Swetapadma Padhi

Abstract Comedy

4.0  

Swetapadma Padhi

Abstract Comedy

ଆଖିରେ ଆଖିରେ

ଆଖିରେ ଆଖିରେ

4 mins
223


ମୋ ବାପାଙ୍କର ବ୍ୟାଙ୍କ ଚାକିରୀ ଥିଲା । ପ୍ରତି ତିନି କି ପାଞ୍ଚ ବର୍ଷରେ ତାଙ୍କର ବଦଳି ହେଉଥିଲା । ମୋ ମ୍ୟାଟ୍ରିକ ପରୀକ୍ଷା ପରେ ପରେ ଆମେ ବଦଳି ହେଇ କଟକ ପଳେଇ ଆସିଲୁ । ସେଠି ଆମେ ଚାରି ବର୍ଷ ରହିଥିଲୁ । ୨ ବିଜ୍ଞାନ ଶୈଳବାଳା ମହିଳା କଲେଜରୁ ସାରିଲା ପରେ ମୋର ଭୁବନେଶ୍ୱର ଘରୋଇ ଇଞ୍ଜିନିୟରିଂ କଲେଜରେ ଆଡ଼ମିଶନ ହେଇ ଯାଇଥିଲା । ସେତେବେଳେ ବାପା ମୋତେ ହଷ୍ଟେଲରେ ଛାଡ଼ିବାକୁ ରାଜି ନଥିଲେ । ସେତିକିବେଳେ ମୋ ମାଉସୀ ଝିଅ ବଡ଼ ଭଉଣୀର ବାଣୀବିହାରରେ ପି.ଜି. ସରିଥାଏ । ସେ ଓ ତା ସାଙ୍ଗମାନେ କଟକ ଭୁବନେଶ୍ୱର ବସରେ ଯିବାଆସିବା କରି ପାଠପଢି ଥିଲେ । ଅଗତ୍ୟା ସେ କହିବାରୁ ବାପା ରାଜି ହେଇ ଭୁବନେଶ୍ୱର ରେ ପାଠ ପଢାଇଲେ । ଆଉ ମୁଁ ପ୍ରତିଦିନ ବାଦାମବାଡ଼ି ବସଷ୍ଟାଣ୍ଡ ପାଖରେ ଥିବା ପାର୍କିଂରେ ସ୍କୁଟି ରଖି ବସ୍ ଧରୁଥିଲି ଓ ଜୟଦେବ ବିହାରରୁ କଲେଜ ବସ୍ ଧରୁଥିଲି । 


ପ୍ରାୟ ଏଇଟା ମୋର ନିତିଦିନିଆ କାମ ହେଇ ଯାଇଥିଲା । ମୋ ଭଳି ଅନେକ ପୁଅ ଝିଅ ଏମିତି ଭୁବନେଶ୍ୱର ବିଭିନ୍ନ ଇଞ୍ଜିନିୟରିଂ କଲେଜକୁ ପାଠ ପଢ଼ିବାକୁ ଯାଉଥିଲେ । ଆମେ ତିନିଟା ଅଲଗା ଅଲଗା କଲେଜର ଝିଅ ଯିବା ଆସିବା ବେଳେ ଦେଖା ହେଇ ଗପି ଗପି ଯାଉଥିଲୁ ; ତେଣୁ ବୋର୍ ବି ଲାଗୁ ନଥିଲା । କିଛି ଅଲଗା କଲେଜ ପିଲାମାନେ ମଧ୍ୟ ଭୁବନେଶ୍ୱର କଟକ ବସ୍ ରେ ଯିବା ଆସିବା କରୁଥିଲେ । ବେଳେ ବେଳେ ବଦମାସିଆ ଛତରା ଟୋକା ବି ଯାଉଥିଲେ। କମେଣ୍ଟ ମାରୁଥିଲେ । ଭାରି ଖରାପ ଲାଗେ ହେଲେ ଆମେ ଝିଅମାନେ ଚୂପ ରୁହୁଥିଲେ ।କାରଣ ସେତେବେଳେ ଦି ତିନିଟା ଏସିଡି ଆଟାକ୍ କେସ୍ ହେଇ ସାରିଥିଲା ତେଣୁ ଝିଅମାନେ ଚୂପ ରହି ବରଦାସ୍ତ କରୁଥିଲେ । କହିବା ବାହୁଲ୍ୟ ଝିଅମାନଙ୍କ ଦେହସୁହା ହେଇ ସାରିଥିଲା । ସରକାରୀ ଚାକିରିଆ ପିଲା ଓ ବୟସ୍କ ଲୋକେ ମଧ୍ୟ ଯିବା ଆସିବା କରୁଥିଲେ । 


ସେହି ଚାକରିଆଙ୍କ ଭିତରେ ଦି ଜଣ ବୟସ୍କ ଲୋକ ଥିଲେ । ଆମେ ଯୋଉ ସକାଳ ୭ଟା ବସ ଧରି ଯାଉ ସେମାନେ ବି ସେଇ ବସ୍ ଧରୁଥିଲେ ବାଦାମ ବାଡିରୁ । ସବୁଦିନ ଗଲା ବେଳକୁ ଆମ ଝିଅମାନଙ୍କୁ ଦେଖୁଥିଲେ । ଝିଅମାନେ ସବୁ ଫୁସର୍ ଫାସୁର୍ ହେଉଥିବ, ଦେଖ ମ !...ଏ ଟୋକା ଦଳ କମ ପଡି ଯାଉଥିଲେ ଯେ ଏ ବୁଢା ଗୁଡାକ ବି ନିଜକୁ ରସିକ ନାଗର ଭାବିଲେଣି ! ନିଜ ବୟସ ଦେଖୁ ନାହାଁନ୍ତି ଆଉ ଚାରି ପାଞ୍ଚ ବର୍ଷରେ ନାତି ନାତୁଣୀ ଧରିକି ଖେଳିବେ କି ଖେଳେଇ ସାରିଲେଣି ଏମାନେ ବି ଲାଇନ୍ ମାରିବାକୁ ଆଗୁଆ । କୋଉ ଦିନ କୋଉ ବୁଢ଼ା ପାଖରେ ଛିଡ଼ା ହେଇଥିବା ଯଦି ପେନ୍ କି କମ୍ପାସ ମୁନରେ ଫୋଡ଼ି ଦେଲେ ଆଖିରେ ଆଖିରେ ଦେଖିବା ଭୂଲି ଯିବେ । ସବୁ ଦିନେ ଘୂରି ଘୂରି ଅନଉଛନ୍ତି ଦିଟା ଯାକ ବୁଢ଼ା । ଆଖିରେ ଆଖି ମିଶିଗଲେ ବି ଅନଉଛନ୍ତି ; ଲଜ୍ୟା ନାହିଁ ଯା ଦିଟାଙ୍କୁ କହି ଫେଁ ଫେଁ ହେଇ ହସନ୍ତି ଝିଅ ଦିଟା । ମନ୍ତବ୍ୟ କିଛି ନ ଦେଲେ ବି ମୁଁ ମୋ ହସକୁ ରୋକି ପାରେନି ବେଳେ ବେଳେ ।


ଦିନେ ପ୍ରବଳ ବର୍ଷା ହେଉଥାଏ । ସେ ଝିଅମାନଙ୍କ ଭିତରୁ ଦୁଇ ଜଣ କଲେଜ ଯିବେନି ବୋଲି ତା ପୂର୍ବ ଦିନ ହିଁ ଜଣେଇ ଦେଇଥିଲେ । ହେଲେ ମୋର କଲେଜରେ ପରୀକ୍ଷା ଥାଏ ସୁତରାଂ ମୋତେ ସେଦିନ ଏକୁଟିଆ ଯିବାକୁ ପଡିଲା । ପ୍ରବଳ ବର୍ଷା ଯୋଗୁଁ ଲୋକ ଭିଡ ବି କମ୍ । ଝିଅ କ'ଣ ପୁଅମାନେ ବି ଆସିନଥିଲେ କ୍ଵଚିତ ଜଣେ ଦି ଜଣ ଥିଲେ । ହେଲେ ଚାକିରିଆ ବୋଲି ବୋଧେ ସେ ବୟସ୍କ ଲୋକ ଦି ଜଣ ଯାକ ଯାଉଥିଲେ । ତାଙ୍କ ଭିତରୁ ଜଣେ ଆର ଜଣଙ୍କୁ କହିଲେ, ସାର୍ ଆଜି ବେଶୀ ଲୋକ ନାହାଁନ୍ତି ପଚାରି ଦେଉ ନାହାଁନ୍ତି । ଆର ଜଣଙ୍କ କହିଲେ, ଆରେ ଝିଅଟା ଖରାପ ଭାବିକି ଜୋରରେ ପାଟି କଲା ଯଦି ! ଆର ଜଣଙ୍କ କହିଲେ, ନା ମ ବର୍ଷେ ହେଲାଣି ଦେଖୁଛେ ସେ ଝିଅଟା ବାକି ପିଲାଙ୍କ ତୁଳନାରେ ସବୁବେଳେ ଚୂପଚାପ, ଆଜି ସୁବିଧା ହେଇଛି କଥା ହେଇ ଯାଆନ୍ତୁ ପୁଣି ଏମିତି ମୈାକା ମିଳୁଥିବ ନ' ମିଳୁଥିବ !


ସେମାନଙ୍କ କଥା ଶୁଣି ମୁଁ ସେତେବେଳକୁ ମୋ ଚାରିକୋଣିଆ ମୁନିଆ ବିଶିଷ୍ଟ ଡାଏରୀ ଟା ଵ୍ୟାଗରୁ କାଢି ସାରିଥାଏ ଆଉ ମୋ ପସନ୍ଦର ରେନ୍ଲଡ୍ ଜେଟର୍ ପେନଟାକୁ ଚିପି ନିବ୍ ଟାକୁ ବି ବାହାର କରି ସାରିଥାଏ ଆଉ ମନେ ମନେ ଭାବୁ ଥାଏ ବୁଢ଼ା ଯଦି କିଛି ଅସଭ୍ୟ କାମ କଲା ଯୋଉ ଆଖିରେ ଦେଖୁଛି ସେହି ଆଖିଟାକୁ ଆଗ ଫୋଡି ଦେବି ! ହେଲେ ମୋ ସବୁ ବିଭ୍ରାଟ ଚିନ୍ତାରେ ପୂର୍ଣ୍ଣଛେଦ ପକେଇ ସେ ମୋତେ ପଚାରିଲେ, ଆରେ ମା' ତମ ଘର କୋଉଠି ? ବାପା କ'ଣ କରନ୍ତି ? 

ମୋ ବାପାମାଆଙ୍କ ଅନୁଶୀଳନ ହେଇ ଥାଉ କି ମୋ ବିବେକ ବାଧା ଦେଇଥାଉ ତାଙ୍କ ମାଆ ସମ୍ବୋଧନ ରେ ମୁଁ କିଛି ବି ଭୂଲ କରିବା ଆଗରୁ ତାଙ୍କୁ ଆଶ୍ଚର୍ଯ୍ୟ ହେଇ ଅନେଇଲି ।


ସେ ବୋଧେ ମୋ ମନ କଥା ବୁଝି ସାରିଥିଲେ କହିଲେ, ନା ନା ଖରାପ ଭାବନି । ବର୍ଷେ ହେଲାଣି ତମକୁ ଯିବା ଆସିବା ବେଳେ ଦେଖୁଛି । କଥା କ'ଣ ମୋ ପୁଅ ବାହାରେ ଚାକିରୀ କରୁଛି । ତମ ଭଳିଆ ଇଞ୍ଜିନିୟରିଂ ପଢିଛି । ତମ ବାପାଙ୍କୁ ବାହାଘର ପ୍ରସ୍ତାବ ଦେଇ ଥାଆନ୍ତି ତ ସେଥିପାଇଁ ପଚାରୁଥିଲି ।

ତାଙ୍କ କଥା ସରିଲା ବେଳକୁ ମୋ ରାଗ ଥଣ୍ଡା ହେବା ସହିତ ମୋ ଟିପା ପେନକୁ ଚିପି ନିବ ଭିତରକୁ କରି ସାରି ଥାଏ । ମୋତେ ସେତେବେଳେକୁ ହସ ମାଡିଲାଣି ତଥାପି ଭଦ୍ରବ୍ୟକ୍ତି ଖରାପ ଭାବିବେ ବୋଲି ଯଥା ମତେ ହସ ରୋକି ତାଙ୍କୁ କହିଲି, ମଉସା ମୋତେ ଏଇ ଆସନ୍ତା ଡ଼ିସେମ୍ବରକୁ ଅଠର ପୁରିବ ଆଉ ମୋ ବାପା ବହୁତ ରକ୍ଷଣଶୀଳ । ଆମେ ବ୍ରାହ୍ମଣ ଘର ଲୋକ ତେଣୁ ମୋତେ ବାହା ଦେଲେ ବି ବ୍ରାହ୍ମଣ ଘରେ ବାହା ଦେବେ । ମୁଁ ଆଉ ଜାଣିପାରିଲିନି ଯେ ସେ ବ୍ରାହ୍ମଣ ନଥିଲେ ବୋଲି କି ମୋତେ ବୟସ ହେଇ ନଥିଲା ବୋଲି ତାଙ୍କ ମୁହଁ ଶୁଖିଗଲା । ସେ ଆଉ କିଛି କହିବା ଆଗରୁ ଜୟଦେବ ବିହାର ଛକ ହେଇ ସାରିଥିଲା । ମୁଁ ମୋ ଷ୍ଟପେଜରେ ଓହ୍ଲେଇ ଗଲି । 


Rate this content
Log in

Similar oriya story from Abstract