Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swetapadma Padhi

Drama Tragedy

3  

Swetapadma Padhi

Drama Tragedy

ଏନ୍.ଆଇ.ସି.ୟୁ

ଏନ୍.ଆଇ.ସି.ୟୁ

4 mins
266


ସକାଳ ୭ଟା ସହରର ବିଖ୍ୟାତ ନାମୀ ଦାମୀ ହସ୍ପିଟାଲ ସାଧନା ମଲ୍ଟିସ୍ପେଷାଲ୍ଟି ହସ୍ପିଟାଲ । ଲୋକ ଗହଳିରେ ଚଳଚଞ୍ଚଳ । ତୃତୀୟ ମହଲା ର ଏନ୍.ଆଇ.ସି.ୟୁ. ବିଭାଗ । ଶିଡି ର ଡାହାଣ ପଟେ ଡାକ୍ତରମାନଙ୍କ କ୍ୟାବିନ । ବାମ ପଟେ ଗୋଟେ ଆଡେ ଅପେକ୍ଷା ଗୃହ ଅନ୍ୟ ଆଡ଼େ ଏନ୍.ଆଇ.ସି.ୟୁ କୁ ପ୍ରବେଶ ପଥ । 

ଦୈାଡି ଦୈାଡି ଆସୁ ଥାଏ ମାଳତୀ ନର୍ସ ଏନ୍.ଆଇ.ସି.ୟୁ. ଭିତରେ ପ୍ରବେଶ କଲା ବେଳକୁ ଗାର୍ଡ କୁ ଦେଖି କ'ଣ ହେଲାରେ ମୁହଁ କାଇଁ ଶୁଖେଇଛୁ ? ତୋ ସ୍ତ୍ରୀ ଠାରୁ ଆଜି ଗୋଇଠା ଖାଇ ଆସିଲୁକି ଆଖି ମାରି ଦେଇ ତାକୁ ହସିଲା । ଗାର୍ଡ ରବି ମୁହଁ ଶୁଖେଇ ଭିତର ଶୀତତାପ ନିୟନ୍ତ୍ରିତ ଚ୍ୟାମ୍ବର ପାଖ ଡୋରକୁ ପଡ଼ିଥିବା ବେଞ୍ଚ ଆଡେ ଆଖି ଦେଖେଇଲା । ମାଳତୀ ନର୍ସ ସିଆଡେ ଅନେଇଲା ବେଞ୍ଚ ଉପରେ ଅଧା ଦରମଲା ଅବସ୍ଥାରେ ଝିଅଟିଏ ପଡ଼ିଛି । ଡାକ୍ତର ଶକ୍ତି ସାମନ୍ତରାୟଙ୍କ ପଛପଟଟା ଦିଶୁଛି । ଲୋକଟା ଠିକ୍ ସେ ଦିଶୁନି ଡାକ୍ତର ଶକ୍ତି ତା ଆଡକୁ ମୁହଁ କରି କ'ଣ ତାକୁ ବୁଝଉଥାନ୍ତି । ମାଳତୀ ନର୍ସ ରବିକୁ ଅନେଇ କହିଲେ କ'ଣ ରାତି ଅଧରେ ନୂଆ ସିରିୟସ କେସ୍ ଆସିଛିକି ? ଆରେ ସେମି ଏନ୍.ଆଇ.ସି.ୟୁ ରେ ବେଡ଼ ଖାଲି ଅଛି ହେଲେ ଏପଟେ ତ ଖାଲି ନାହିଁ ! ରବି ମନ ଦୁଃଖରେ କହିଲା, ନୂଆ ନୁହେଁ ନାୟକ ବେଵୀ ଆଜି ରାତି ୪ଟାରେ ଚାଲିଗଲା । ମାଳତୀ ନର୍ସ ବଡ଼ ବଡ଼ ଆଖି କରି ଅନେଇଲେ ରବିକୁ ; କ୍ଷୀଣ ସ୍ବରରେ କହିଲା ବେଞ୍ଚ ଉପରେ ମିସେସ ନାୟକ ବେହୋସ୍ ହେଇକି ପଡିଛନ୍ତି ତା ହେଲେ ! 

ଶୀତତାପ ନିୟନ୍ତ୍ରିତ ଚ୍ୟାମ୍ବର ର ପ୍ରବେଶ ଦ୍ବାର ପର୍ଯ୍ୟନ୍ତ ଆସିଲା ମାଳତୀ । ଏଥର ଝିଅ ଟାର ମୁହଁ ସ୍ପଷ୍ଟ ଦିଶୁଥାଏ । ହଁ ମିସେସ ନାୟକ ସୁନ୍ଦର ଗୋରା ରଙ୍ଗର ମୁହଁ ପୁରା କଳାକାଠ ପଡି ଯାଇଛି । ସବୁଦିନ ସକାଳୁ ହସି ହସି ଯୋଉ ମଣିଷଟି ଗୁଡ ମର୍ନିଙ୍ଗ ମାଳତୀ କୁହେ ଆଜି ସେ ନିସ୍ତେଜ ହେଇ ପଡ଼ିଛନ୍ତି ! ଡାକ୍ତର ଶକ୍ତି କ'ଣ ସବୁ ବୁଝେଇ ସାରି ମିଷ୍ଟର ନାୟକଙ୍କୁ ଆଇ ଆମ ରିଏଲି ସରି କହି ନାୟକ ବାବୁଙ୍କ କାନ୍ଧରେ ହାତ ଥାପୁଡେଇ ଚାଲି ଗଲେ । ବେଳେ ବେଳେ ଯନ୍ତ୍ରଣା କଠିନ ହୃଦୟକୁ ବି ତରଳେଇ ଦିଏ । ନାୟକ ବାବୁଙ୍କ ଆଖିରୁ ବହିଗଲା ଦି ଧାର ଲୁହ ଯେତେବେଳେ ତାଙ୍କ ଆଖି ପଡ଼ିଲା ମାଳତୀ ନର୍ସ ଉପରେ । ମାଳତୀ ଆଉ ତାଙ୍କୁ ଚାହିଁ ପାରିଲାନି । ସବୁଦିନ ଦେଖେ ମାଳତୀ ଏ ହସ୍ପିଟାଲୁ କେତେ ଯେ ଶବ ବାହାରେ । ଦେଖି ଦେଖି ଦେହ ସୁହା ହେଇ ଗଲାଣି ତା'ର । ଏମିତି ଏଠି ମା ବାପା ଆସନ୍ତି ଯିଏ ନିଜର ସର୍ବସ୍ବ ହରେଇ ଦିଅନ୍ତି ଛୁଆକୁ ବଞ୍ଚେଇବାକୁ ଆଉ କିଛି ଏମିତି ଥାନ୍ତି ଏତେ ପଇସା ଦେଇ ଝିଅ ଛୁଆକୁ କିଏ ବଞ୍ଚେଇବ କହନ୍ତି ଆଉ ଏମିତି ବି ଥାଆନ୍ତି ପଇସା ଅଭାବରେ କିଛି କରି ପାରନ୍ତିନି । ନାୟକ ଦମ୍ପତି ଥିଲେ ପ୍ରଥମ ଶ୍ରେଣୀର ଗଲା ମାସେ ହେଲାଣି ପାଣିପରି ପଇସା ଖର୍ଚ୍ଚ କରି ଆସୁଥିଲେ କେବଳ ଗୋଟିଏ ଆଶାରେ ଛୁଆ ଭଲ ହେଲେ ଘରକୁ ନେଇକି ଯିବେ ।

ମାଳତୀ ନର୍ସ ମିସେସ ନାୟକଙ୍କୁ ଜବରଦସ୍ତି ଉଠେଇବାକୁ ଚେଷ୍ଟା କରୁଥିଲା ବେଳେ ନାୟକ ବାବୁ ସାହାଯ୍ୟ କରିବା ପାଇଁ ଆଗକୁ ହାତ ବଢ଼େଇଲା ବେଳକୁ ଆଉ ଜଣେ ନର୍ସ ରମା ଦୈାଡି ଆସିଲା । ମାଳତୀ ଓ ସେ ମିଶି ପାଖ ରୁମରେ ମିସେସ ନାୟକଙ୍କୁ ନେଇ ମହିଳା ଓ୍ଵାର୍ଡ ରେ ଶୁଏଇ ଦେଇ ଡାକ୍ତରଙ୍କୁ ଜଣେଇ ଦେଲା । କଫି ମେସିନ୍ ରୁ କଫି ଦି କପ୍ ନେଇ ବସି ପଡିଲା । ନର୍ସ ରମା ନୂଆ ଆସିଥିଲା ବୋଧେ ପଚାରିଲା, ମାଳତୀ ଦିଦି କିଏ ଇଏ ? ତମକୁ ଏତେ ବ୍ୟସ୍ତ ହେବା ତ ଆଗରୁ ଦେଖିନି !

ମାଳତୀ କହିଲା, ଲୋକ ଏଠି ଆସିଲେ ଆମକୁ ଚାକରାଣୀ ଭଳିଆ ବ୍ୟବହାର ଦେଖାନ୍ତି । କେତେ ଜଣ ଆମକୁ ଛୋଟଲୋକ ନଜର ବି ଦେଖନ୍ତି ଆଉ କେତେ ଜଣ ଆମକୁ ଚରିତ୍ରହୀନା ବୋଲି କହନ୍ତି ! ମୋ ନର୍ସ ଚାକିରୀ ଜୀବନରେ ବହୁତ କମ୍ ଲୋକ ଦେଖିଛି ଯୋଉମାନେ ଆମକୁ ମଣିଷ ବୋଲି ଭାବନ୍ତି । ମିସେସ ନାୟକ ସେମାନଙ୍କ ଭିତରୁ ଜଣେ । ବହୁତ ଖୁସି ବାସିଆ ମହିଳା, ପିନ୍ଧିବା କଥାବାର୍ତ୍ତା ବ୍ୟବହାର ସବୁଥିରେ ନିଆରା । ମୁହଁ ରେ ସବୁ ବେଳେ ହସ । ଗଲା ମାସେ ଭିତରେ କାହା ଉପରେ ବିରକ୍ତ ହେବା କଥା ବହୁତ ଦୂର ଓଲଟା କିଏ ବିରକ୍ତ ହେଲେ ବି ହସି ହସି କହିବେ ହଉ ବ୍ୟସ୍ତ ହୁଅନି ଏଇଟା ଗୋଟେ କଥା ମୁଁ କରିଦେବି ମ । 

ଦେଢ଼ ମାସ ତଳେ ହଠାତ୍ ବିପି ଆଉ ସୁଗର ବଢ଼ି ଯିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହେଲେ । ସାଧନା ମାଡାମ୍ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ହେଲେ ଛୁଆଟା ଉପରେ ଅସୁବିଧା ଆସିବାରୁ ବାଧ୍ୟ ହେଇ ସର୍ଜରୀ କରି ଛୁଆକୁ କାଢିଲେ । ଜମା ଛ ମାସ ୩ ସପ୍ତାହର । ଡାକ୍ତରୀ ଭାଷାରେ କହିଲେ ପ୍ରିମ୍ୟାଚୋର ବେବୀ । ଫୁସଫୁସ ଓ ଖାଇବାଗ୍ରନ୍ଥୀ ଠିକ୍ ସେ ହେଇ ନ ଥିଲା । ତାକୁ ରଖାଗଲା ଏନ୍.ଆଇ.ସି.ୟୁ. ର କାଚବାକ୍ସ ବାଲା (giraffe omni bed incubator) ରେ । ଯୋଥିରେ ପାଇପ ଦେଇ ଅମ୍ଳଜାନ (CPAP) ମଧ୍ୟ ଦିଆ ଯାଉଥିଲା ଛୁଆକୁ ପ୍ରଥମ ସପ୍ତାହ ଠିକ୍ ଥିଲା ହେଲେ ହଠାତ୍ ତା କ୍ଷୀର ବି ତା ଦେହରେ ଗଲାନି ତା'ର ସର୍ଜରୀ ହେଲା । ବହୁତ ଧୈର୍ଯ୍ୟ ଧରି ଥାଆନ୍ତି ନାୟକ ଦମ୍ପତି । ଏଭଳି ଦମ୍ପତି ମୁଁ ଦେଖି ନ ଥିଲି ସେମାନଙ୍କ ଜାଗାରେ ଆଉ କିଏ ଥିଲେ ଡାକ୍ତର ଓ ହସ୍ପିଟାଲ ହୁଲସ୍ତୁଲ କରି ଦେଇଥାନ୍ତେ । ସେମାନଙ୍କ ଆଖିରେ ଲୁହ ନ ଥିଲା ହେଲେ ଆଖି ଦିଟା ସ୍ପଷ୍ଟ ହେବା ବ୍ୟାଖ୍ୟା କରୁଥାନ୍ତି ସେମାନଙ୍କ ହୃଦୟ ଭାଙ୍ଗି ଖିନ୍ ଭିନ୍ନ ହେଇ ସାରିଥିଲାଣି ବୋଲି । ମୋର ମନେ ଅଛି ମୁଁ ଥିଲି ସେଠି ସର୍ଜରୀ ସରିଲା ପରେ ଡାକ୍ତର ଶକ୍ତି କହିଲେ ସର୍ଜରୀ ସଫଳ ହେଲା । ଆପଣଙ୍କ ପୁଅ ଗୋଟେ ଯୋଦ୍ଧା ସେ ମଧ୍ୟ ତା ଚେଷ୍ଟା ଚଲେଇଛି କିନ୍ତୁ ଆଗକୁ ୭୨ ଘଣ୍ଟା ବହୁତ ମହତ୍ୱପୂର୍ଣ୍ଣ ସମୟ , କିଛି ମଧ୍ୟ ହେଇ ପାରେ ଧୈର୍ଯ୍ୟ ଧରନ୍ତୁ । ଆଶ୍ଚର୍ଯ୍ୟ ଜନକ ଭାବେ ତାଙ୍କ ପୁଅ ଖାଲି ହୋସ୍ ରେ ଆସି ନଥିଲା ଚାହିଁକି ଦେଖୁ ମଧ୍ୟ ଥିଲା । ଏବେ ଆଉ ଟିକେ ଆଗରୁ ଜାଣିଲି ହଠାତ୍ କାଲି ରାତିରେ ରକ୍ତବାନ୍ତି ହେଇ ତା ସମଗ୍ର ଶରୀର ଫୁଲିଗଲା ଆଉ ଧୀରେ ଧୀରେ ନିସ୍ତେଜ ହେଇ ଶେଷରେ.... ଭଗବାନ ଭଲ ମଣିଷଙ୍କୁ ବେଶୀ ଦୁଃଖ ଦିଅନ୍ତି । 

ତିନି ଦିନ ପରେ ଆଜି ନାୟକ ଦମ୍ପତି ଫେରୁ ଥାଆନ୍ତି । ଲିଫ୍ଟ ତଳେ ଦେଖା ହେଇଗଲା ମାଳତୀ ଆଉ ରମା ସାଙ୍ଗରେ । ମାଳତୀ ଜଣେ ଭଲ ବନ୍ଧୁ ଭଳିଆ କହିଲା ବ୍ୟସ୍ତ ହୁଅନି । ସବୁ ଠିକ ହେଇଯିବ । ଆରଥରକୁ ସବୁ ଭଲ ହେବ । ଆଜି ମିସେସ ନାୟକ ଏମିତି ଦେଖୁଥିଲେ ଯେମିତି ମାଳତୀ ସପ୍ତାଶ୍ଚର୍ଯ୍ୟ ଭଳି କଥା କହିଲା ଯାହା କେବଳ ଆକାଶଛୁଆଁ ସ୍ବପ୍ନ । ସେ ଯିବା ପରେ ରମା କହିଲା, ଦିଦି କିଏ ଅଦ୍ଭୁତ ମାଇକିନା ଉଁ ଚୁଁ ହଁ ନା କିଛି କହିଲେନି । ଓ୍ଵାର୍ଡ ଦିଦି ବି କହୁଥିଲେ ସେ ଖାଲି ଛାତକୁ ଚାହିଁ ରହୁଥିଲେ ତାଙ୍କୁ କାନ୍ଦିବା ବି କେହି ଦେଖି ନାହାଁନ୍ତି । ମାଳତୀ କହିଲା, ଜୀବନରେ ବେଳେ ବେଳେ ମାନସିକ ଯନ୍ତ୍ରଣା ଏତେ ଦୂର ହୃଦୟରେ ଆଘାତ ଦିଏ ଯେ ଆଖି ଲୁହ ଆଖିରେ ହିଁ ଶୁଖି ଯାଏ । 

କାହାଣୀଟି ସମ୍ପୂର୍ଣ୍ଣ କାଳ୍ପନିକ । କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ପଢିଥିବା ଜଣଙ୍କ ଦୁଃଖ ଘଟଣାକୁ ନେଇ ଏଇ କାଳ୍ପନିକ କାହାଣୀଟି ଲେଖିଛି । କିଛି ଦୋଷ ତ୍ରୁଟି ଥିଲେ କ୍ଷମା କରିବେ ।

ସମାପ୍ତ 



Rate this content
Log in

Similar oriya story from Drama