂତି ଆମକୁ ଶୁଣେଇ ଥିଲେ ଆମେ ସମସ୍ତେ ହସି ହସି ବେଦମ୍ । ସେ ଯେତେବେଳେ ନୂଆକରି ଶାନ୍ତିନିକେତନ ଆସିଥିଲେ ତାଙ୍କୁ ବଙ୍ଗଳାଭାଷା ଆସୁ ନଥିଲା ହେଲେ ବୁଝି ପାରୁଥିଲେ ଅଳ୍ପ ବହୁତ । ଦିନେ ତାଙ୍କ ପେଟ ଖରାପ ହେବାରୁ ଡକ୍ଟରଙ୍କ ପାଖକୁ ଗଲେ । ଡକ୍ଟର ପଚାରିଲେ "ଆପନି କି ଖିଏଛେନ୍ ସକାଲବେଲା" ?? ସାର୍ ଛତୁଆ ଖାଇଥିଲେ ହେଲେ ବଙ୍ଗାଳିରେ ଛତୁଆକୁ କ'ଣ କୁହାଯାଏ ଜଣା ନଥିଲା । ବହୁତ ଭାବି କି କହିଲେ "ଛାତା ଖିଏଛି"। ଡକ୍ଟର ହସି ହସି ପଚାରିଲେ , ମାଥା ଖାରାବ ନା କି ??? ଅଜବ ମାନୁଷ !! ସେଠି ଛତା କୁ ଛାତା କୁହନ୍ତି ବୋଲି ସାର୍ ପରେ ଜାଣାଲେ । ସେ କଥାଟି ଆଜିବି ମୋର ମନେ ଆଛି । ମନେ ପଡିଲେ ହସ ବି ଲାଗେ । ହେଲେ ବର୍ଷେ ପରେ ଶ୍ୟାମସାର୍ ବି ଅବସର ନେଲେ । ଖୁବ୍ ମନ ଖରାପ ହେଲା ।


                 ଶ୍ରୀଯୁକ୍ତ ନୀଳାଦ୍ରି ଭୂଷଣ ହରିଚନ୍ଦନ ଆମର ଏଚ୍.ଓ.ଡି ଥିଲେ । ଖୁବ୍ ସ୍ନେହୀ ଆଉ ବେଶ୍ ସମ୍ବେଦନଶୀଳ । ଟିକେ ଟିକେ କଥାରେ ସାର୍ ଙ୍କ ଆଖି ଛଳ ଛଳ ହେଇଯାଏ । ତାଙ୍କ ଜ୍ଞାନର ଗଭୀରତା ସାହିତ୍ୟକୁ ଭଲପାଉଥିବା ପ୍ରତିଟି ବ୍ଯକ୍ତି ବିଦିତ ଥିବେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ସନ୍ତାନବତ୍ ସ୍ନେହ କରୁଥିଲେ । ସବୁବେଳେ ହସ ହସ ମୁହଁ । ପଢାଶୈଳୀ ଖୁବ୍ ସୁନ୍ଦର କେବେ ବି ତାଙ୍କ କ୍ଲାସରେ କେହି ଅନ୍ୟମନସ୍କ ହେବାର ଦେଖା ଯାଏନି । ସମସ୍ତେ ମନ୍ତ୍ରମୁଗ୍ଧ ହେଇ ଅନେଇ ଥାଆନ୍ତି ।


                    ଶ୍ରୀଯୁକ୍ତ କଇଳାଶ ପଟ୍ଟନାୟକ ଏକ ସ୍ଵତନ୍ତ୍ର ବ୍ୟକ୍ତିତ୍ବ ସାହିତ୍ଯ କ୍ଷେତ୍ରରେ ହେଉ କି ସାଧାରଣ ମଣିଷ ହିସାବରେ ହେଉ । ସ୍ବଳ୍ପଭାଷୀ , ହେଲେ ଯଆହା ବି କୁହନ୍ତି କଥାର ମର୍ମ ବୁଝିବାକୁ ଆମ ମାନଙ୍କୁ ଟିକେ ଅଧିକା ସମୟ ଲାଗେ । ଆମର କ୍ଷୁଦ୍ରବୁଦ୍ଧି ଯୋଗୁଁ । ସାରଙ୍କ ବସିବା, ଉଠିବା, ହସିବା ହେଉ କି କଥା କହିବା ଶୈଳୀ ହେଉ ସବୁ ଥିରେ ସ୍ୱତନ୍ତ୍ରତା ଥିଲା । ପିଲାମାନେ ବହୁତ ସମୟରେ ସେ ସବୁକୁ କପି କରିବାକୁ ଚେଷ୍ଟା କରନ୍ତି । ସାର୍ ଯାହା ବି ପଢାନ୍ତି ତାକୁ ଦ୍ଵିତୀୟଥର ପଢିବାର ଆବଶ୍ୟକତା ପଡେନି । ମନେ ରହିଯାଏ ।

                    

                 ଶ୍ରୀମତି ସବିତା ପ୍ରଧାନଙ୍କ ଦ୍ବାରା ମୁଁ ବିଶେଷ ଭାବରେ ପ୍ରଭାବିତ ହେଇଥିଲି । ଗମ୍ଭୀର ଖୁବ୍ କମ୍ ହସନ୍ତି । ହେଲେ ସେ ହସିଲେ ମୋତେ ବହୁତ ଭଲ ଲାଗୁଥିଲା । କାହିଁକି କେଜାଣି ଆମେ ସମସ୍ତେ ତାଙ୍କୁ ଖୁବ୍ ଭୟ କରୁଥୁଲୁ । କେବେ କାହାକୁ ଗାଳି ଦେବାର ବି ଆମେ ଦେଖିନୁ । ତଥାପି କାହିଁକି କେଜାଣି ଭୟ କରୁ ?? ଯେବେ ବି ଆମର ତାଙ୍କ ଟେଷ୍ଟ ଥିବ ଆମେ ରାତି ଅନିଦ୍ରା ହେଇ ପଢୁ । ଯଦି କେବେ ବି ମାଡାମ୍ ମୋର ଏକ କି ଅଧେ ମାର୍କ ବି କାଟିଥିବେ ମୋତେ ଖୁବ୍ କଷ୍ଟ ଲାଗେ । କାରଣ ମୋର ସବୁଠାରୁ ପ୍ରିୟ ବିଷୟ ଥିଲା ଭାଷାତତ୍ତ୍ବ । ମାଡାମ୍ ଖାଲି ଏତିକି କହିଦେବେ ତମେ ଏଇ ଭୂଲଟା କରିବ ମୁଁ ଆଶା କରି ନଥିଲି । ସେତିକି ରେ ମୋ ମୁଣ୍ଡ ଖରାପ ହେଇଯିଏ । ଦୁଇ ତିନି ଦିନ ଲାଗିଯାଏ ସେ କଥା ଭୂଲିବାକୁ । 


                 ଶ୍ରୀଯୁକ୍ତ ମନୋରଞ୍ଜନ ପ୍ରଧାନ ନାମନେଲା ମାନେ ମୁହଁରେ ହସ ଆପେ ଆପେ ଆସି ଯାଏ । ସବୁ ପିଲାମାନେ ସାରଙ୍କ ସହ ବେଶ୍ ସ୍ବଚ୍ଛନ୍ଦରେ ମିଶି ଯାଆନ୍ତି । ସାର୍ ଖୁବ୍ ମେଳାପୀ । ସାଙ୍ଗ ଭଳି ସମସ୍ତଙ୍କ ସହ ମିଶି ଯାଆନ୍ତି । ସବୁ ପିଲା ବି ନିଜର ସୁବିଧା ଆସୁବିଧା ସାର୍ ଙ୍କ ସହ ନିର୍ଦ୍ବନ୍ଦରେ ଆଲୋଚନା କରିପାରନ୍ତି । ଖୁବ୍ ହସାନ୍ତି । ବାହୁତ ଦୂରରୁ ଜଣା ପଡିଯାଏ ମନୋରଞ୍ଜନ ସାର୍ କ୍ଲାସ୍ ନେଉଛନ୍ତି । ହସର ସୁଅ ଛୁଟେ କ୍ଲାସ୍ ରେ । ହସମଜା ଭିତରେ ସାର୍ ପାଠଟାକୁ ବି ପଢେଇ ନିଅନ୍ତି । ସମସ୍ତେ ଅପେକ୍ଷା କରି ଥାଆନ୍ତି ମନୋରଞ୍ଜନ ସାର୍ କେତେବେଳେ କ୍ଲାସ୍ ନେବେ । ମନ ଯେତେ ଦୁଃଖ ଥାଉ ନା କାହିଁକି ସାରଙ୍କ କ୍ଲାସ୍ ରୁ ବାହାରିଲା ବେଳକୁ ସେ ହସି ହସି ହିଁ ବାହାରିବ । ଏଇଟା ଗ୍ୟାରେଣ୍ଟେଡ୍ ।


           ସମସ୍ତ ଗୁରୁମାନଙ୍କୁ ମୋର ଶତକୋଟି ନମନ । ସେମାନଙ୍କ ସାନ୍ନିଧ୍ୟ ଆମ ସମସ୍ତଙ୍କ ଜୀବନରେ ଏକ ସ୍ଵତନ୍ତ୍ର ମୂଲ୍ୟବୋଧ ଯୋଡି ଦେଇଛି ଏଥିରେ କୌଣସି ଦ୍ୱିମତ ନାହିଁ । ୟେ ସମସ୍ତେ ଶାନ୍ତିନିକେତନର ଗୋଟିଏ ଗୋଟିଏ ବୋଧିଦ୍ରୁମ ଥିଲେ କହିବା ଅତ୍ୟୁକ୍ତି ହେବନାହିଁ । ସେମାନଙ୍କ ଛତ୍ରଛାୟା ତଳେ ଆମେ ଜ୍ଞାନ ଆହରଣ କରିଥିଲୁ ।



Rate this content
Log in

Similar oriya story from Inspirational