Swetapadma Padhi

Comedy Others

3  

Swetapadma Padhi

Comedy Others

କାଚ ଗ୍ଲାସ୍ ଚାହା ଓ ନୋକିଆ ୩୩୧୦

କାଚ ଗ୍ଲାସ୍ ଚାହା ଓ ନୋକିଆ ୩୩୧୦

3 mins
239


ସ୍ମୃତି ଗୋଟେ ଅଙ୍କା ବଙ୍କା ନଈ। ନଈ ର ଗତିପଥ ଆଗକୁ ଗଲା ଭଳି ଜୀବନ ଯେତେ ଆଗକୁ ବଢେ ସେତେ ସେତେ ଅଭୂଲା ସ୍ମୃତି ସବୁ ଯୋଡ଼ି ହେଇ ଯାଏ। ସେଥିରୁ ଗୋଟେ ଅଭୂଲା ସ୍ମୃତି କଲେଜ ଦିନ। କଲେଜ ଦିନର ମସ୍ତି, ଆନୁଅଲ ଫନକସନ,ବଣ ଭୋଜି, ଲାଇବ୍ରେରୀ, ସାଙ୍ଗମାନଙ୍କ ସହ ଖଟି ଆହୁରି କେତେ କ'ଣ ।କଲେଜରେ ବିତେଇ ଥିବା ସବୁ ମୂହୁର୍ତ୍ତ ଗୋଟେ ଗୋଟେ ନିଆରା।

ଶୈଳବାଳା ମହିଳା ମହାବିଦ୍ୟାଳୟ +୨ ବିଜ୍ଞାନ ଦ୍ବିତୀୟ ବର୍ଷ ଆରମ୍ଭ ହେଇ ଥାଏ। ଆମ ଶୈଳବଳା ମହିଳା କଲେଜ ଦିଇ ଆଡେ ବଡ଼ ବଡ଼ ଦିଟା କଲେଜ। ଗୋଟେ ପଟେ ର୍କାଏଷ୍ଟ କଲେଜ ଆର ପଟେ ଷ୍ଟୁଆର୍ଟ କଲେଜ। ଆର୍ଟସ ବ୍ଲକ ପାଚେରୀ ସେପଟା ଚଣ୍ଡୀ ମନ୍ଦିର। ସବୁ ଦିନ କଲେଜ ଗଲା ବେଳେ ମୁଁ ଓ ମୋ ସାଙ୍ଗ ପଲ୍ଲବୀ ଜଲଦି ପହଞ୍ଚି ମନ୍ଦିର ଦର୍ଶନ ସାରି କ୍ଲାସ କରିବାକୁ ଯାଉ। ମୁଁ ଥିଲି ଅନ୍ତମୂଖି ସ୍ୱଭାବର ସେ ମୋର ବିପରୀତ; କଲେଜରେ ଅଣ୍ଡିରା ଚଣ୍ଡୀ ବୋଲି ଫେମସ୍। ଗୋଟେ ଅଭ୍ୟାସ ପାଇଁ ଆମେ ଦିଟା ଭଲ ସାଙ୍ଗ ହେଇ ଯାଇଥିଲୁ; ସେଇଟା ଥିଲା ଚାହା କଫି ପିଇବା ଅଭ୍ୟାସ।

କଲେଜ କି ମନ୍ଦିର ପାଖରେ ଲାଗିକି ସେତେବେଳେ ଚାହା ଦୋକାନ ଥିଲା। ଟିକେ ଦୂରକୁ ଗଲେ ମାଟି ଚୂଲିର ଚାହା ଜଳଖିଆ ଦୋକାନ। ଓଃ ତା ଚାହା ଭାରି ବଢିଆ।ହେଲେ ଦି ଦିଟା ଆଖପାଖ କଲେଜର ଯେତେ ଛତରା ବାତ୍ରା ଟୋକାଙ୍କ ଭିଡ। ଝିଅ ପିଲା ଦେଖି ଦେଲେ ଥଟ୍ଟା ମଜା ହୁଇସିଲ ମାରିବା ଆରମ୍ଭ କରି ଦିଅନ୍ତି।ବେଳେ ଇଚ୍ଛା ଥିଲେ ମଧ୍ୟ ଯାଇ ହୁଏନି। ପଲ୍ଲବୀ ତ ଅଣ୍ଡିରା ଚଣ୍ଡୀ ସେଇ ଥିଲେ ବେଳେ ବେଳେ ତା ସାଙ୍ଗରେ ପଳାଏ ହେଲେ ଡର ଥାଏ କିଛି ଅସୁବିଧା ହେଲା ଯଦି ବାପା କି ମମି କାନକୁ କଥା ଯିବ। ପଲ୍ଲବୀ କହିବ କାଇଁ ଗୋଟେ ଛେଳି ଭଳିଆ ହେଉଛୁ ; ମୁଁ ଅଛି ପରା କୋଉ ଟୋକା ଲାଗିବବେ ମାରିକି ତା ଥୋବଣି ଫଟେଇ ଦେବିନି। ତଥାପି ମୁଁ ଡରିକି ତାକୁ କଲେଜ ପାଖ କଫି ଦୋକାନ ନେଇ ଯାଏ।ବିରକ୍ତ ହେଇ କହିବ ଏ ମେସିନ୍ କଫି କ'ଣ ଗୁଡିଆ ଦୋକାନୀର କାଚ ଗ୍ଲାସ୍ ଚାହା ସହ ସମ ହେବ।

ଦୁର୍ଗାପୂଜା ଛୁଟି ଆରମ୍ଭ ହେବାକୁ ଥାଏ।ସେଦିନେ ଏମିତି ମୋତେ ପଲ୍ଲବୀ ଭିଡ଼ି ନେଲା ଗୁଡିଆ ଦୋକାନକୁ। କୋଡିଏ ଦିନ ଛୁଟି ପରେ ଦେଖା ହେବା ଆଜି ଯେମିତି ହେଲେ କାଚ ଗ୍ଲାସ୍ ଚାହା ପିଇବା। ସେତେବେଳେ ବଲିଉଡ୍ ହିରୋଇନ୍ କାଜଲ ପିନ୍ଧୁଥିବା ଡ୍ରେସ୍ କଟକ ଦୁର୍ଗାପୂଜା ବଜାରରେ ଛାଇ ଯାଇଥାଏ। ମୁଁ ଆଉ ପଲ୍ଲବୀ ମଧ୍ୟ ସେଦିନ ସେଇ ଭଳି ଡ୍ରେସ୍ ପିନ୍ଧି ଆସିଥାଉ। ଗୁଡିଆ ଦୋକାନରେ ପହଞ୍ଚିଲା ବେଳକୁ ପ୍ରାୟ ସବୁ କଲେଜ ହଷ୍ଟେଲ ପିଲାଙ୍କ ଭିଡ। ଆଜି ସବୁ ଏଠି ଖଟି କରି ନିଜ ନିଜ ଗାଁକୁ ବାହାରି ଯିବେ।

ଆମେ ଦି ଜଣ ଦି କପ୍ ଚାହା ଆଣି ପିଲାବେଳୁ ପଛ ଆଡ଼ୁ କୋଉ ଟୋକା ଗୋଟେ କହିଲା କଣ ଦିଶୁଛମ୍ ପୂରା କାଜଲ ଆଉ ପଲଟ ପଲଟ.... ପଲ୍ଲବୀ ପୁରା ରାଗି ସିଧା ଯାଇ ତା କଲର୍ କୁ ଧରି ପକେଇଲା। ମୁଁ ଅବାକାବା ହେଇ ଦେଖୁ ଥାଏ କ'ଣ ହେଉଛି ବୋଲି। ସେ ଟୋକାଟା ଆଉ ଟିକେ ପାଟି କଲାରୁ ମୋ ଆଡେ ଆଙ୍ଗୁଠି ଦେଖେଇ ପଲ୍ଲବୀ କହିଲା ଜାଣିଛୁ ସେ କାହା ଝିଅ ତା ବାପାଙ୍କୁ ଗୋଟେ ଫୋନ୍ ଲଗେଇବି ତୋ ବୋପା ଅଜା ଚଉଦ ପୁରୁଷ ମନେ ପକେଇ ଦେବେ କହି ମୋ ବ୍ୟାଗରୁ ନୋକିଆ ମୋବାଇଲ କାଢି ମିଛି ‌ମିଛିକା ନମ୍ବର ଡାଏଲ କଲା। ସେତେବେଳେ ମୋବାଇଲ୍ ବହୁତ ହିଁ କମ୍ ଲୋକ ବ୍ୟବହାର କରୁଥିଲେ। ନୂଆ ନୂଆ ବଜାରରେ ଆସିଥିଲା ବୋଲି ମମି କିଣିଥିଲେ ନୋକିଆ ୩୩୧୦ ମଡେଲ୍।

ମୁଁ ସେ ମୋବାଇଲକୁ ଲୁଚେଇ ଆଣିଥିଲି ପଲ୍ଲବୀକୁ ଦେଖେଇବାକୁ। ସେତେବେଳକୁ ମୋ ଦେହରୁ ଗମଗମ ଝାଳ ବୋହି ଗଲାଣି ଯଦି ମୋବାଇଲ ସେ ପିଲା ନେଇଗଲା କି ଭାଙ୍ଗିଦେଲା ମମି ମୋ ଅବସ୍ଥା କ'ଣ କରିବ। ହେଲେ ସେ ପିଲାଟା ମୋବାଇଲ ଦେଖି ବୋଧେ କୋଉ ବଡ଼ ବଡୁଆ ଘରର ଝିଅ ବୋଲି ଭାବି ପଲ୍ଲବୀ କୁ କ୍ଷମା ମାଗି ଫେରେରା ମାରିଲା। ପଲ୍ଲବୀ ହସି ହସି ଗଡୁ ଥାଏ ; ଆଉ ମୁଁ ରାଗରେ କହୁଥାଏ ମାଙ୍କଡୀ ମରି ଯା ତୁ ‌ଆଜି ମୋ ପ୍ରାଣବାୟୁ ଟା ଠକ୍ କି ପଳେଇଥାନ୍ତା।

ଆଜି ବି ଅବେଳ ମୂହୁର୍ତ୍ତ ରେ ଆମେ ସାଙ୍ଗମାନେ ଯେତେବେଳେ ଜୀବନ ଜଞ୍ଜାଳରୁ ପୁରୁଣା କଲେଜ କଥା ଗପି ବସୁ ମନେ ପଡିଯାଏ କାଚଗ୍ଲାସ ଚାହା ଓ ନୋକିଆ ୩୩୧୦।


Rate this content
Log in

Similar oriya story from Comedy